ନୂଆଦିଲ୍ଲୀ: କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତୀଶନଙ୍କ କାରକେଡକୁ ଅଟକାଇଥିବା ଅଭିଯୋଗରେ ଜଣେ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଛି। ମୁଖ୍ୟମନ୍ତ୍ରୀ ଥିରୁଅନନ୍ତପୁରମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଶୁକ୍ରବାର ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଜୟନ୍ତୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଚେମ୍ପାଜାନ୍ଥି ଯାଉଥିଲେ। ମାତ୍ର ଚେନ୍ଥିଠାରେ ଅନ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା କଂଗ୍ରେସ ନେତା ଅନିଲ କୁମାର  ଏବଂ ତାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ସେଠାକୁ ଆସନ୍ତୁ ବୋଲି ଦାବି କରି କାରକେଡ୍‌ ଅଟକାଇଥିଲେ।

କାରକେଡ୍‌ ଅଟକିବାର ୩୦ ସେକେଣ୍ଡ ପରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସି ତିରୁଅନନ୍ତପୁରମ୍ ଜିଲ୍ଲା କଂଗ୍ରେସ କମିଟି (DCC) ନେତା ଅନିଲ କୁମାରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଗାଡ଼ିକୁ ଫେରି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁଯାୟୀ, ଚେନ୍ଥିର ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ନଥିଲା।

ପୋଲିସ ଅନିଲ କୁମାରଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ବେଆଇନ ଭାବରେ କାରକେଡ୍‌ ଅଟକାଇବା, ଧମକ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଅପରପକ୍ଷରେ, ଅନିଲ କୁମାର ଗାଡ଼ି ଅଟକାଇବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଏହାକୁ ଦଳ ମଧ୍ୟରେ ଥିବା ‘ଗୋଷ୍ଠୀ କନ୍ଦଳ’ ବୋଲି କହିଛନ୍ତି। ସେହିପରି ଅନ୍ୟ କଂଗ୍ରେସ ନେତା ସୁହେଲ ସାଜାହାନ ମଧ୍ୟ ଅନିଲଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ଏବଂ କାର୍ଯ୍ୟକର୍ତ୍ତାମାନେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଏକାଠି ହୋଇଥିଲେ ବୋଲି କହିଛନ୍ତି ।