ନୂଆଦିଲ୍ଲୀ: ଗତ ସପ୍ତାହରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କୌଣସି ଦଳ ସ୍ପଷ୍ଟ ବହୁମତ ହାସଲ କରିନାହାନ୍ତି । କିନ୍ତୁ ନିର୍ବାଚନରେ ବଡ଼ ଧରଣର ଜାଲିଆତି ବା ଭୋଟ ଚୋରି ନେଇ ଅଭିଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅକ୍ଟୋବର ୨୭ରେ ହୋଇଥିବା ନିର୍ବାଚନରେ ଆରବ-ନେତୃତ୍ୱାଧୀନ ରାଜନୈତିକ ଦଳଗୁଡ଼ିକ ବିଦେଶୀ ସହାୟତାରେ ଭୋଟ୍ ଚୋରି କରିଛନ୍ତି ବୋଲି ନେତାନ୍ୟାହୁ ଓ ତାଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ। କିନ୍ତୁ ଶାସକ ଦଳର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇସ୍ରାଏଲର କେନ୍ଦ୍ରୀୟ ନିର୍ବାଚନ ଆୟୋଗ । 

ସାଧାରଣ ନିର୍ବାଚନରେ କୌଣସି ଜାଲିଆତି କିମ୍ବା ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ୍‌ ।  ଏହି ସ୍ପଷ୍ଟୀକରଣ ନେତାନ୍ୟାହୁଙ୍କ ମେଣ୍ଟ ପାଇଁ ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୁଧବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ତଦନ୍ତ ପରେ ନିର୍ବାଚନର ସ୍ୱଚ୍ଛତା କିମ୍ବା ଫଳାଫଳକୁ ପ୍ରଭାବିତ କରିବା ଭଳି କୌଣସି ପ୍ରମାଣ ମିଳିନାହିଁ। ଆୟୋଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡିନ୍ ଲିଭ୍‌ନେ ସୂଚନା ଦେଇଛନ୍ତି ଯେ, ପ୍ରତ୍ୟେକଟି ଅଭିଯୋଗକୁ ବ୍ୟକ୍ତିଗତ ଭାବରେ ଗମ୍ଭୀରତାର ସହ ଯାଞ୍ଚ କରାଯାଇଥିଲା। ମାତ୍ର ନିର୍ବାଚନ ଫଳାଫଳକୁ ନାକଚ କରିବା ଭଳି କୌଣସି ଆଧାର ମିଳିନାହିଁ। 

ଏହି ନିର୍ବାଚନ ଫଳାଫଳକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରାଯାଇଛି । କିନ୍ତୁ  ବିଦେଶୀ ହସ୍ତକ୍ଷେପ ଅଭିଯୋଗର ଅନ୍ୟ ଏକ ଯାଞ୍ଚ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ‘ଶିନ୍ ବେଟ୍’ଦ୍ୱାରା ଜାରି ରହିଛି। ଅନ୍ୟପଟେ, ନିର୍ବାଚନ ଫଳାଫଳ ଆନୁଷ୍ଠାନିକ ଭାବରେ ଘୋଷଣା ହେବା ପରେ ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ସରକାର ଗଠନ ପାଇଁ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବାକୁ ଯାଉଛନ୍ତି। 

ଦୁଇ ଦିନର ପରାମର୍ଶ ପରେ ରାଷ୍ଟ୍ରପତି ସେହି ନେତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ, ଯେଉଁମାନଙ୍କ ମେଣ୍ଟ ସରକାର ଗଢ଼ିବାର ସବୁଠାରୁ ଅଧିକ ସମ୍ଭାବନା ଥିବ। ଏହି ଦୌଡ଼ରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ୟାଶାର ପାର୍ଟିର ଅଧ୍ୟକ୍ଷ ଗାଦି ଆଇଜେନ୍‌କୋଟ୍ ଆଗଧାଡ଼ିରେ ରହିଛନ୍ତି। ସଂସଦରେ କୌଣସି ଗୋଟିଏ ବି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନାହିଁ ।

ଏଭଳି ସ୍ଥିତିରେ ନେତାନ୍ୟାହୁ ଏବଂ ଆଇଜେନ୍‌କୋଟ୍‌ଙ୍କ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ହୋଇପାରେ କିମ୍ବା ଆଇଜେନ୍‌କୋଟ୍ ଆରବ-ନେତୃତ୍ୱାଧୀନ ଦଳଗୁଡ଼ିକର ସହଯୋଗରେ ସରକାର ଗଢ଼ିପାରନ୍ତି। ଯଦି ଦୁହିଁଙ୍କ ମଧ୍ୟରୁ କେହି ବି ସରକାର ଗଢ଼ିବାରେ ସଫଳ ନ ହୁଅନ୍ତି, ତେବେ ଆସନ୍ତା ବର୍ଷ ପ୍ରାରମ୍ଭରେ ଇସ୍ରାଏଲ୍‌ରେ ପୁଣି ସାଧାରଣ ନିର୍ବାଚନର ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି, ନେତାନ୍ୟାହୁଙ୍କ ଦଳ ଏବଂ ଆରବ-ନେତୃତ୍ୱାଧୀନ ଦଳଗୁଡ଼ିକ ମଧ୍ୟରେ ଭଲ ସଂପର୍କ ନାହିଁ । ବିଦେଶୀ ହସ୍ତକ୍ଷେପରେ ସେଗୁଡ଼ିକ ଭୋଟ ହାତେଇଥିବା ନେଇ ନେତାନ୍ୟାହୁଙ୍କ ଲିକୁଡ୍‌ ପାର୍ଟି ଅଭିଯୋଗ କରିଆସିଛି।

ଇସ୍ରାଏଲରେ ସରକାର ଗଢ଼ିବାକୁ ହେଲେ, ଏକ ଦଳକୁ ୬୧ ସିଟ୍‌ ଆବଶ୍ୟକ । କିନ୍ତୁ ଲିକୁଡ୍‌ ପାର୍ଟି ୫୩ ସିଟ୍‌ ପାଇ ଆଗରେ ଥିଲେ ବି, ସଂଖ୍ୟା ଗରିଷ୍ଠତା ନାହିଁ । ସେହିଭଳି ବିରୋଧୀ ୟାଶାର ଦଳ ୪୮ଟି ଆସନରେ ବିଜୟୀ ହୋଇଛି । ଏଭଳି ପରିସ୍ଥିତିରେ ଇସ୍ରାଏଲରେ ନୂଆ ସରକାର ଗଠନ କରିବା ଲାଗି କିଙ୍ଗମେକର ଭୂମିକାରେ ରହିଛନ୍ତି ଦୁଇ ଆରବ-ନେତୃତ୍ୱାଧୀନ ଦଳ । ଏହି ମେଣ୍ଟ ୧୯ଟି ଆସନରେ ଜିତ୍‌ ହାସଲ କରିଛି ।