ନୂଆଦିଲ୍ଲୀ: ପୃଥିବୀ ବାହାରେ ଜୀବନ ବା ଏଲିଅନଙ୍କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଛି । ଏହାରି ମଧ୍ୟରେ ଚୀନ୍‌ର ବୈଜ୍ଞାନିକମାନେ ବଡ଼ ଦାବି କରିଛନ୍ତି । ଅନ୍ୟ ଏକ ସୌର ମଣ୍ଡଳରୁ ସେମାନେ ଏକ ରେଡିଓ ସିଗନାଲ୍‌ ପାଇଛନ୍ତି । ଏହି ସିଗନାଲ୍‌ କୌଣସି ମହାଜାଗତିକ ଘଟଣାକ୍ରମର ସଂକେତ ଭଳି ଲାଗୁନାହିଁ । ସମ୍ଭବତଃ ଏହା ବାହାର ଗ୍ରହର ଜୀବମାନଙ୍କ ପାଖରୁ ମିଳିଥିବା ସଂକେତ ବୋଲି ସେମାନେ ଦାବି କରିଛନ୍ତି । ଆଉ ଏହି ସିଗନାଲ୍‌ ପ୍ରାୟ ୨୩୮ ଆଲୋକବର୍ଷ ଦୂରରେ ଥିବା ଏକ ସୌର ମଣ୍ଡଳରୁ ଆସିଛି । 

‘ଦି ଆଷ୍ଟ୍ରୋନୋମିକାଲ୍ ଜର୍ଣ୍ଣଲ’ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଏହି ସିଗନାଲ୍‌ ଅତ୍ୟନ୍ତ ସୂକ୍ଷ୍ମ ଏବଂ କେବଳ ଏକ ନିର୍ଦ୍ଦିଷ୍ଟ ଆବୃତ୍ତି ବା ଫ୍ରିକ୍ବେନ୍ସି ଉପରେ କେନ୍ଦ୍ରୀଭୂତ। ମହାକାଶର ପ୍ରାକୃତିକ ପ୍ରକ୍ରିୟାରୁ ଏପରି ସିଗନାଲ୍ ସୃଷ୍ଟି ହେବା ଅତ୍ୟନ୍ତ ବିରଳ । କୃତ୍ରିମ କିମ୍ବା ଆଡଭାନ୍ସଡ୍ ଟେକ୍ନୋଲୋଜି ମାଧ୍ୟମରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ଥିବାର ପ୍ରଥମ ପ୍ରତ୍ୟକ୍ଷ ସଙ୍କେତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଚୀନର ପ୍ରସିଦ୍ଧ 'ଫାଷ୍ଟ' ଟେଲିସ୍କୋପ୍ ଦ୍ୱାରା ୨୦୨୧ ମସିହାରେ ସଂଗୃହୀତ ୩୩ଟି ଗ୍ରହମଣ୍ଡଳର ତଥ୍ୟକୁ ପରୀକ୍ଷା କରୁଥିବା ସମୟରେ ଗବେଷକମାନେ ଏହି ସିଗନାଲ୍‌ର ସନ୍ଧାନ ପାଇଥିଲେ। ଏହି ବିଶେଷ ସିଗନାଲ୍‌ NBS 260108 ନାମରେ ନାମିତ କରାଯାଇଛି। ଟେଲିସ୍କୋପ୍‌ର ମୋଟ ୧୯ଟି ବିମ୍ ମଧ୍ୟରୁ କେବଳ ‘K2-155’ ନାମକ ନକ୍ଷତ୍ର ମଣ୍ଡଳ ଆଡ଼କୁ ଲକ୍ଷ୍ୟ ରଖାଯାଇଥିବା ବିମ୍‌ରେ ହିଁ ଏହି ସଙ୍କେତ ଧରାପଡ଼ିଥିଲା। K2-155 ନକ୍ଷତ୍ର ମଣ୍ଡଳରେ ତିନୋଟି ‘ସୁପର-ଆର୍ଥ’ (ପୃଥିବୀ ଭଳି ଗ୍ରହ) ରହିଛନ୍ତି । 

ସାଧାରଣତଃ ମହାକାଶରେ ଥିବା କୌଣସି ଗତିଶୀଳ ସିଗନାଲ୍ ପ୍ରେରକ ରୁ ସଙ୍କେତ ଆସିଲେ ତାହାର ଫ୍ରିକ୍ୱେନ୍ସିରେ ଧୀରେ ଧୀରେ ପରିବର୍ତ୍ତନ ଦେଖାଯାଏ। ଏହି ସିଗନାଲ୍‌ରେ ମଧ୍ୟ ସେହିପରି ତଳ ଆଡ଼କୁ ଫ୍ରିକ୍ୱେନ୍ସି ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଇଛି। ସର୍ଭେ ଚାର୍ଟରେ ଏହା ଏକ ପତଳା ଏବଂ ବଙ୍କା ଗାର ଭାବରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ମହାକାଶର ପ୍ରାକୃତିକ ସିଗନାଲରେ ଏଭଳି ଦେଖିବାକୁ ମିଳେନାହିଁ। ସେପଟେ ଏହା ମହାକାଶରୁ ଏଲିଅନଙ୍କ ଦ୍ବାରା ଆସିଥିବା ତରଙ୍ଗ ନା ପୃଥିବୀରୁ ପ୍ରତିଫଳିତ କୌଣସି ମନୁଷ୍ୟକୃତ ସିଗନାଲ୍‌, ତାହା ସ୍ପଷ୍ଟ କରିବାକୁ ବୈଜ୍ଞାନିକମାନେ ଅଧିକ ଗବେଷଣା ଜାରି ରଖିଛନ୍ତି ।