ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ରୁ ବ୍ରାଜିଲ୍ ଦଳ ବାଦ୍ ପଡ଼ିଛି । କିନ୍ତୁ ଫୁଟବଲ୍‌ ପାଗଳ ବ୍ରାଜିଲରେ ଏଥର ବିଶ୍ୱକପ୍ କେବଳ ପଡ଼ିଆରେ ନୁହେଁ, ବରଂ ୟୁଟ୍ୟୁବରେ ମଧ୍ୟ ଏକ ନୂଆ ଇତିହାସ ରଚୁଛି । CazeTV ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ କୋଟି କୋଟି ଲୋକଙ୍କ ପାଇଁ ବିଶ୍ୱକପ୍ ଦେଖିବାର ସବୁଠାରୁ ବଡ଼ ମାଧ୍ୟମ ପାଲଟିଛି । ଏଥର ବ୍ରାଜିଲରେ ମ୍ୟାଚ୍ ପ୍ରସାରଣର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ମାତ୍ର ଅଧା ମ୍ୟାଚ୍ ଟିଭିରେ ପ୍ରସାରିତ ହେଉଥିବା ବେଳେ ବାକି ମ୍ୟାଚ୍ ପାଇଁ ଲୋକେ ୟୁଟ୍ୟବ ଆଡ଼କୁ ମୁହାଁଉଛନ୍ତି ।

ଏହି ବଡ଼ ପରିବର୍ତ୍ତନ ପଛର ମୁଖ୍ୟ କାରଣ ହେଉଛି CazeTV । ଏହା ଏକ ୟୁଟ୍ୟୁବ୍ ଚ୍ୟାନେଲ୍ । ବ୍ରାଜିଲ୍‌ର ପ୍ରସିଦ୍ଧ ଷ୍ଟ୍ରିମର୍ କ୍ୟାସିମିରୋ ମିଗେଲ୍ ଆରମ୍ଭ କରିଥିଲେ । ଲୋକେ ଆଦରରେ 'Caze' ବୋଲି ଡାକନ୍ତି । ବଡ଼ କଥା ହେଉଛି CazeTV ଚଳିତ ବିଶ୍ୱକପର ସମସ୍ତ ୧୦୪ଟି ମ୍ୟାଚ୍ ସମ୍ପୂର୍ଣ୍ଣ ମାଗଣାରେ ଦେଖାଉଛି । ଏହାର ଉପସ୍ଥାପନା ଶୈଳୀ ଯୁବପିଢ଼ିଙ୍କୁ ବେଶ୍ ଆକୃଷ୍ଟ କରୁଛି । ଏଥିରେ ପାରମ୍ପରିକ କମେଣ୍ଟ୍ରି ବଦଳରେ ମଜାଳିଆ, ମିମ୍ସ ଏବଂ ସହଜ ଭାଷାର ବ୍ୟବହାର କରାଯାଉଛି ।

ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ସମୟରେ CazeTV ଦାବି କରିଥିଲା ଯେ ତାଙ୍କ ପ୍ଲାଟଫର୍ମରେ ୨.୧୩ କୋଟି ସକ୍ରିୟ ଡିଭାଇସ୍ ଲାଇଭ୍ ଦେଖୁଥିଲେ । ଯଦି ଏହି ଆକଳନ ସଠିକ୍, ତେବେ ଏହା ୟୁଟ୍ୟୁବ୍ ଇତିହାସର ସବୁଠାରୁ ଅଧିକ ଦେଖାଯାଇଥିବା ଲାଇଭ୍ ଷ୍ଟ୍ରିମିଂ ମଧ୍ୟରୁ ଗୋଟିଏ । ଚ୍ୟାନେଲ୍ ପାଖରେ ୪୯ଟି ମ୍ୟାଚର ଏକ୍ସକ୍ଲୁସିଭ୍ ପ୍ରସାରଣ ଅଧିକାର ରହିଛି ।

CazeTV ପରିଚାଳନା କରୁଥିବା କମ୍ପାନି 'LiveMode' ଏବେ ଏହି ସମାନ ମଡେଲ୍ ପୁର୍ତ୍ତୁଗାଲ୍‌କୁ ମଧ୍ୟ ନେଇଛି । ସେଠାରେ 'LiveModeTV' ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରାଯାଇଛି । ଏଥିରେ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଜଣେ ବଡ଼ ନିବେଶକ ଭାବେ ସାମିଲ ଅଛନ୍ତି । ଏହି ଚ୍ୟାନେଲ୍ ସେଠାରେ ୩୪ଟି ବିଶ୍ୱକପ୍ ମ୍ୟାଚ୍ ମାଗଣାରେ ଦେଖାଉଛି ।

ଫିଫା ଯୁବ ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ CazeTV ସହ ଚୁକ୍ତି କରିଥିଲା ଏବଂ ଏଥିରେ ସେମାନେ ସଫଳ ହୋଇଛ ନ୍ତି। ଫିଫା ବିଶ୍ୱାସ କରେ ଯେ ଭବିଷ୍ୟତରେ ଏହା ଅନ୍ୟ ଦେଶଗୁଡ଼ିକ ପାଇଁ ଖେଳ ପ୍ରସାରଣର ଏକ ନୂଆ ମଡେଲ୍ ପାଲଟିବ ।

ଏହି ସଫଳତା ସହିତ CazeTV ବିବାଦ ଘେରକୁ ମଧ୍ୟ ଆସିଛି । ମ୍ୟାଚ୍ ପ୍ରସାରଣ ସମୟରେ ଚ୍ୟାନେଲ୍ ତାର ବେଟିଂ ପାର୍ଟନରମାନଙ୍କ ବିଜ୍ଞାପନ ଏବଂ କ୍ୟୁଆର୍ କୋଡ୍ ଦେଖାଉଛି । ଏହାକୁ ନେଇ ସେଠାକାର ସରକାର ଏବଂ ସାଧାରଣ ଜନତା ଚିନ୍ତା ପ୍ରକଟ କରିଛନ୍ତି । ବ୍ରାଜିଲ୍‌ରେ ଅନଲାଇନ୍ ଜୁଆର ନିଶା ବଢୁଥିବାରୁ ଉପଭୋକ୍ତା ସୁରକ୍ଷା ସଂସ୍ଥା ଏହି ବିଜ୍ଞାପନଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ।