ଭୁବନେଶ୍ୱର: ଚାମେଲିଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ନିର୍ଯାତନା ଦିଆଯାଇଥିଲା। ତାଙ୍କ ଚିକିତ୍ସାରେ ଅବହେଳା ଠାରୁ ଆରମ୍ଭ କରି ବେଡ୍ ପର୍ଯ୍ୟନ୍ତ କଷ୍ଟ ଦିଆଯାଇଥିଲା। ସେ ଅସୁସ୍ଥ ଥିବା କହି ଜେଲ୍ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ଚାମେଲିଙ୍କୁ ପୁଲିସ ପୁଣି ଆଣି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ଏଠାରେ ଭେଷଜ(ମହିଳା) ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ବାରଣ୍ଡାରେ ତଳେ ଗଡ଼ାଇ ଦିଆଯାଇଥିଲା । ଯାହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଶନିବାର ରାତିରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ଅନ୍ୟ ବିଜେଡି ନେତାମାନଙ୍କ ସହ ଶ୍ରୀ ନାୟକ ଚାମେଲିଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଯାଇଥିବାବେଳେ ବାରଣ୍ଡାରେ ତାଙ୍କର ଚିକିତ୍ସା ଚାଲିଥିବା ଦେଖି ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଥିଲେ। ସେହିଠାରୁ ହିଁ ସେ ସିଡିଏମ୍ଓଙ୍କ ସହ ଫୋନ୍ ଯେଗେ କଥା ହୋଇଥିଲେ।

ଅତନୁ କହିଥିଲେ କି- ଯେଉଁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା କଥା କହୁଛନ୍ତି, ତାଙ୍କୁ ଆପଣ ତଳେ କେମିତି ଗଡ଼ାଇ ଦେଇଛନ୍ତି ? ପୁଣି ଚାମେଲି ସୁସ୍ଥ ଥିବା କହି ତାଙ୍କୁ ଡାକ୍ତର କେମିତି ଜେଲ ରହିବାକୁ ଯୋଗ୍ୟ ବୋଲି ଦର୍ଶାଇଲେ। କାହା ଚାପରେ ଏସବୁ କାମ ଚାଲିଛି ? ତୁରମ୍ଭ ଚାମେଲିଙ୍କୁ କ୍ୟାବିନ୍ ଦିଅଯାଉ। ତାଙ୍କୁ ସ୍ବତନ୍ତ୍ର କ୍ୟାବିନ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ଚାମେଲିଙ୍କୁ ଭ୍ୟାନ୍ ଭିତରେ ପୂରାଇ ପୁଲିସ ନିର୍ଯାତନା ଦେଇଛି। ତାଙ୍କୁ ମାଡ଼ ମରାଯାଇଛି । ତାଙ୍କ ଶରୀରରେ ମାଡ଼ର ଚିହ୍ନ ରହିଛି। ଥାନା ଭିତରୁ ବାହାରିବା ପରେ ଚାମେଲିଙ୍କ ଶରୀରରେ ଥିବା ଦାଗ ପୁଲିସର କଳା କରାନାମାର ବଖାଣୁନି ତ ବୋଲି ବିଜେଡି ଅଭିଯୋଗ ଆଣିଛି। ଚାମେଲି ପୁଲିସ ଦ୍ଵାରା ଥାର୍ଡ ଡିଗ୍ରୀର ଶିକାର ହୋଇଥିବା ବିଜେଡି ନେତ୍ରୀ ଇପ୍ସିତା ଅଭିଯୋଗ କରିଛନ୍ତି।

ଚାମେଲିଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମହାକାଳପଡ଼ା ବିଧାୟକଙ୍କ ୭ ସମର୍ଥକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢ଼ଉ କରିଥିଲା। ଏହି ଅଭିଯୋଗରେ ଜଣକୁ ଗିରିଫ କରାଯାଇଛି। ଜୁନ୍ ୧୦ରୁ କେନ୍ଦ୍ରାପଡ଼ା ମେଡିକାଲ୍କୁ ଚାମେଲି ଆସିବା ପରଠାରୁ ପୁଲିସ ତାଙ୍କୁ ନଜରବଦୀରେ ରଖିଛି। ସେ ମେଡିକାଲରେ ଚିକିତ୍ସା ହେବା ସମୟରେ ମହାକାଳପଡ଼ା ପୁଲିସ ଏସ୍ଆଇ ତପସ୍ବିନୀ ବିଶ୍ଵାଳ ତାଙ୍କୁ ନିର୍ଯାତନା ଦେଇଥିଲେ। ପୂର୍ବରୁ ସେ ତାଙ୍କୁ ପୁଲିସ ଭ୍ୟାନ୍ରେ ମଧ୍ୟ ପିଟିଥିଲେ। ମାମଲା ପ୍ରତ୍ୟାହାର କରିନେବାକୁ ତାଙ୍କୁ ଧମକ ଦେଇଥିଲେ।

ଚାମେଲି ଓଝାଙ୍କ ଫୋନ କ'ଣ ଗୁପ୍ତ ତଥ୍ୟ ଓ ରହସ୍ୟ ଅଛି ? କାହିଁକି ଡରୁଛନ୍ତି ପୁଲିସ ଓ ରାଜନେତା ? ଚାମେଲି ମଧ୍ୟ ଫୋନ୍ରେ ଅନେକ ଗୋପନ ତଥ୍ୟ ରହିଥିବା ପୂର୍ବରୁ କହିସାରିଛନ୍ତି। ତେବେ ଏହି ଗୋପନ ତଥ୍ୟ କ'ଣ ଓ ପୁଲିସ ତାକୁ ଗାଏବ କରିଦେବାକୁ ଚାହୁଁଛି। ଯାହା ସ୍ଥାନୀୟ ନେତାଙ୍କୁ ଅକଳରେ ପକାଇପାରେ କି? ଯେଉଁପାଇଁ ପୁଲିସ ଚାମେଲିଙ୍କ ଫୋନ୍ ଜବତ କରି ରଖିଛି। ଚାମେଲିଙ୍କ ଫୋନ୍ ପୁଲିସ ପାଖରେ ଥିବାରୁ ଏଥିରେ ଥିବା ତଥ୍ୟ ଓ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ଆଶଙ୍କା ଉପୁଜିଛି।