ଇସଲାମାବାଦ: ପାକିସ୍ତାନରେ ଏକ ବଡ଼ ଧରଣର ସାମରିକ ଗତିବିଧି ପରିଲଖିତ ହୋଇଛି। ଦୀର୍ଘ ୬୦ ଘଣ୍ଟା ଧରି ତୁର୍କୀଏ ଓ ଚୀନ ପାକିସ୍ତାନରେ ସାମରିକ ଉଡ଼ାଣ ଭରିଛନ୍ତି। ଏହି ସାମରିକ ବିମାନର ଅସାଧାରଣ ଚଳାଚଳକୁ ନେଇ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଛନ୍ତି। ସନ୍ଦେହ କରାଯାଉଛି ଯେ ପାକିସ୍ତାନରେ ଏହି ମିତ୍ର ରାଷ୍ଟ୍ର ଦ୍ୱୟ ପାକିସ୍ତାନକୁ ବିପୁଳ ମାତ୍ରାରେ ଯୁଦ୍ଧାସ୍ତ୍ର ଦେଇଛନ୍ତି।

ଏହି ଦୁଇ ଦେଶର ଭାରୀ ସାମରିକ ପରିବହନ ବିମାନ ପାକିସ୍ତାନର ବିଭିନ୍ନ ଏୟାରବେସ୍ରେ ଅବତରଣ କରିବା ସହ ଅନେକ ଥର ଉଡ଼ାଣ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ପ୍ରାୟ ୬୦ ଘଣ୍ଟା ଧରି ଜାରି ରହିଥିଲା ବୋଲି ବିଭିନ୍ନ ରିପୋର୍ଟରୁ ଖବର ପ୍ରକାଶ ପାଇଛି। ତେବେ ଏହି ଅପରେସନର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କ’ଣ ଥିଲା କିମ୍ବା ବିମାନଗୁଡ଼ିକ ପାକିସ୍ତାନରେ କ’ଣ ପହଞ୍ଚାଇଛନ୍ତି, ସେନେଇ କୌଣସି ସରକାରୀ ସ୍ପଷ୍ଟତା ମିଳି ନଥିବା ବେଳେ ଭାରତ କିନ୍ତୁ ସତର୍କ ହୋଇଛି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରେ ସୁରକ୍ଷା ସୂତ୍ରରୁ ଖବର ନେଇ କୁହାଯାଇଛି ଯେ ଏହି ବିମାନଗୁଡ଼ିକ ମାଧ୍ୟମରେ ପାକିସ୍ତାନକୁ ସାମରିକ ଉପକରଣ, ଡ୍ରୋନ୍ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ପହଞ୍ଚାଯାଇଥାଇପାରେ। ରିପୋର୍ଟ ଅନୁସାରେ, ଚୀନର ସାମରିକ ପରିବହନ ବିମାନଗୁଡ଼ିକ ରାୱଲପିଣ୍ଡି ନିକଟସ୍ଥ ନୁର ଖାନ୍ ଏୟାରବେସ୍ ଏବଂ କରାଚିର ମାସରୁର ଏୟାରବେସ୍ରେ ଅବତରଣ କରିଥିବା ଦେଖାଯାଇଥିଲା। ଏହା ସହିତ ତୁର୍କୀର ସାମରିକ ପରିବହନ ବିମାନ ମଧ୍ୟ ଏହି ଚଳାଚଳରେ ସାମିଲ ଥିବା ଦାବି କରାଯାଇଛି।

ମିଡିଆ ରିପୋର୍ଟରେ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁସାରେ ଚୀନର ସାମରିକ ବିମାନ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍ରେ ଅବତରଣ କରିଥିବା ନଜରକୁ ଆସିଛି। ଏହି ଚଳାଚଳ ପଛରେ ସାମରିକ ଉପକରଣ ପରିବହନ ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି ସୁରକ୍ଷା ମହଲରେ ଆଶଙ୍କା ପ୍ରକାଶ ପାଇଛି। ଦୀର୍ଘ ୬୦ ଘଣ୍ଟା ଧରି ଚାଲିଥିବା ଏହି ଗତିବିଧି ଉପରେ ଭାରତ କଡ଼ା ନଜର ରଖିଛି।

Also Read- ଭାରତକୁ ବଡ଼ ସଫଳତା; ଗୋଟିଏ ଦଶନ୍ଧିରେ ଚୀନକୁ ଟପିଛି ଭାରତ, ତଥାପି ରହିଛି ବଡ ଚ୍ୟାଲେଞ୍ଜ୍

ପାକିସ୍ତାନକୁ ଚୀନ କ’ଣ ଦେଇପାରେ?

ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥାରେ ଚୀନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ଚୀନଠାରୁ ଯୁଦ୍ଧବିମାନ, ଏୟାର ଡିଫେନ୍ସ ସିଷ୍ଟମ୍ ଏବଂ ମାନବବିହୀନ ବିମାନ (UAV) ସମେତ ବିଭିନ୍ନ ସାମରିକ ଉପକରଣ ହାସଲ କରିଆସୁଛି। ଗତବର୍ଷ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ପରେ ଉଭୟ ଦେଶଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ଗଭୀର ହୋଇଥିଲା। ସେହି ସମୟରେ ପାକିସ୍ତାନକୁ ଚୀନର ବିମାନ ଶିଳ୍ପ ସହ ଜଡ଼ିତ କର୍ମଚାରୀମାନେ ବୈଷୟିକ ସହାୟତା ଦେଇଥିବା କଥା ମଧ୍ୟ ଚୀନ ସ୍ୱୀକାର କରିଥିଲା।

ଏହି ପରିପ୍ରେକ୍ଷୀରେ ଚୀନ ପାକିସ୍ତାନକୁ ନୂଆ ଏୟାର ଡିଫେନ୍ସ ସିଷ୍ଟମ୍ କିମ୍ବା ଅନ୍ୟାନ୍ୟ ସାମରିକ ସାମଗ୍ରୀ ପଠାଇଛି କି ନାହିଁ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ଚୀନ ନିର୍ମିତ HQ-9B ଏୟାର ଡିଫେନ୍ସ ସିଷ୍ଟମ୍ ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠୁଛି।

ତୁର୍କୀର ଭୂମିକାକୁ ନେଇ ମଧ୍ୟ ନଜର

କେବଳ ଚୀନ ନୁହେଁ, ତୁର୍କୀର ସାମରିକ ପରିବହନ ବିମାନ ଏହି ଅପରେସନରେ ସାମିଲ ଥିବା ଦାବି ମଧ୍ୟ ଗୁରୁତ୍ୱ ବହନ କରୁଛି। ପାକିସ୍ତାନ ଓ ତୁର୍କୀ ମଧ୍ୟରେ ଗତ କିଛି ବର୍ଷ ଧରି ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଛି। ମେ’ ମାସରେ ପାକିସ୍ତାନର ବାୟୁସେନା ମୁଖ୍ୟ ତୁର୍କୀ ଗସ୍ତ କରି ପ୍ରତିରକ୍ଷା, ଏରୋସ୍ପେସ୍ ଟେକ୍ନୋଲୋଜି, ମାନବବିହୀନ ବ୍ୟବସ୍ଥା ଏବଂ ନୂଆ ସାମରିକ ଟେକ୍ନୋଲୋଜୀ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ।

ଏହାଛଡ଼ା ଅଗଷ୍ଟ ୭ରେ ପାକିସ୍ତାନ, ତୁର୍କୀ ଓ ସାଉଦି ଆରବ ମଧ୍ୟରେ ମକ୍କା ଯୁକ୍ତ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିବା କଥା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଚୁକ୍ତି ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହାକୁ ସମସ୍ତଙ୍କ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ।

ଭାରତ ପାଇଁ କାହିଁକି ଚିନ୍ତାର ବିଷୟ?

ଚୀନ ଓ ତୁର୍କୀର ସାମରିକ ପରିବହନ ବିମାନର ଏପରି ବଡ଼ ପରିମାଣର ଚଳାଚଳ, ବିଶେଷକରି ଅଳ୍ପ ସମୟ ମଧ୍ୟରେ ଏକାଧିକ ଏୟାରବେସ୍ରେ ବିମାନ ଅବତରଣ, ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ନଜର ରଖିବାର ବିଷୟ ହୋଇଛି।

ତେବେ ଏହି ବିମାନଗୁଡ଼ିକ ପାକିସ୍ତାନକୁ ନିଶ୍ଚିତ ଭାବରେ ଅସ୍ତ୍ର କିମ୍ବା ନୂଆ ଏୟାର ଡିଫେନ୍ସ ସିଷ୍ଟମ୍ ପହଞ୍ଚାଇଛନ୍ତି କି ନାହିଁ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟତା ମିଳିନାହିଁ। ତେଣୁ ଏହି ଏୟାରଲିଫ୍ଟର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏବେ ମଧ୍ୟ ସନ୍ଦେହରେ। ତଥାପି ୬୦ ଘଣ୍ଟା ଧରି ଚାଲିଥିବା ଏହି ଅସାଧାରଣ ସାମରିକ ବିମାନ ଚଳାଚଳ ଭାରତୀୟ ସୁରକ୍ଷା ବ୍ୟବସ୍ଥାର ନଜରକୁ ଆସିଛି।

Also Read- Bangladesh President: ବାଂଲାଦେଶର ନୂଆ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତା’ପରେ ସିନ୍ଧୁ ନଦୀ ଜଳ ବନ୍ଦ ରଖିଥିବାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଅନେକ ସମୟରେ ପାକିସ୍ତାନ ଭାରତକୁ ଯୁଦ୍ଧ ଧମକ ଦେଉଥିବା ବେଳେ ଭାରତ ମଧ୍ୟ ବାରମ୍ବାର ଚେତାବନୀ ଦେଇ ଆସୁଛି। ତେଣୁ ପାକିସ୍ତାନରେ ହୋଇଥିବା ଏହି ହଲଚଲ ଭବିଷ୍ୟତର ଯୁଦ୍ଧ ପ୍ରସ୍ତୁତି ଯେ ହୋଇ ନଥିବା ଏକଥା ଅସ୍ୱୀକାର କରାଯାଇ ନପାରେ।