କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ପାର୍ଟିର ନିୟମିତ ଖର୍ଚ୍ଚ ତୁଲାଇବା ପାଇଁ କୋଲକାତା ହାଇକୋର୍ଟ ଫ୍ରିଜ ହୋଇଥିବା ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ସଞ୍ଚାଳନ ଅନୁମତି ଦେଇଛନ୍ତି। ତେବେ ଏଥି ପାଇଁ କୋର୍ଟ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏହି ଅଧିକାରୀଙ୍କ ଦେଖରେଖରେ ୩ ଫ୍ରିଜ ଆକାଉଣ୍ଟକୁ ପାର୍ଟି ସଞ୍ଚାଳନ କରିପାରିବ। ଏହି ଆକାଉଣ୍ଟ ଗୁଡିକୁ ପୋଲିସ ଫ୍ରିଜ କରିଥିଲା। ତେବେ ଆକାଉଣ୍ଟ ଫ୍ରିଜ କରିବା ନେଇ ପୋଲିସ କୋର୍ଟଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ପାରିନାହିଁ। ଏଣୁ କୋର୍ଟ ପାର୍ଟିକୁ ସ୍ୱତନ୍ତ୍ର ଅଧିକାରୀଙ୍କ ଦେଖରେଖରେ ଆକାଉଣ୍ଟ ସଞ୍ଚାଳନ ଅନୁମତି ଦେଇଛନ୍ତି।

କୋଲକାତା ହାଇକୋର୍ଟଙ୍କ ବିଚାରପଚି ଜଷ୍ଟିସ୍ ସୌଗତା ଭଟ୍ଟାଚାର୍ଯ୍ୟଙ୍କ ଏକକ ପୀଠ କୋଲକାତା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସୁବ୍ରତା ତାଲୁକଦାରଙ୍କୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପାର୍ଟିର ନେଣଦେଣ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ ପାର୍ଟିର ଦୈନନ୍ଦିନ ଖର୍ଚ୍ଚ ପାଇଁ ଏହି ଧନ ଉଠାଣ ହେବ। ତେବେ କୌଣସି ଅନ୍ୟ ବ୍ୟୟ ପାଇଁ ଏଥିରେ ଅନୁମତି ଦିଆଯିବ ନାହିଁ। ସୀମିତ ନେଣଦେଣର ଅନୁମତି ଦେଇ ହାଇକୋର୍ଟ କହିଛନ୍ତି ଯେ ଏହି ଅନ୍ତରୀଣ ପର୍ଯ୍ୟାୟରେ ଏଫଆଇଆର ରୁଜୁ ହେବାର ତୁରନ୍ତ ବାଦେ ଆକାଉଣ୍ଟ ଫ୍ରିଜ ପାଇଁ ପୋଲିସ ନିଷ୍ପତ୍ତିକୁ ସମର୍ଥନ କରୁଥିବା ପର୍ଯ୍ୟାପ୍ତ ସାମଗ୍ରୀ ଖୋଜିବାକୁ କୋର୍ଟ ଅସମର୍ଥ।

ପାର୍ଟିର ଆକାଉଣ୍ଟ ଫ୍ରିଜ କରିବା ପାଇଁ ଜୁନ ୧୮ ତାରିଖରେ ଏତଲା ରୁଜୁ ହୋଇଥିଲା, ସେହି ଅନୁସାରେ ପୋଲିସ ତରବରିଆ ଭାବେ ଜୁନ ୧୯ ତାରିଖରେ ଆକାଉଣ୍ଟ ଫ୍ରିଜ କରିଦେଇଥିଲା। ତେବେ ଅଚାନକ ଆକାଉଣ୍ଟ ଫ୍ରିଜ ପାଇଁ ନିଷ୍ପତ୍ତି ସମ୍ପର୍କରେ କୋର୍ଟଙ୍କୁ ପୋଲିସ କୌଣସି ପ୍ରମାଣ ଦେଇ ପାରି ନାହିଁ। କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଅନ୍ତରୀଣ ବ୍ୟବସ୍ଥା କୌଣସି ଗୋଷ୍ଠୀଙ୍କୁ ‘ବାସ୍ତବିକ’ ତୃଣ ମୂଳ କଂଗ୍ରେସ ରୂପେ ବରାବର ମାନ୍ୟତା ଦେଇ ପାରିବ ନାହିଁ। ଏହି ମାମଲା ଏବେବ ଇସିଆଇଙ୍କ ନିକଟରେ ଲମ୍ବିତ ରହିଛି। ଲାଇଭ ଲ ରିପୋର୍ଟ ଅନୁସାରେ ଟିଏମସି ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ତର୍କ ଦେଇଛନ୍ତି ଯେ ଡେବିଟ୍ ଫ୍ରିଜ ହେବା ଯୋଗୁ ଏକ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳର କାମଧନ୍ଦା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଏହା ଦ୍ୱାରା ପାର୍ଟିର ସାମ୍ବିଧାନିକ ଅଧିକାର ଉଲ୍ଲଂଘନ ହୋଇଛି।

