ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ମହିଳା ଏସିଆ କପ୍ ମ୍ୟାଚରେ ଶ୍ରୀଲଙ୍କା ଦଳ ଇଣ୍ଡୋନେସିଆକୁ ୭୫ ରନରେ ହରାଇ ଟେବୁଲ ଟପ୍ପର ହୋଇଛି । ଡିଫେଣ୍ଡିଂ ଚାମ୍ପିଅନ ଗ୍ରୁପ୍-ବି’ର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଅଧିନାୟିକା ଚମାରୀ ଅଥାପଥୁଙ୍କ ରେକର୍ଡ ୭-ୱିକେଟ୍ ସଫଳତା ଏବଂ ନିଲାକ୍ଷିକା ସିଲଭାଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ବିଜୟୀ ହୋଇଛି ।

ଧୀମା ପିଚ୍‌ରେ ଶ୍ରୀଲଙ୍କା ୧୨୫ ରନର ଏକ ସାଧାରଣ ଲକ୍ଷ୍ୟ ଦେଇଥିଲା, କିନ୍ତୁ ଅଥାପଥୁ ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ସେ ଚତୁର୍ଥ ଓଭରରେ ବୋଲିଂ କରିବାକୁ ଆସି ନିଜର ପ୍ରଥମ ୱିକେଟ୍ ନେଇଥିଲେ । ସେହିପରି ଷଷ୍ଠ ଓଭରର ପ୍ରଥମ ଦୁଇଟି ବଲରେ ଦୁଇଟି ୱିକେଟ୍ ହାସଲ କରିଥିଲେ । ସେହି ଓଭରରେ ସେ ହ୍ୟାଟ୍ରିକରୁ ବଞ୍ଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଦୁଇଟି ଓଭର ମଧ୍ୟରେ ଲଗାତାର ୩ଟି ବଲରେ ୩ଟି ୱିକେଟ୍ ନେଇ ହ୍ୟାଟ୍ରିକ୍ ପୂରଣ କରିଥିଲେ ।

ଅଥାପଥୁ ୨୧ଟି ବଲରେ ୫ ରନ୍ ଦେଇ ୭ଟି ୱିକେଟ୍ ନେଇଥିଲେ । ଏହାସହ ମହିଳା ଟି-୨୦ ଅନ୍ତର୍ଜାତୀୟରେ ୭ଟି ୱିକେଟ୍ ନେବାରେ ସେ ପ୍ରଥମ ଫୁଲ୍-ମେମ୍ବର ଦେଶର ବୋଲର ହୋଇପାରିଛନ୍ତି । ଏହାପୂର୍ବରୁ ମହିଳା ଟି-୨୦ ଅନ୍ତର୍ଜାତୀୟରେ ଶ୍ରେଷ୍ଠ ବୋଲିଂ ରେକର୍ଡ ଜିମ୍ବାୱେର ଏଷ୍ଟର ମବୋଫାନାଙ୍କ ନାଁରେ ଥିଲା । ୨୦୨୧ରେ ଏସୱାତିନି ବିପକ୍ଷରେ ୧୧ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ ।

ଇଣ୍ଡୋନେସିଆ ଦଳ ମାତ୍ର ୪୯ ରନରେ ଅଲଆଉଟ୍ ହୋଇଯାଇଥିଲା । ରାହମାୱାତୀ ପାଙ୍ଗେଷ୍ଟୁଟି ୧୦ ରନ୍ କରିଥିବା ବେଳେ ନି ମାଡେ ପୁତ୍ରୀ ସୁୱାନ୍ଦେୱୀ ୧୨ ରନ୍ କରି ଅପରାଜିତ ଥିଲେ । ଇଣ୍ଡୋନେସିଆର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନଥିଲେ ।