ନୂଆଦିଲ୍ଲୀ: ପ୍ରଥମ ଥର ଏନ୍‌ଡିଏ ସରକାରରେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ମୁହାମୁଁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଂରକ୍ଷଣ ପ୍ରସଙ୍ଗକୁ ନେଇ ଏବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଓ ଜିତନ ରାମ ମାଞ୍ଝୀଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ମାମଲା ଏତେ ଗରମ ହୋଇଯାଇଛି ଯେ ଶନିବାର ଚିରାଗ ପାସୱାନ ତାଙ୍କ ସହଯୋଗୀ ମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଇସ୍ତଫା ଦାବି କରିଛନ୍ତି। ମାଞ୍ଝୀଙ୍କ ଦଳ HAM (Secular) ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ସଂରକ୍ଷଣ ନୀତିର ସମୀକ୍ଷା ଦାବି କରିବା ପରେ ଏହି ବିବାଦ ତୀବ୍ର ହୋଇଛି।

ଦିଲ୍ଲୀର ଜନ୍ତର ମନ୍ତରରେ ସଂରକ୍ଷଣ ବିରୋଧୀ ପ୍ରତିବାଦ ଚାଲିଥିବା ବେଳେ ମୋଦୀଙ୍କ ଦୁଇ ମନ୍ତ୍ରୀଙ୍କର ଏଭଳି ମୁହାଁମୁହିଁ ସ୍ଥିତି ପୁଣି ଥରେ ଜାତୀୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି। ଏନଡିଏ ସରକାରରେ ଦୁଇ କେନ୍ଦ୍ରମନ୍ତ୍ରୀ ପରସ୍ପର ବିରୋଧରେ ମୁହାଁମୁହିଁ ହେବା ଘଟଣା ବେଶ୍ ବିରଳ। ହେଲେ ଏବେ ମାଞ୍ଝୀ ଓ ପାସୱାନଙ୍କ ମତଭେଦକୁ ନେଇ ମୋଦୀ ସରକାରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କ’ଣ ପାଇଁ ବିବାଦ?

ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଳାସ) ଏବଂ ଜିତନ ରାମ ମାଞ୍ଝୀଙ୍କ ଏଚଏଏମ (ସେକୁଲାର) ଉଭୟ ଏନଡିଏର ସହଯୋଗୀ ଦଳ। ବିହାର ସହିତ କେନ୍ଦ୍ରରେ ମଧ୍ୟ ଉଭୟ ଦଳ ଏନଡିଏ ସରକାରର ଅଂଶୀଦାର। ଚଳିତ ସପ୍ତାହରେ ମାଞ୍ଝୀଙ୍କ ଏଚଏଏମ୍ ଦଳ ଏସସି ଓ ଏସଟି ବର୍ଗ ମଧ୍ୟରେ ଉପ-ସଂରକ୍ଷଣ ବା ସବ୍-କୋଟା ବ୍ୟବସ୍ଥାକୁ ସମର୍ଥନ କରିବା ପରେ ଚିରାଗ ଓ ମାଞ୍ଝୀଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଥିଲା।

ମାଞ୍ଝୀଙ୍କ ପୁଅ ତଥା ବିହାର ମନ୍ତ୍ରୀ ସନ୍ତୋଷ କୁମାର ସୁମନ କହିଥିଲେ ଯେ ସଂରକ୍ଷଣର ଲାଭ ଅତ୍ୟନ୍ତ ପଛୁଆ ଏବଂ ଐତିହାସିକ ଭାବେ ବଞ୍ଚିତ ସମ୍ପ୍ରଦାୟଙ୍କ ପାଖରେ ପହଞ୍ଚାଇବା ପାଇଁ ନୀତିର ସମୀକ୍ଷା ଆବଶ୍ୟକ। ଏଚଏଏମର ଯୁକ୍ତି ହେଉଛି, ଦଳିତ ସଂରକ୍ଷଣର ଲାଭ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ, ଯେପରିକି ପାସୱାନ ଓ ରବିଦାସ ସମ୍ପ୍ରଦାୟ ମଧ୍ୟରେ ଅଧିକ କେନ୍ଦ୍ରୀଭୂତ ହୋଇଛି। ଅନ୍ୟପଟେ ଅନେକ ଅତ୍ୟନ୍ତ ପଛୁଆ ଦଳିତ ସମ୍ପ୍ରଦାୟ ସେଥିରୁ ପର୍ଯ୍ୟାପ୍ତ ଲାଭ ପାଇପାରୁନାହାନ୍ତି। ମାଞ୍ଝୀ ଯେଉଁ ମୁଶହର ସମ୍ପ୍ରଦାୟରୁ ଆସିଛନ୍ତି, ସେହି ସମ୍ପ୍ରଦାୟରୁ ଏପର୍ଯ୍ୟନ୍ତ ଜଣେ ବି IAS ଅଧିକାରୀ ହୋଇନଥିବା କଥା ସନ୍ତୋଷ ସୁମନ ଉଠାଇଛନ୍ତି।

୨୦୨୪ ସୁପ୍ରିମକୋର୍ଟ ରାୟ ସହ କ’ଣ ସମ୍ପର୍କ?

ବର୍ତ୍ତମାନର ଏହି ବିବାଦର ମୂଳ ୨୦୨୪ର ଏକ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମକୋର୍ଟ ରାୟ ସହ ଜଡ଼ିତ। ୨୦୨୪ରେ ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟଗୁଡ଼ିକ ଏସସି ଓ ଏସଟି ବର୍ଗ ମଧ୍ୟରେ ଉପ-ବର୍ଗୀକରଣ ବା ସବ୍-କ୍ଲାସିଫିକେସନ କରିପାରିବେ। ଏସସି ଓ ଏସଟି ବର୍ଗ ମଧ୍ୟରେ ଅଧିକ ପଛୁଆ ସମ୍ପ୍ରଦାୟଗୁଡ଼ିକୁ ସଂରକ୍ଷଣର ଲାଭ ଦେବା ଥିଲା ଏହାର ଉଦ୍ଦେଶ୍ୟ। ଏହି ରାୟ ପରେ ଏସସି ବର୍ଗ ମଧ୍ୟରେ କେଉଁ ସମ୍ପ୍ରଦାୟ କେତେ ଲାଭ ପାଉଛନ୍ତି ଏବଂ ସଂରକ୍ଷଣର ଲାଭକୁ ଅଧିକ ନ୍ୟାୟସଙ୍ଗତ ଭାବେ କିପରି ବଣ୍ଟନ କରାଯାଇପାରିବ, ସେନେଇ ଚର୍ଚ୍ଚା ଆହୁରି ବଢ଼ିଛି।

SC-STରେ ‘କ୍ରିମି ଲେୟର’ ପ୍ରସଙ୍ଗ କ’ଣ?

ଗତ ମାସରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇ ଏସସି ଓ ଏସଟି ବର୍ଗର ସାମାଜିକ ଏବଂ ଆର୍ଥିକ ଭାବେ ଉନ୍ନତ ବ୍ୟକ୍ତିମାନଙ୍କୁ ସଂରକ୍ଷଣର ଲାଭରୁ ବାଦ ଦେବାକୁ ଦାବି କରାଯାଇଥିଲା। ଆବେଦନରେ ଦାବି କରାଯାଇଥିଲା ଯେ ଏସସି ଓ ଏସଟି ବର୍ଗର କିଛି ସମୃଦ୍ଧ ପରିବାର ସଂରକ୍ଷଣର ସୁବିଧାକୁ ବାରମ୍ବାର ହାସଲ କରୁଛନ୍ତି ଏବଂ ଏହା ଫଳରେ ପ୍ରକୃତରେ ପଛୁଆ ଲୋକମାନେ ଏହାର ଲାଭରୁ ବଞ୍ଚିତ ହେଉଛନ୍ତି।

୨୦୨୪ର ସୁପ୍ରିମକୋର୍ଟ ରାୟକୁ ଆଧାର କରି ଆବେଦନରେ କୁହାଯାଇଥିଲା ଯେ ୭ ଜଣିଆ ସମ୍ବିଧାନ ବେଞ୍ଚର ଚାରିଜଣ ବିଚାରପତି ଏସସି ଓ ଏସଟି ବର୍ଗ ପାଇଁ ମଧ୍ୟ ‘କ୍ରିମି ଲେୟର’ ସିଦ୍ଧାନ୍ତ ଲାଗୁ କରିବା ଦିଗରେ ମତ ରଖିଥିଲେ। ତେବେ କେନ୍ଦ୍ର ସରକାର ଏହି ଦାବିରେ ସହମତ ନୁହନ୍ତି। ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କେନ୍ଦ୍ର କହିଛି ଯେ ଏସସି ଓ ଏସଟି ବର୍ଗରେ ‘କ୍ରିମି ଲେୟର’ ସିଦ୍ଧାନ୍ତ ଲାଗୁ କରାଯାଇପାରିବ ନାହିଁ। ବର୍ତ୍ତମାନ ଏହି ବ୍ୟବସ୍ଥା କେବଳ ଓବିସି ବର୍ଗ ପାଇଁ ଲାଗୁ ହେଉଛି।

ଚିରାଗ ପାସୱାନଙ୍କ କଡ଼ା ଜବାବ

ଏଚଏମର ଦାବିକୁ ନେଇ ଚିରାଗ ପାସୱାନ ତୀବ୍ର ବିରୋଧ କରିଛନ୍ତି। ଯଦି ଜିତନ ରାମ ମାଞ୍ଝୀ ଓ ତାଙ୍କ ଦଳ ଏସସି ସଂରକ୍ଷଣରେ ସବ୍-କୋଟା ଏବଂ କ୍ରିମି ଲେୟର ଚାହୁଁଛନ୍ତି, ତେବେ ମାଞ୍ଝୀ ଓ ତାଙ୍କ ପୁଅ ସନ୍ତୋଷ କୁମାର ସୁମନ ପ୍ରଥମେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପାସୱାନ କହିଛନ୍ତି।

