ଭୁବନେଶ୍ୱର ୧୪।୦୯ : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା। ଶ୍ରଦ୍ଧା, ଭକ୍ତି ଓ ଆନନ୍ଦଉଲ୍ଲାସର ସହ ପାଳିତ ହେଉଛି ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପବିତ୍ର ପୂଜାତ୍ସବ। ଶିକ୍ଷାନୁଷ୍ଠାନ ସହ ଘରେ ଘରେ ନିଷ୍ଠାର ସହ ଗଣପତିଙ୍କ ଆବାହନ ସହ ପୂଜାର୍ଚ୍ଚନା ହେଉଛି।

ଗାଁଠୁ ସହର-ପ୍ରତି ପ୍ରମୁଖ ଛକ ଓ ସାର୍ବଜନୀନ ମଣ୍ଡପଗୁଡ଼ିକରେ ବିରାଟକାୟ ଗଣପତି ମୂର୍ତ୍ତି ସ୍ଥାପନ କରାଯାଇଛି। ଆକର୍ଷଣୀୟ ତୋରଣ, ଆଲୋକମାଳା ଓ ବୈଦିକ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇପଡ଼ିଛି। ଷୋଡ଼ଶୋପଚାର ପୂଜା, ଆରତି ଓ ପ୍ରସାଦ ସେବନର ବିଶେଷ ବ୍ୟବସ୍ଥା କରାଯାଇଛି। ପ୍ରଭୁ ଗଣେଶଙ୍କ ପ୍ରିୟ ଖାଦ୍ୟ 'ଲଡୁ' ଓ 'ମୋଦକ' ଭୋଗ ଲଗାଇବା ପାଇଁ ମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

Also Read:-

ବିଶେଷ କରି ରାଜଧାନୀ ଭୁବନେଶ୍ବର, ଜଟଣୀ ଓ ତାଳଚେରେ ଧୁମଧାମରେ ପୂଜା କରାଯାଉଛି । କେଉଁଠି ସୁଉଚ୍ଚ ତୋରଣ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ଶୋଭା ପାଉଛନ୍ତି । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ। ପ୍ରତ୍ୟେକ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଉଥିବାରୁ ତାଙ୍କୁ 'ଅଗ୍ରପୂଜ୍ୟ' ଓ 'ବିଘ୍ନବିନାଶକ' ବୋଲି କୁହାଯାଏ। ବୁଦ୍ଧି, ସିଦ୍ଧି ଓ ଜ୍ଞାନର ଦେବତା ଶ୍ରୀଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଏହି ପୂଜା କରାଯାଉଛି । ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସମାଜରେ ଭାଇଚାରା, ଏକତା ଓ ସଦ୍ ଭାବନା ସୃଷ୍ଟି କରେ। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଲୋକମାନେ ଏକାଠି ହୋଇ ଏହି ଉତ୍ସବକୁ ଆନନ୍ଦର ସହ ପାଳନ କରନ୍ତି।