ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବିରୋଧରେ ଫେକ୍ ଭିଡିଓ ବନାଇବା ମହଙ୍ଗା ପଡ଼ିଛି। ଆପତ୍ତିଜନକ ପୋଷ୍ଟ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ l  କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ୍ ମାମଲାରେ ବମ୍ବେ ହାଇକୋର୍ଟ  କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଇଥାନଲ୍-ମିଶ୍ରିତ ପେଟ୍ରୋଲ୍ ବା (E20)  ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅପପ୍ରଚାର ଉଚିତ ଜବାବ ଦେଇଛନ୍ତି ବମ୍ବେ ହାଇକୋର୍ଟ l  ଆପତ୍ତିଜନକ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ଜେନେରେଟେଡ୍ ଡିପ୍‌ଫେକ୍ ଭିଡିଓ  ପୋଷ୍ଟଗୁଡ଼ିକୁ ତୁରନ୍ତ ହଟାଇବାକୁ କୋର୍ଟ 'ଏକ୍ସ' ଏବଂ 'ମେଟା'  ସମେତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ବ୍ୟବହୃତ ଏହି ସାମଗ୍ରୀଗୁଡ଼ିକ  ଅଶାଳୀନ, ଆପତ୍ତିଜନକ ଏବଂ ବିଷାକ୍ତ। ଏଭଳି ମିଥ୍ୟା ଗୁଜବ  ସାଧାରଣ ପ୍ଲାଟଫର୍ମରେ କେବେ ହେବା ଉଚିତ୍ ନୁହେଁ l  ଯାହାକୁ ଯୁବପିଢ଼ିଙ୍କ ସମେତ ସମସ୍ତେ ଦେଖୁଛନ୍ତି,ସେଭଳି ମଞ୍ଚରେ ଦେଶର ଜଣେ ସମ୍ମାନ ଯୋଗ୍ୟ ମନ୍ତ୍ରୀଙ୍କ ଚରିତ୍ର ସଂଘାର କରିବା କୌଣସି ମତେ ଠିକ ନୁହେଁ ବୋଲି କୋର୍ଟ ଜଣାଇ ଛନ୍ତି ।

Also Read: ​​​​​​​ଅପରେସନ ସିନ୍ଦୂରକୁ ନେଇ ପୂର୍ବତନ CDSଙ୍କ ବଡ଼ ବୟାନ, କହିଲେ- ଶୁଣା ଯାଇ ନଥିଲା ପାକିସ୍ତାନର ଅନୁନୟ ଅନୁରୋଧ

  ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ନେଇ ନିତିନ ଗଡକରୀ ଏବଂ ତାଙ୍କ ପରିବାର ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ମନଗଢ଼ା ଦାବି ଏବଂ ଦୁର୍ନାମ ସୃଷ୍ଟି କରୁଥିବା ପୋଷ୍ଟଗୁଡ଼ିକୁ ହଟାଇବାକୁ କୁହାଯାଇଛି।ଖାଲି ସେତିକି ନୁହେଁ , ମିଥ୍ୟା ଏବଂ ଭ୍ରମ ସୃଷ୍ଟି କରୁଥିବା  ସୂଚନା ସବୁକୁ ଯିଏ ଅପଲୋଡ୍ କିମ୍ବା ଭାଇରାଲ୍ କରିଛି ସେ  ଆକାଉଣ୍ଟଗୁଡ଼ିକର ସମସ୍ତ ବିବରଣୀ ପ୍ରଦାନ କରିବାକୁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି l  ଯାହାଦ୍ୱାରା ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

 AI ଜେନେରେଟେଡ୍ ଭିଡିଓ ଏବଂ ଅଡିଓ ଜରିଆରେ କିପରି ସାଧାରଣ ଜନତାଙ୍କୁ ଭ୍ରମିତ କରାଯାଉଛି, ସେନେଇ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି l  କୋର୍ଟଙ୍କ ଆଦେଶ ଅପେକ୍ଷା ଏଭଳି କଣ୍ଟେଣ୍ଟକୁ ନିଜଆଡୁ ହଟାଇବା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପ୍ଲାଟଫର୍ମଗୁଡ଼ିକୁ ପରାମର୍ଶ ଦେଇଛନ୍ତି।  ଭାରତ ସରକାର ଦେଶରେ ଅଶୋଧିତ ତେଲ ଆମଦାନୀ ହ୍ରାସ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ପାଇଁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ  ପ୍ରାଧାନ୍ୟ ଦେଉଥିବା ବେଳେ  ଗାଡ଼ିର ମାଇଲେଜ୍ ଏବଂ ଇଞ୍ଜିନ୍ ସମସ୍ୟାକୁ ନେଇ କିଛି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା  l 

କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ  କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ତାଙ୍କ ପରିବାରକୁ ନେଇ ମିଥ୍ୟା ଓ ଭ୍ରମ ଉଦ୍ରେକ  ଭିଡିଓ ପ୍ରଚାର କରିଥିଲେ। ଏହାକୁ ବିରୋଧ କରି ମନ୍ତ୍ରୀଙ୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇଥିଲା।  ଆଗାମୀ ଚାରି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ରିପୋର୍ଟ ଦାଖଲ କରିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି ।