ସଲାମାବାଦ: ପାକିସ୍ତାନର ଆର୍ଥିକ ସଙ୍କଟ ଦୂର କରିବାକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୧.୨ ବିଲିୟନ ଡଲାର (ପ୍ରାୟ ୧୧,୦୦୦ କୋଟି ଟଙ୍କା) ମଞ୍ଜୁର କରିଛି। ୧ ବିଲିୟନ ଡଲାର ଋଣ ଏବଂ ୨୦୦ ନିୟୁତ ଡଲାର ଜଳବାୟୁ କାର୍ଯ୍ୟକ୍ରମ ଲାଗି ପ୍ରଦାନ କରିଛି ଆଇଏମଏଫ । ଏହି ପାଣ୍ଠି ୨୦୨୪ ମସିହାରେ ଅନୁମୋଦିତ ଏକ ବେଲଆଉଟ୍ କାର୍ଯ୍ୟକ୍ରମର ଅଂଶ । ଏହା ୩୭ ମାସ ପାଇଁ କାର୍ଯ୍ୟକ୍ଷମ ରହିବ । ଏହି ସମୟ ଅବଧିରେ ପାକିସ୍ତାନ ମୋଟ ୭ ବିଲିୟନ ଡଲାର ପାଇବ । ଏହି ଅର୍ଥ କିସ୍ତି ଆକାରରେ ଦେବ ଆଇଏମଏଫ । ପୂର୍ବ ଦୁଇଟି କିସ୍ତିର ସମୀକ୍ଷା କରିବା ପରେ ବାକି ଅର୍ଥ ମଞ୍ଜୁର କରାଯିବ ।

ମଙ୍ଗଳବାର (ଡିସେମ୍ବର ୯) IMFର କାର୍ଯ୍ୟନିର୍ବାହୀ ବୋର୍ଡ ପାକିସ୍ତାନର ଅର୍ଥନୈତିକ କାର୍ଯ୍ୟକ୍ରମର ଦୁଇଟି ସମୀକ୍ଷା ସମାପ୍ତ କରିଛି ଏବଂ ଅତିରିକ୍ତ ୧.୨ ବିଲିୟନ ଡଲାରର ଅତିରିକ୍ତ ପାଣ୍ଠିକୁ ଅନୁମୋଦନ କରିଛି। ଗୋଟିଏ ବର୍ଷ ମଧ୍ୟରେ ପାକିସ୍ତାନ ଆଇଏମଏଫ ପାଖରୁ ମୋଟ ୩.୩ ବିଲିୟନ ଡଲାର ପାଇଛି। ପରବର୍ତ୍ତୀ ପର୍ଯ୍ୟାୟ ଋଣ ପାଇଁ ପାକିସ୍ତାନକୁ କିଛି ସର୍ତ୍ତ ପୂରଣ କରିବାକୁ ପଡିବ । ଯେଉଁଥିରେ ରିଜର୍ଭର ପୁନଃନିର୍ମାଣ, ଟିକସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ସଂସ୍କାର ଅନ୍ତର୍ଭୁକ୍ତ।

ପୃଥକ ଭାବରେ ଅନୁମୋଦିତ ପାଣ୍ଠି ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଲାଗି ପାକିସ୍ତାନକୁ ଦିଆଯାଇଛି । ଏଥିରେ ବିପର୍ଯ୍ୟୟ ପରିଚାଳନା, ଜଳ ବ୍ୟବହାର ଏବଂ ଜଳବାୟୁ ସମ୍ବନ୍ଧୀୟ ଆର୍ଥିକ ରିପୋର୍ଟିଂକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯିବ। ପାକିସ୍ତାନ ଦଶନ୍ଧୀ ଧରି ଆଇଏମଏଫ ଏବଂ ବନ୍ଧୁ ରାଷ୍ଟଙ୍କ ଋଣ ଉପରେ ନିର୍ଭରଶୀଳ । ଏହା ପୂର୍ବରୁ ଗତ ମେ’ ମାସରେ ପାକିସ୍ତାନକୁ ଆଇଏମଏଫ ଋଣ ପ୍ରଦାନ କରିଥିଲା । ଆଇଏମଏଫ ବୈଠକରେ ଏହି ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଥିଲା ଭାରତ । ପାକିସ୍ତାନ ଏହି ଅର୍ଥ ଆତଙ୍କବାଦ ବୃଦ୍ଧି କରିବାରେ ବିନିଯୋଗ କରୁଛି ବୋଲି ଭାରତ ଅଭିଯୋଗ କରିଥିଲା ଏବଂ ଭୋଟ ଦେବାରୁ ବିରତ ରହିଥିଲା ।