ଟାଙ୍ଗୀ: ଆଜିକୁ ଦୀର୍ଘ ୨୫ ବର୍ଷ ତଳର ଘଟଣା। ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମର ଘୋଡ଼ା ଦୌଡ଼ ପେଣ୍ଠରେ ଘଟିଥିଲା ପୋଲିସ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଘଟିଥିଲା ନ୍ୟାୟର ଲଢ଼େଇ। ଏହି ଲଢ଼େଇରେ ଯାଇଥିଲା ଅନେକଙ୍କ ଜୀବନ। ଯାହାକୁ ମନେ ପକାଇ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମବାସୀ ପାଳୁଛନ୍ତି ସହିଦ ଦିବସ।

ଘଟଣା ଥିଲା ଏମିତି.... ସୋରଣ ଗ୍ରାମର ଚିଲିକା କୂଳରେ ରହିଛି ଘୋଡ଼ା ଦୌଡ଼ ପେଣ୍ଠ। ସୋରଣ ଗ୍ରାମର ବାସିନ୍ଦାମାନେ ମୁଖ୍ୟତଃ ମତ୍ସ୍ୟଜୀବୀ କୂଳର ହୋଇଥିବାରୁ ସେମାନେ ଚିଲିକା ଉପରେ ନିର୍ଭର କରି ପେଟ ପୋଷୁଥିଲେ। ମାତ୍ର  ଚିଲିକା ମଧ୍ୟରେ କେତେକ ଅଣ ମତ୍ସ୍ୟଜୀବୀ ଜବରଦସ୍ତ ପ୍ରବେଶ କରି ଜବରଦଖଲ କରି ଚିଙ୍ଗୁଡ଼ିଚାଷ କରି ମାଫିଆରାଜ୍ ଚଳାଇବା ଆରମ୍ଭ କରିଥିଲେ। ଯାହାକୁ ବିରୋଧ କରିଥିଲେ ମତ୍ସ୍ୟଜୀବୀମାନେ । ଏମିତିରେ ନେଇ ମତ୍ସ୍ୟଜୀବୀ ଓ ଅଣ-ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ବିବାଦ ଘନେଇଲା ।

ଏହି ବିବାଦ ଉଗ୍ରରୂପ ଧାରଣ କରିବାରୁ ମତ୍ସ୍ୟଜୀବୀମାନଙ୍କ ମୁହଁ ବନ୍ଦ କରିବା ପାଇଁ ସେତେବେଳେ ପ୍ରଶାସନ ପକ୍ଷରୁ ପୋଲିସ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କ ଉପରେ ଗୁଳିକାଣ୍ଡ କରାଗଲା । ଏଥିରେ ୫ ଜଣ ମତ୍ସ୍ୟଜୀବୀ ମୃତ୍ୟୁ ବରଣ କଲେ। ସେତେବେଳେ ଏହି ଘଟଣା ସାରା ଭାରତ ବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଥିଲା। ୧୯୯୯ ମସିହା ମେ' ମାସ ୨୯ ତାରିଖର ସେହି ଘଟଣା ତଥା ମତ୍ସ୍ୟଜୀବୀଙ୍କ ସ୍ମୃତିରେ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ଶୁକ୍ରବାର ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ସୋରଣ ଗ୍ରାମରେ ନଗର କୀର୍ତ୍ତନ କରାଯିବା ପରେ ସହିଦ ମତ୍ସ୍ୟଜୀବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଂଘର ସଭ୍ୟମାନେ କୁହନ୍ତି, ଯେଉଁ ମତ୍ସ୍ୟଜୀବୀ ଚିଲିକା ପାଇଁ ସହିଦ ହୋଇଥିଲେ । ଚିଲିକା ହେଉଛି କେବଳ ମତ୍ସ୍ୟଜୀବୀ ମାନଙ୍କର। ଆମ ଚିଲିକାକୁ କେହି ଯଦି ଆମ ମାନଙ୍କ ଠାରୁ ଛଡାଇ ନେବାକୁ ଚେଷ୍ଟା କରିବ ତେବେ ଆମେ ଲଢ଼େଇ କରିବୁ । ନିଜର ହକ୍ ପାଇଁ କେବେ-ବି' ପଛଘୁଞ୍ଚା ଦେବୁ ନାହିଁ , ଦରକାର ପଡିଲେ ଚିଲିକା ପାଇଁ ଜୀବନ ଦେବୁ ।

ସୂଚନାଥାଉକି, ସହିଦ ତଥା ମୃତ ମତ୍ସ୍ୟଜୀବୀମାନେ ହେଉଛନ୍ତି ସୋରଣ ଗ୍ରାମର ୧- ପ୍ରମିଳା ବେହେରା , ୨- ବାଞ୍ଛାନିଧି ବେହେରା , ୩- ଲିଙ୍ଗରାଜ ବେହେରା , ୪- ଭୂଷଣ୍ଡପୁର ଗ୍ରାମର ସୁଦର୍ଶନ ବେହେରା , ୫- ଦିଗାମ୍ବର ବେହେରା ।

​​​​​​​