ପାସୱାନଙ୍କ ମତରେ, ଯେଉଁମାନେ ସଂରକ୍ଷଣରେ ‘କ୍ରିମି ଲେୟର’ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନେ ପ୍ରଥମେ ନିଜେ ସଂରକ୍ଷଣର ସୁବିଧା ଛାଡ଼ିବା ଉଚିତ। ସେ କହିଛନ୍ତି, ଜିତନ ରାମ ମାଞ୍ଝୀ ଯଦି କ୍ରିମି ଲେୟର ସିଦ୍ଧାନ୍ତକୁ ସମର୍ଥନ କରୁଛନ୍ତି, ତେବେ ସେ ପ୍ରଥମେ ଇସ୍ତଫା ଦିଅନ୍ତୁ। ତାଙ୍କ ପୁଅ ମଧ୍ୟ ମନ୍ତ୍ରୀ ପଦ ଛାଡ଼ିବା ଉଚିତ ବୋଲି ପାସୱାନ ଦାବି କରିଛନ୍ତି।

ସବ୍-କୋଟାକୁ କାହିଁକି ବିରୋଧ କରୁଛନ୍ତି ପାସୱାନ?

ଚିରାଗ ପାସୱାନଙ୍କ ଦଳ ଏଲଜେପି (ରାମ ବିଳାସ) ସବ୍-କୋଟା ବ୍ୟବସ୍ଥାକୁ ପୂର୍ବରୁ ହିଁ ବିରୋଧ କରିଆସିଛି। ପାସୱାନଙ୍କ କହିବା ଅନୁସାରେ, ଏସସି ବର୍ଗର ସମସ୍ତ ସମ୍ପ୍ରଦାୟ ଏକଜୁଟ ରହିଛନ୍ତି ଏବଂ ସେମାନଙ୍କୁ ଭାଗ କରିବା ଠିକ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନରେ ଆର୍ଥିକ ଆଧାରରେ ଏସସି ସଂରକ୍ଷଣ ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ନାହିଁ। ପାସୱାନଙ୍କ ଯୁକ୍ତି ହେଉଛି, ଏସସି ସଂରକ୍ଷଣ ମୁଖ୍ୟତଃ ସାମାଜିକ ଭେଦଭାବ ଓ ଏହାର ସମାଧାନ ପାଇଁ ଦିଆଯାଇଛି। ତେଣୁ ଏହାକୁ କେବଳ ଆର୍ଥିକ ସ୍ଥିତି ଆଧାରରେ ବଦଳାଇବା ଉଚିତ ନୁହେଁ।

ଦଳିତଙ୍କ ସାମାଜିକ ନ୍ୟାୟ ଲଢ଼େଇ ଦୁର୍ବଳ ହେବ’

ଚିରାଗ ପାସୱାନ ଆହୁରି କହିଛନ୍ତି ଯେ ଏସସି ସଂରକ୍ଷଣ ମଧ୍ୟରେ ସବ୍-କୋଟା କିମ୍ବା ଆର୍ଥିକ ଆଧାରରେ କ୍ରିମି ଲେୟର ବ୍ୟବସ୍ଥା ଆଣିଲେ ସମାଜରେ ବିଭାଜନ ବଢ଼ିପାରେ। ଏହା ଫଳରେ ଦଳିତମାନଙ୍କ ସାମାଜିକ ନ୍ୟାୟର ଲଢ଼େଇ ଦୁର୍ବଳ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଦଳିତମାନେ ଏବେ ମଧ୍ୟ ସାମାଜିକ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସଂରକ୍ଷଣକୁ ନେଇ ଅଧିକ ବିଭାଜନ କରାଗଲେ ଏହାର ମୂଳ ଉଦ୍ଦେଶ୍ୟ ପ୍ରଭାବିତ ହୋଇପାରେ। ସେ ଆହୁରି କହିଛନ୍ତି, ଯଦି ଆର୍ଥିକ ମାନଦଣ୍ଡ ଆଧାରରେ କ୍ରିମି ଲେୟର ଲାଗୁ କରିବାକୁ ଚାହୁଁଛନ୍ତି, ତେବେ ଜିତନ ରାମ ମାଞ୍ଝୀଙ୍କୁ ହିଁ ପ୍ରଥମେ ପଦରୁ ହଟିବା ଉଚିତ।

ଏହି ବିବାଦ ଫଳରେ NDAର ଦୁଇ ସହଯୋଗୀ ଦଳ ମଧ୍ୟରେ ସଂରକ୍ଷଣ ନୀତିକୁ ନେଇ ମତଭେଦ ସ୍ପଷ୍ଟ ହୋଇଛି। ବିହାରରେ ରାଜନୈତିକ ସମୀକରଣ ଦୃଷ୍ଟିରୁ ଏହି ବିବାଦ ଆଗକୁ କେଉଁ ରୂପ ନେବ, ତାହା ଉପରେ ଏବେ ନଜର ରହିଛି।