ସିଂଘଭୀ କହିଛନ୍ତି ଯେ ଅଭିଯୋଗ ଅସ୍ପଷ୍ଟ, ଏଥିରେ ବ୍ୟାଙ୍କ ଆକାଉଣ୍ଟକୁ ଅପରାଧରୁ ଅର୍ଜିତ ଆୟ ସହ ଯୋଡିବାର କୌଣସି ସ୍ୱତନ୍ତ୍ର ଅଭିଯୋଗ ନଥିଲା। ଏହା ଛଡା ପାର୍ଟିର ସମସ୍ତ ପାଣ୍ଠି ନିର୍ବାଚନ ଆୟୋଗଙ୍କ ମାନଦଣ୍ଡ ଓ ଆୟକର ଅଧିନିୟମ ଅନୁସାରେ ପରିଚାଳିତ ଥିଲା। ତେବେ ରାଜ୍ୟ ପୋଲିସ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଏନଏସ ଧାରା ୧୦୬ର ଉଦାହରଣ ଦେଇ ତର୍କ ଦେଇଛନ୍ତି ଯେ ତଦନ୍ତକାରୀ ଅପରାଧର କଥିତ ଆୟକୁ ନଷ୍ଟ ହେବାରୁ ରୋକିବା ପାଇଁ ଯାଞ୍ଚ କାଳରେ ସମ୍ପତ୍ତି ଫ୍ରିଜ କରିବାର ଅଧିକାର ରହିଛି।

ମେହେଟ୍ଟା ଏହା ବି ତର୍କ ଦେଇଥିଲେ ଯେ ଗୋଟିଏ ଗୋଷ୍ଠୀକୁ ଆକାଉଣ୍ଟ ସଞ୍ଚାଳନର ଅନୁମତି ଦେବା ଅପରଗୋଷ୍ଠୀକୁ ବୈଧ ତୃଣ ମୂଳ କଂଗ୍ରେସ ରୂପେ ନ୍ୟାୟିକ ମାନ୍ୟତା ବୁଝାଯାଇ ପାରେ। ତେବେ କୋର୍ଟ ଏହି ଚିନ୍ତାକୁ ଖାରଜ କରି ସ୍ପଷ୍ଟ କରିଛନ୍ତି ଯେ ଅନ୍ତରୀଣ ବ୍ୟବସ୍ଥା ପାର୍ଟିର ନେତୃତ୍ୱ ବିବାଦକୁ ସମାଧାନ କରିପାରିବ ନାହିଁ। ହେଲେ କୋର୍ଟ ଅଭିଯୋଗକାରୀମାନେ ଅନ୍ୟ ଗୋଷ୍ଠୀରେ ସାମିଲ ହେବା ପରେ ଅଭିଯୋଗ କରିବା ପୂର୍ବରୁ ଏହି ଖାତାରୁ ଧନ ନେଇ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଏହାକୁ ନଜରରେ ରଖି କୋର୍ଟ ତାଙ୍କ କାର୍ଯ୍ୟାନୁଷ୍ଠାନ ପରିସର ବଢାଇବାକୁ ମନା କରିଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଏହି ଅଭିଯୋଗ ବ୍ୟାପକ ପ୍ରକୃତିର ତଥା ଏଥିରେ ଅପରାଧ ଅର୍ଜିତ ଧନ ସଞ୍ଚୟ ଦର୍ଶାଉଥିବା କୌଣସି ସ୍ୱତନ୍ତ୍ର ନେଣଦେଣର ଚିହ୍ନଟ ହୋଇ ନାହିଁ। ଏଣୁ କୋର୍ଟ ସ୍ୱୀକାର କରିଛନ୍ତି ଯେ ବିଚାରବିଭାଗୀୟ ପର୍ଯ୍ୟବେକ୍ଷଣରେ ଆକାଉଣ୍ଟ ଗୁଡିକର ସୀମିତ ସଞ୍ଚାଳନ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ତଦନ୍ତର ହୀତ ଓ ଏକ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳର କାମ ଧନ୍ଦା ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବ।