ନୂଆଦିଲ୍ଲୀ ୯।୧୨: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ନାମ ୨୨୮ କୋଟି ଟଙ୍କାର ବ୍ୟାଙ୍କିଙ୍ଗ ଦୁର୍ନୀତ ସମ୍ପର୍କିତ ମାମଲାରେ ସାମ୍ନାକୁ ଆସିଛି। ସିବିଆଇ ରିଲାଏନ୍ସ ହାଉସିଂ ଫାଇନାନ୍ସ ଲିମିଟେଡ (ଆରଏଚଏଫଏଲ) ମାମଲାରେ ଅପରାଧିକ ମୋକଦ୍ଦମା ରୁଜୁ କରିଛି। ଅନିଲ ଅମ୍ବାନୀଙ୍କ ପୁଅଙ୍କ ନାମରେ ଏତଲା ହେବାର ଏହା ପ୍ରଥମ ଘଟଣା। ଅଭିଯୋଗରେ ଆରୋପ ଲଗାଯାଇଛି ଯେ କମ୍ପାନୀଦ୍ୱାରା କରାଯାଇଥିବା ଅନିୟମିତତା କାରଣରୁ ବ୍ୟାଙ୍କକୁ ୨୨୮.୦୬କୋଟି ଟଙ୍କାର କ୍ଷତି ହୋଇଛି।

ସିବିଆଇ ଅନୁସାରେ ଏହି ମାମଲା ଆରଏଚଏଫଏଲ, ଏହାର ପୂର୍ବତନ ସିଇଓ ତଥା ଫୁଲଟାଇମ ଡାଇରେକ୍ଟର ରବିନ୍ଦ୍ର ସୁଧାଲକର, ଜୟ ଅନମୋଲ ଅମ୍ବାନୀ ଓ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ରୁଜୁ ହୋଇଛି। ଅଭିଯୋଗରେ କୁହାଯାଇଛି ଯେ ଏମାନଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ଲୋନ ଦିଆଯିବା ଓ ରିକୋଭରି ସମ୍ପର୍କିତ ଅନିୟମିତତା ଯୋଗୁ ବ୍ୟାଙ୍କକୁ ବଡ଼ ଧରଣର ଆର୍ଥିକ କ୍ଷତି ହୋଇଥିବା ଅଭିଯୋଗରେ କୁହାଯାଇଛି।

ସିବିଆଇରେ ହୋଇଥିବା ଲିଖିତ ଅଭିଯୋଗରେ କୁହାଯାଇଛି ଯେ ଜୟ ଅନମୋଲ ଅମ୍ବାନୀ ଓ ରବିନ୍ଦ୍ର ସୁଧାଲକରଙ୍କ ସହିତ ଅନ୍ୟ ଲୋକେ ନେଇଥିବା ଭୁଲ ନିଷ୍ପତ୍ତି ଯୋଗୁ ଭୁଲ ଲୋକଙ୍କୁ ଲାଭାନ୍ୱିତ କରାଯାଇଛି ଓ ବ୍ୟାଙ୍କର କ୍ଷତି ହୋଇଛି। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀର ଅନ୍ତରୀଣ ନିୟମକୁ ଟାଳି ଋଣ ଦେବା ଓ ପୈଠ କରିବାରେ ଗଡବଡ଼ କରାଯାଇଛି। ତେବେ ଅନିଲ ଅମ୍ବାନୀ ସମୂହ ପକ୍ଷରୁ ଏପର୍ଯ୍ୟନ୍ତ ମାମଲାରେ ବିସ୍ତୃତ ସାର୍ବଜନିକ ବୟାନ ଜାରି କରାଯାଇ ନାହିଁ। ତେବେ ଆଶା କରାଯାଉଛି ସମୂହ ଖୁବ୍ ଶୀଘ୍ର ନିଜର ଅଧିକାରୀକ ପ୍ରତିକ୍ରିୟା ଜାରି କରିପାରେ।