କିଶୋରଗଞ୍ଜ: ବାଂଲାଦେଶ କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନରେ ଘଟି ଯାଇଛି ଅଭାବନୀୟ ଘଟଣା। ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିବା ବେଳେ ପ୍ଲାଟଫର୍ମ କଡ ଟ୍ରେନ ଲାଇନକୁ ଗଳିପଡିଲେ ପିତାପୁତ୍ର। ସେପଟୁ ଦ୍ରୁତବେଗରେ ମାଡିଆସୁଥିବା ଟ୍ରେନ। କାଳ ବିଳମ୍ବ ନକରି ପିତା ଟ୍ରେନଲାଇନ କଡରେ ପିଲାକୁ କୋଳରେ ଧରି ଶୋଇଗଲା। ଟ୍ରେନ ଯିବା ପରେ ଲୋକେ ଉଦ୍ଧାର ପାଇଁ ଦୌଡି ଆସିଲେ। ଦେଖିଲେ ବାପ ପିଲା ସୁରକ୍ଷିତ ଅଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଏବେ ଭାଇରାଲ ହୋଇଯାଇଛି।

ଅଲଜଜିରା ରିପୋର୍ଟ ଅନୁସାରେ ମୃତ୍ୟୁରୁ ମାତ୍ର କିଛିକ୍ଷଣ ଦୂରରେ ଯେତେବେଳେ ମାଡି ଆସୁଥିବା ଟ୍ରେନକୁ ଦେଖି ହାତପାଦ ଶିତଳ ହୋଇଯିବା କଥା ପିତା ମୃତ୍ୟୁକୁ ଖାତିର ନକରି ରେଳ ଧାରଣା କଡରେ ଛୁଆକୁ ଧରି ଶୋଇଯାଇଥିଲା। ଫଳରେ ପିଲା ସୁରକ୍ଷିତ ରହିବା ସହ ପିତା ବି ସୁରକ୍ଷିତ ବଞ୍ଚି ଯାଇଛନ୍ତି। ଏହି ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପ୍ତବାକ୍ୟ ‘ଯାହାକୁ ରଖିବେ ଅନନ୍ତ’ କଥାଟି ସତ ହୋଇଛି। ତେବେ ଭୟାନକ କ୍ଷଣର ଫୁଟେଜ ଏବେ ଭାଇରାଲ ହୋଇଯାଇଛି। ସେତେବେଳେ ପ୍ଲାଟଫର୍ମରେ ଛିଡା ହୋଇଥିବା ଲୋକେ ସ୍ତବ୍ଦ ହୋଇଯାଇଥିଲେ। କିଛି ବି କରିବାକୁ କାହା ପାଖରେ ଜୁ ନଥିଲା।

କୁହାଯାଉଛି ଯେଉଁ ଶିଶୁଟିର ପିତା ପ୍ରାଣ ବଞ୍ଚାଇଛି ତାହା ଏକ ପୁତ୍ର ସନ୍ତାନ ଓ ବୟସ ମାତ୍ର ୧ ବର୍ଷ। ପିତା ଏ କ୍ଷେତ୍ରରେ କୌଣସି ଫିଲ୍ନ ହିରୋ ଠାରୁ କମ୍ ଉଦାହରଣ ସୃଷ୍ଟି କରି ନାହାନ୍ତି। ଟ୍ରେନ ଚାଲିଯିବାମାତ୍ରେ ଆଖପାଖରେ ଥିବା ଲୋକେ ତୁରନ୍ତ ପିତାପୁତ୍ରଙ୍କୁ ପ୍ଲାଟଫର୍ମ ତଳୁ ଉଠାଇ ଆଣିଥିଲେ। ଭିଡ ଭିତରୁ ମା ନିଜ ଶିଶୁକୁ କୋଳକୁ ନେଇଯାଇଥିଲା। ହେଲେ ପିତୃତ୍ୱର ଯେଉଁ ଉଦାହରଣ ସୃଷ୍ଟି ହେଲା ତାହା ବାସ୍ତବିକ ଅନନ୍ୟ।

‘ଦି ସନ’ ସମ୍ବାଦପତ୍ର ଅନୁସାରେ ଏହି ଘଟଣା ଏପ୍ରିଲ ୨୮ ତାରିଖ ଦିନ ଭୈରବ ରେଳ ଷ୍ଟେସନରେ ଘଟିଥିଲା। ଯେଉଁ ଟ୍ରେନଟି ଅଚାନକ ମାଡି ଆସିଲା ତାହା ୯୦ ମିନିଟ୍ ବିଳମ୍ବରେ ଚାଲୁଥିଲା। ଏହି ଟ୍ରେନରେ ପିତା,ପୁତ୍ର ଓ ମା ଯାତ୍ରା କରୁଥିଲେ। ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ପିତାଙ୍କ ଚେଷ୍ଟା ଯୋଗୁ ଏଭଳି ଅଘଟଣ ଘଟିଥିଲା। ପିଲାଟି କୋଳରୁ ପ୍ଲାଟଫର୍ମ କଡ ଫାଙ୍କରେ ଲାଇନକୁ ଗଳି ପଡିଥିଲା। ଏହି ଘଟଣା ଷ୍ଟେସନରେ ହଇଚଇ ସୃଷ୍ଟି କରିଥିଲା। ତେବେ ପିତା ତୁରନ୍ତ ଉପସ୍ଥିତ ବୃଦ୍ଧି ପ୍ରୟୋଗ କରି ରେଳ ଲାଇନକଡରେ ପିଲାକୁ କୋଳରେ ଧରି ଶୋଇ ଯାଇଥିଲେ।