ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିଯୁକ୍ତ ହେବ ପାଞ୍ଚ ନୂଆ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମ୍ ଦ୍ୱାରା ସୁପାରିଶ କରାଯାଇଥିବା ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିଛନ୍ତି । ଏହି ନୂଆ ନିଯୁକ୍ତି ହେବା ପରେ ସର୍ବୋଚ୍ଚ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇବ ।

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସରେ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ହାଇକୋର୍ଟର ଚାରିଜଣ ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ମହିଳା ଆଇନଜୀବୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ସମ୍ୱିଧାନ ଧାରା ୧୨୪ (୨) ଅଧିନରେ ନିଯୁକ୍ତ କରିଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କରାଯାଇଥିବା ସୁପାରିଶକୁ ଭିତ୍ତି କରି ଏହି ନିଯୁକ୍ତିଗୁଡ଼ିକ କରାଯାଇଛି ।

ନୂଆ ନିଯୁକ୍ତି ପାଇଥିବା ବିଚାରପତିମାନଙ୍କ ମଧ୍ୟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଲ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ସଚ୍ଚଦେବା ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପଲ୍ଲୀ ସାମିଲ ଅଛନ୍ତି । ସେହିପରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ବିଚାରପତି ଭାବେ ପଦୋନ୍ନତି କରାଯାଇଛି । ବରିଷ୍ଠ ଆଇନଜୀବୀ ମୋହନା ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ଆଇନଜୀବୀ, ଯିଏ ସିଧାସଳଖ ଓକିଲା ସଂଘରୁ ସୁପ୍ରିମକୋର୍ଟର ବିଚାରପତି ପଦବୀକୁ ଉନ୍ନୀତ ହୋଇଛନ୍ତି ।

ନିକଟରେ ସଂସଦ ଦ୍ୱାରା ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ଅଧିନିୟମ ପାରିତ ହେବା ପରେ, ସର୍ବୋଚ୍ଚ ଅଦାଲତର ସ୍ୱୀକୃତିପ୍ରାପ୍ତ ସମୁଦାୟ ବିଚାରପତି ସଂଖ୍ୟାକୁ ପ୍ରଧାନ ବିଚାରପତିଙ୍କ ସମେତ ୩୪ରୁ ୩୮କୁ ବୃଦ୍ଧି କରାଯାଇଥିଲା । ଏହି ନୂତନ ନିଯୁକ୍ତିଗୁଡ଼ିକ ପରେ ସୁପ୍ରିମକୋର୍ଟରେ ବର୍ତ୍ତମାନ କେବଳ ଗୋଟିଏ ବିଚାରପତି ପଦବୀ ଖାଲି ରହିବ ।