ନୂଆଦିଲ୍ଲୀ: ଉତକ୍ଷେପଣର ମାତ୍ର ୮୫ ସେକେଣ୍ଡ ମଧ୍ୟରେ ଚୀନର 'ଲଙ୍ଗ ମାର୍ଚ୍ଚ ୭ଏ' ରକେଟ୍ ଆକାଶରେ ବିସ୍ଫୋରଣ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଏହା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଯୋଗୁଁ ରକେଟରେ ଥିବା ଏକ ଅଜ୍ଞାତ ପେଲୋଡ୍ ନଷ୍ଟ ହୋଇଯାଇଛି।

ସୋମବାର (ଅଗଷ୍ଟ ୧୦) ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫:୩୦ରେ ହାଇନାନ୍ ଦ୍ୱୀପର ୱେନଚାଙ୍ଗ ଉପକୂଳରେ ସ୍ପେସପୋର୍ଟରୁ ଏହି ରକେଟର ଉତକ୍ଷେପଣ କରାଯାଇଥିଲା। ଏଥିପାଇଁ ପୂର୍ବରୁ ଆକାଶମାର୍ଗ ବନ୍ଦ ରଖିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ଜଣେ ସାଧାରଣ ନାଗରିକଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରୁ ଜଣାପଡ଼ିଛି ଯେ, ଉଡ଼ାଣ ଆରମ୍ଭର ପ୍ରାୟ ୮୫ ସେକେଣ୍ଡ ପରେ ଆକାଶରେ ପ୍ରବଳ ବିସ୍ଫୋରଣ ଘଟିଥିଲା।

ସେପଟେ ଚୀନ୍ ଏହି ବିଫଳତାକୁ ଏପର୍ଯ୍ୟନ୍ତ ସ୍ୱୀକାର କରିନାହିଁ କିମ୍ବା ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହାଁନ୍ତି। ତେବେ ସରକାରୀ ପ୍ରସାରଣ ସଂସ୍ଥା 'ଚାଇନା ନ୍ୟାସନାଲ ରେଡିଓ' (CNR) ଅନୁଯାୟୀ, ଏହି ରକେଟ୍‌ରେ 'ଝୋଙ୍ଗସିଂ-୪ବି' (Zhongxing-4B) ସାଟେଲାଇଟ୍ ପଠାଯାଉଥିଲା। ଏହି ସାଟେଲାଇଟଗୁଡ଼ିକ ଚୀନ୍ ସେନାର ଯୋଗାଯୋଗ ପାଇଁ ବ୍ୟବହୃତ ହୋଇଥାଏ। ସୂଚନାଯୋଗ୍ୟ, ୨୦୨୬ ମସିହାରେ ଚୀନର ଏହା ୫୬ତମ ମହାକାଶ ଅଭିଯାନ ପ୍ରଚେଷ୍ଟା ଥିଲା ଏବଂ ଏହା ଚତୁର୍ଥ ବିଫଳତା।