ନୂଆଦିଲ୍ଲୀ:ଆସନ୍ତା କିଛି ମାସ ମଧ୍ୟରେ ଚୀନ ବଲୋଚିସ୍ତାନରେ ସୈନ୍ୟ ମୁତୟନ କରିବାକୁ ଯାଉଛି। ଯାହା ଉଭୟ ବଲୋଚିସ୍ତାନ ଓ ଭାରତ ପାଇଁ ଗୋଟେ ଆସନ୍ନ ବିପଦ। ବଲୋଚିସ୍ତାନ ନେତା ମିର ୟାର ବଲୋଚ ଏନେଇ ଚେତାବନୀ ଜାରି କରି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଖୋଲା ଚିଠି ଲେଖିଛନ୍ତି।

ଚିଠିରେ ତାରିଖ ୨୦୨୬ ଜାନୁଆରୀ ୧ ରହିଛି। ଏଥିରେ ମିର ୟାର ବଲୋଚ ନିଜକୁ ରିପବ୍ଲିକ ଅଫ୍ ବଲୋଚିସ୍ତାନର ପ୍ରତିନିଧି ଦର୍ଶାଇ ଚିନ୍ତା ବ୍ୟକ୍ତ କରି ଲେଖିଛନ୍ତି ଯଦି ଏହିଭଳି ନିୟମିତ ଭାବେ ବଲୋଚିସ୍ତାନର ପ୍ରତିରକ୍ଷା ଓ ସ୍ୱାଧୀନତା ଆଭିମୁଖ୍ୟକୁ ଅଣଦେଖା କରାଗଲା, ତେବେ ଚୀନ ବଲୋଚିସ୍ତାନରେ ସୈନ୍ୟ ମୁତୟନ କରିପାରେ। ଆଉ ଚୀନର ଏହି ପଦକ୍ଷେପ ଉଭୟ ବଲୋଚିସ୍ତାନ ଓ ଭାରତର ଭବିଷ୍ୟତ ପାଇଁ ଅକଳ୍ପନୀୟ କ୍ଷତି ବୋଲି ସେ କହିଛନ୍ତି।

ସେ ଚିଠିରେ ଲେଖିଛନ୍ତି “ଯଦି ବଲୁଚିସ୍ତାନର ପ୍ରତିରକ୍ଷା ଏବଂ ସ୍ୱାଧୀନତା ବାହିନୀର କ୍ଷମତାକୁ ଆହୁରି ବୃଦ୍ଧି କରା ନଯାଏ ଏବଂ ଯଦି ଦୀର୍ଘକାଳୀନ ପଦ୍ଧତି ଅନୁଯାୟୀ ସେମାନଙ୍କୁ ଅଣଦେଖା କରାଯାଏ, ତେବେ ଚୀନ୍ କିଛି ମାସ ମଧ୍ୟରେ ବଲୁଚିସ୍ତାନରେ ତାର ସାମରିକ ବାହିନୀ ମୁତୟନ କରିପାରେ ବୋଲି ଅନୁମାନ କରାଯାଉଛି। ୬୦ ନିୟୁତ ବଲୁଚିସ୍ତାନବାସୀଙ୍କ ଇଚ୍ଛା ବିନା ବଲୋଚ ମାଟିରେ ଚୀନ୍ ସେନାର ଉପସ୍ଥିତି, ଭାରତ ଏବଂ ବଲୁଚିସ୍ତାନ ଉଭୟର ଭବିଷ୍ୟତ ପାଇଁ ଏକ ଅକଳ୍ପନୀୟ ବିପଦ ଏବଂ ଚ୍ୟାଲେଞ୍ଜ ସୃଷ୍ଟି କରିବ।”

ସେହିଭଳି ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ଉପରେ ଚିନ୍ତା ପ୍ରକାଶ କରି ସେ ଚେତାବନୀ ଦେଇଛନ୍ତି। ମିର ୟାର ବଲୋଚ ଲେଖିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ରଣନୈତିକ ଚୁକ୍ତି ସିପିଇସି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାହା ପରିସ୍ଥିତିକୁ ଅଧିକ ବିପଦପୂର୍ଣ୍ଣ କରିଦେଇଛି। ତେଣୁ ସେ ଭାରତ ଏବଂ ବଲୁଚିସ୍ତାନ ମଧ୍ୟରେ ବର୍ତ୍ତମାନ, ପାରସ୍ପରିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। କାରଣ ଉଭଯ ଦେଶ ସମାନ ବିପଦକୁ ସାମ୍ନା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି।

ଚିଠିରେ ଭାରତର ସହଯୋଗ ସେ ଆଶା କରିଛନ୍ତି। ଏବଂ ଭାରତ ଓ ବଲୁଚିସ୍ତାନ ମଧ୍ୟରେ ଶତାଧିକ ବର୍ଷ ପୁରୁଣା ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଉଲ୍ଲେଖ କରିଛନ୍ତି। ସେ ହିଙ୍ଗଲାଜ ମାତା ମନ୍ଦିର (ନାନୀ ମନ୍ଦିର) ଭଳି ପବିତ୍ର ସ୍ଥଳଗୁଡ଼ିକୁ ସହଭାଗୀ ଐତିହ୍ୟର ପ୍ରତୀକ ଭାବରେ ଉଲ୍ଲେଖ କରିଛନ୍ତି।

ବଲୋଚ ଲେଖିଥିବା ଚିଠିରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକ ପ୍ରାୟୋଜିତ ଆତଙ୍କବାଦ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ସେ ମୋଦୀ ସରକାରଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ ସରକାର ଆଞ୍ଚଳିକ ସୁରକ୍ଷା ଏବଂ ନ୍ୟାୟ ପ୍ରତି ଅନୁକରଣୀୟ ସାହସ ଏବଂ ଦୃଢ଼ ପ୍ରତିବଦ୍ଧତା ଦେଖାଇଛନ୍ତି।

ଚିଠିର ଶେଷରେ ମୀର ୟାର ବଲୋଚ ଭାରତ ଓ ବଲୋଚିସ୍ତାନକୁ ଦୁଇଟି ମହାନ ଦେଶ ବୋଲି ଅଭିହିତ କରିବା ସହିତ ସମ୍ପର୍କ ମଜଭୁତ କରିବାକୁ ଆଶା ବ୍ୟକ୍ତ କରିଛନ୍ତି।