ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଭାରତକୁ ମିଳିଛି ଏକ ବଡ଼ କୂଟନୈତିକ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟ ଦେଶଙ୍କ ସର୍ବସମ୍ମତି କ୍ରମେ 'ନୂଆଦିଲ୍ଲୀ ଘୋଷଣାପତ୍ର ୨୦୨୬' ଗ୍ରହଣ କରାଯାଇଛି। ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଏହି ଡ୍ରାଫ୍ଟ ଉପରେ ସମସ୍ତ ଦେଶ ନିଜର ମୋହର ମାରିଛନ୍ତି।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା

ଏହି ସମ୍ମିଳନୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ରିକ୍ସର ସଦସ୍ୟ ଦେଶଗୁଡ଼ିକ ଜାମ୍ମୁ-କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରିଛନ୍ତି। ସୀମାପାର ଆତଙ୍କବାଦ, ଆତଙ୍କୀ ଆଶ୍ରୟସ୍ଥଳୀ ଏବଂ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ବିରୋଧରେ 'ଜିରୋ ଟୋଲେରାନ୍ସ' (ଶୂନ୍ୟ ସହନଶୀଳତା) ନୀତି ଆପଣାଇବାକୁ ମିଳିତ ଘୋଷଣାପତ୍ରରେ ସ୍ପଷ୍ଟ କରାଯାଇଛି। ଚୀନ୍ ପରି ଦେଶ ପାକିସ୍ତାନର ସହଯୋଗୀ ହୋଇଥିଲେ ସୁଦ୍ଧା ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟକୁ ସମର୍ଥନ କରି ଏହି ଡ୍ରାଫ୍ଟରେ ସ୍ୱାକ୍ଷର କରିବା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ଭାବେ ବିବେଚନା କରାଯାଉଛି।

Also Read: ୟୁକ୍ରେନ ଯୁଦ୍ଧର ସମାଧାନ ଲାଗି ରୁଷକୁ ପ୍ରସ୍ତାବ ଦେଲେ ମୋଦୀ-ଜିନପିଙ୍ଗ: କ୍ରେମଲିନ୍

ଗ୍ଲୋବାଲ ସାଉଥର ସ୍ୱର ସାଜିଲା ଭାରତ

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, BRICS ଏବେ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଗ୍ଲୋବାଲ ସାଉଥ୍ (ବିକାଶଶୀଳ ଦେଶଗୁଡ଼ିକ)ର ଆବଶ୍ୟକତା, ବିଶ୍ୱ ସଂସ୍ଥାଗୁଡ଼ିକର ସୁଧାର ଏବଂ ଜାତିସଂଘ ନିରାପତ୍ତା ପରିଷଦ (UNSC)ର ପୁନର୍ଗଠନ ପାଇଁ ଭାରତ ବଳିଷ୍ଠ ଦାବି ଉପସ୍ଥାପନ କରିଛି।

ଇରାନ-ୟୁଏଇ ମଧ୍ୟରେ ସେତୁ ବାନ୍ଧିଲା ଭାରତ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇରାନ ଏବଂ ସଂଯୁକ୍ତ ଅରବ ଅମିରାତ (UAE) ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ ଭାରତୀୟ କୂଟନୀତିଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ଆଲୋଚନା ପରେ ଶାନ୍ତି ଏବଂ ବାଣିଜ୍ୟିକ ଯୋଗାଣ ବଜାୟ ରଖିବା ପାଇଁ ସମସ୍ତ ଦେଶ ଏକମତ ହୋଇଛନ୍ତି।

Also Read: ମୁଣ୍ଡ ନୁଆଇଁଲା ବାଂଲାଦେଶ, କହିଲା -'ଭାରତ ସହ ଆମେ ଭଲ ସମ୍ପର୍କ ଚାହୁଁଛୁ'

ବୈଠକର ମୁଖ୍ୟ ନିଷ୍କର୍ଷ

୧. ଆତଙ୍କବାଦ ବିରୋଧୀ ଅଭିଯାନ: ଆତଙ୍କବାଦୀ ନେଟୱର୍କକୁ ସମ୍ପୂର୍ଣ୍ଣ ଶେଷ କରିବା ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆହ୍ୱାନ।

୨. ବିଶ୍ୱ ସଂସ୍ଥାରେ ସୁଧାର: ଜାତିସଂଘ ଏବଂ ବିଶ୍ୱ ବ୍ୟାଙ୍କ ଭଳି ପ୍ରତିଷ୍ଠାନରେ ବିକାଶଶୀଳ ଦେଶଙ୍କ ଅଂଶଗ୍ରହଣ ବୃଦ୍ଧି।

୩. ଦ୍ୱିପାକ୍ଷିକ ଆଲୋଚନା: ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ପୃଥକ ପୃଥକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀ ମାଧ୍ୟମରେ ଭାରତ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ବିକାଶ କ୍ଷେତ୍ରରେ ନିଜର ଆଧିପତ୍ୟକୁ ପୁଣି ଥରେ ପ୍ରମାଣିତ କରିଛି।