ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଏକ ବଡ଼ ଶିକାର ହୋଇଛନ୍ତି ଦେଶର ଦୁଇ ପ୍ରଭାବଶାଳୀ ନେତା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗହେ(Wei Fenghe) ଏବଂ ଲି ସାଙ୍ଗଫୁ (Li Shangfu)ଙ୍କୁ ଗୁରୁବାର ଦିନ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହି ଦଣ୍ଡାଦେଶ ଉପରେ ଦୁଇ ବର୍ଷର ରୋକ୍ ଲଗାଯାଇଛି।

ପୂରା ମାମଲା କଣ ?

ରଏଟର୍ସର ରିପୋର୍ଟ ଅନୁଯାୟୀ, ଚୀନର ସରକାରୀ ଗଣମାଧ୍ୟମ କହିଛି ଯେ, ଏହି ଦୁଇ ପୂର୍ବତନ ମନ୍ତ୍ରୀ ନିଜ ପଦବୀର ଅପବ୍ୟବହାର କରି କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିଲେ। ସାମରିକ ସରଞ୍ଜାମ କିଣାବିକା ଏବଂ ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ଅନିୟମିତତା କରିଥିଲେ। ଏସବୁ ଅଭିଯୋଗରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଦଣ୍ଡ ସ୍ଵରୂପ ମୃତ୍ୟୁଦଣ୍ଡା ମିଳିବାର ଦୁଇ ବର୍ଷର ସମୟସୀମା ପରେ, ଯଦି ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆସେ, ତେବେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇପାରେ। ତେବେ ଏହି ଆଜୀବନ କାରାଦଣ୍ଡରେ କୌଣସି ପାରୋଲ୍ ବା ଦଣ୍ଡ କୋହଳର ସୁବିଧା ମିଳିବ ନାହିଁ।

ରାଜନାଥ ସିଂଙ୍କୁ ଭେଟିଥିଲେ ଲି ସାଙ୍ଗଫୁ

ଏହି ଘଟଣାର ଭାରତ ସହ ଏକ ସଂଯୋଗ ରହିଛି। ଦଣ୍ଡିତ ହୋଇଥିବା ଜେନେରାଲ ଲି ସାଙ୍ଗଫୁ ୨୦୨୩ ମସିହାରେ ଭାରତ ଗସ୍ତରେ ଆସିଥିଲେ। ନୂଆଦିଲ୍ଲୀରେ ଆୟୋଜିତ ଏସସିଓ (SCO) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅବସରରେ ସେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଏହା ଥିଲା ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ସାମରିକ ଆଲୋଚନା।

କାହିଁକି ଏଭଳି କଠୋର ପଦକ୍ଷେପ ନେଉଛନ୍ତି ଜିନପିଙ୍ଗ ?

୨୦୧୨ରେ କ୍ଷମତାକୁ ଆସିବା ପରେ ଶି ଜିନପିଙ୍ଗ ଚୀନ ସେନା (PLA) ମଧ୍ୟରୁ ଦୁର୍ନୀତି ହଟାଇବାକୁ ମୁଖ୍ୟ ଲକ୍ଷ୍ୟ କରିଛନ୍ତି। ବିଶେଷ କରି ମିସାଇଲ ଏବଂ ଆଣବିକ ଶକ୍ତି ସମ୍ପନ୍ନ ୟୁନିଟଗୁଡ଼ିକରେ ହେଉଥିବା ଦୁର୍ନୀତିକୁ ସେ ବରଦାସ୍ତ କରୁନାହାନ୍ତି। ସେନା ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ପ୍ରତି ଅତୁଟ ନିଷ୍ଠା ବଜାୟ ରଖିବା ଏବଂ ବିଶ୍ୱ ସ୍ତରରେ ଚୀନ ସେନାର ପ୍ରଭାବକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ସି ଜିନପିଙ୍ଗ ସରକାର ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଚୀନ ସରକାର ଅନ୍ୟ ସାମରିକ ଅଧିକାରୀମାନଙ୍କୁ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଦେଶର ସୁରକ୍ଷା ଏବଂ ସେନା ମଧ୍ୟରେ କୌଣସି ପ୍ରକାରର ଅନିୟମିତତାକୁ କ୍ଷମା କରାଯିବ ନାହିଁ।