ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର  ଟଙ୍କା ମିଳିବା ମାମଲାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ତାଙ୍କ ବିରୋଧରେ ଆଗତ ସମସ୍ତ ତିନୋଟିଯାକ ଅଭିଯୋଗକୁ ପ୍ରମାଣିତ ବୋଲି ଦର୍ଶାଇଛି। ତାଙ୍କ ସରକାରୀ ବାସଭବନରୁ ପ୍ରଚୁର ପରିମାଣର ଟଙ୍କା ମିଳିବା, ପ୍ରମାଣ ନଷ୍ଟ ହେବା ଏବଂ ଏହି ଘଟଣାରେ ଜଷ୍ଟିସ୍ ବର୍ମା ଦେଇଥିବା ସ୍ପଷ୍ଟୀକରଣ ଅସନ୍ତୋଷଜନକ ଏବଂ ଭ୍ରାନ୍ତିକର ଥିବା କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।

୧୪ ମାର୍ଚ୍ଚ ୨୦୨୫ରେ ନୂଆଦିଲ୍ଲୀସ୍ଥିତ ୩୦ ତୁଗଲକ କ୍ରେସେଣ୍ଟରେ ଥିବା ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନର ଏକ ଷ୍ଟୋରରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ସମୟରେ ସେଠାରେ ପ୍ରଚୁର ପରିମାଣର ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ଏହି ଘଟଣାର ତଦନ୍ତ ପାଇଁ 'ବିଚାରପତି (ତଦନ୍ତ) ଆଇନ, ୧୯୬୮'  ଅଧୀନରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ ତଦନ୍ତ କମିଟି ଗଠନ କରିଥିଲେ।

ଅଗ୍ନିକାଣ୍ଡ ପରେ ଷ୍ଟୋରରୁମରୁ ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। ଏହା କୌଣସି ସାଧାରଣ ପରିମାଣର ଟଙ୍କା ନଥିଲା, ବରଂ ନୋଟର ଗାଦି ଥିଲା। ଜଷ୍ଟିସ୍ ବର୍ମା ଏହି ଟଙ୍କାର ଉତ୍ସ, ମାଲିକାନା କିମ୍ବା ସେଠାରେ ଟଙ୍କା ରଖାଯିବାର କାରଣ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଷ୍ଟୋରରୁମଟି ତାଙ୍କ ନିୟନ୍ତ୍ରଣ ବାହାରେ ଥିଲା ବୋଲି ସେ ଦେଇଥିବା ଯୁକ୍ତିକୁ କମିଟି ପ୍ରତ୍ୟାଖ୍ୟାନ କରିବା ସହ ତାହା ତାଙ୍କ ସରକାରୀ ବାସଭବନର ଏକ ଅଂଶ ବୋଲି ସ୍ପଷ୍ଟ କରିଛି।

ନିଆଁ ଲିଭାଯିବା ପରେ ସଂପୃକ୍ତ ଷ୍ଟୋରରୁମକୁ ତୁରନ୍ତ ସିଲ୍ କରାଯାଇନଥିଲା। ପ୍ରାଥମିକ ଉଦ୍ଧାରକାରୀ ଦଳ ଫେରିଯିବା ପରେ ସେହି ସ୍ଥାନକୁ ସଫା କରାଯାଇଥିଲା, ଫଳରେ ଆନୁଷ୍ଠାନିକ ତଦନ୍ତ ବେଳକୁ ସେଠାରୁ ନଗଦ ଟଙ୍କା ଗାଏବ ହୋଇସାରିଥିଲା। ଏହାଦ୍ୱାରା ମୁଖ୍ୟ ପ୍ରମାଣକୁ ସୁରକ୍ଷିତ ରଖାଯାଇପାରିନଥିବା କମିଟି କହିଛି। ସଫେଇ ସମୟରେ ଜଷ୍ଟିସ୍ ବର୍ମାଙ୍କ ନିଜସ୍ୱ ସଚିବ ରାଜେନ୍ଦ୍ର ସିଂହ କାର୍କି ଏବଂ ଘରୋଇ କର୍ମଚାରୀ ମହମ୍ମଦ ରାହିଲ ସେଠାରେ ଉପସ୍ଥିତ ଥିଲେ।

କମିଟି ଦର୍ଶାଇଛି ଯେ, ଜଷ୍ଟିସ୍ ବର୍ମାଙ୍କ ଉତ୍ତରଗୁଡ଼ିକ ଏଡ଼ାଇ ଯିବା ପରି ଏବଂ ଅସମ୍ପୂର୍ଣ୍ଣ ଥିଲା। ଜଣେ ଉଚ୍ଚପଦସ୍ଥ ବିଚାରପତିଙ୍କଠାରୁ ଆଶା କରାଯାଉଥିବା ସତ୍ୟତା ଏବଂ ଦାୟିତ୍ୱବୋଧତା ତାଙ୍କ ଜବାବରେ ପରିଲକ୍ଷିତ ହୋଇନଥିଲା।  ତଦନ୍ତ କମିଟି ଏହି ଟଙ୍କା ଆଇନଗତ ଦୃଷ୍ଟିକୋଣରୁ ସିଧାସଳଖ ଜଷ୍ଟିସ୍ ବର୍ମାଙ୍କର ବୋଲି ସ୍ପଷ୍ଟ ଭାବେ କହିନଥିଲେ ହେଁ, ତାଙ୍କ ଅଧୀନରେ ଥିବା ସରକାରୀ ବାସଭବନରୁ ଏହି ଅଘୋଷିତ ଅର୍ଥ ମିଳିଥିବାରୁ ଏବଂ ସେ ଏହାର କୌଣସି ବୈଧ ସ୍ପଷ୍ଟୀକରଣ ଦେଇପାରିନଥିବାରୁ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଛି ବୋଲି କହିଛି ।