ନବରଙ୍ଗପୁର: ଅଡ଼ୁଆରେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ମାଝୀ। ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି ନବରଙ୍ଗପୁରଜିଲ୍ଲା ମଙ୍ଗଳ ଅଧିକାରୀ । ଏବେ ପୋଲିସ ତାଙ୍କୁ ପଚରା ଉଚୁରା କରିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଗତ ୨୦ ନଭେମ୍ବରରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ଵର ଭତ୍ରା ଆହତ ହୋଇଥିଲେ। ୨୮ ତାରିଖ ରାତିରେ ସ୍କୁଲ ପାଚେରୀ ଡେଇଁ ଆହତ ଛାତ୍ରକୁ ହଷ୍ଟେଲ ପରିସରରୁ ଆଣି ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ ପ୍ରଦୀପ ମାଝୀ। ଏହି ସମୟରେ ସେ ଜିଲ୍ଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାକୁ ଫାୟରିଂ କରିଦେବି ଧମକ ଦେଇଥିଲେ। ଘଟଣାକୁ ନେଇ ତିନି ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଆଜି ଏନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ।

ସରକାରୀ କାର୍ଯ୍ୟରେ ଥିବା ବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମୋତେ ଫାୟରିଂ କରିଦେବି ବୋଲି ଧମକ ଦେଇଥିଲେ। ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସିଥିବା ତଥା ମାନସିକ ସ୍ତରରେ ନିର୍ଯାତିତ ହେଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି । ଏଥିସହ ବିଭିନ୍ନ ସମୟରେ ପ୍ରଦୀପ ମାଝୀ ତାଙ୍କ ବିରୋଧରେ ମିଥ୍ୟା ଦୁର୍ନୀତିର ଅଭିଯୋଗ ଆଣି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରୁଥିବା, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ହତ୍ୟା ଧମକ ଦେବା ନେଇ ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ଉକ୍ତ ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିବା ବେଳେ ଶାସକ ବିରୋଧୀ ମୁଁହା ମୁହିଁ ହୋଇଥିଲେ । ଅପରପକ୍ଷରେ ଆଜି ଏନେଇ ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ମଧ୍ୟ ପ୍ରଦୀପ ମାଝୀଙ୍କ ସରକାରୀ ଅଧିକାରୀଙ୍କୁ ଧମକ ଦେବା ଘଟଣା ନିନ୍ଦା କରିବାର ମାତ୍ର ଅଳ୍ପ କିଛି ଘଣ୍ଟା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଥିଲା । କେସ ନମ୍ବର -478/25 - ସରକାରୀ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟରେ ବାଧାଦେବା ଓ ଜୀବନରେ ମାରିବାକୁ ଧମକ ଦେବା ଘଟଣାରେ ଏତେଲା l ଭାରତୀୟ ନ୍ୟାୟ ସଂହିତାର ଧାରା - 162(2),221,351(3) ରେ ମାମଲା ରୁଜ୍ଜୁ ହୋଇଛି ।