ଭୁବନେଶ୍ବର ୧୫।୮: ବଲାଙ୍ଗିରରୁ ନିଖୋଜ ବ୍ୟବସାୟୀ ଭୁବନେଶ୍ବରରୁ ଉଦ୍ଧାର । ଖଣ୍ଡଗିରିରୁ ଉଦ୍ଧାର ହେଲେ ବଲାଙ୍ଗିରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ। ୬ରୁ ୭ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ଅପହରଣ ପରେ ସେମାନେ ବ୍ୟବସାୟୀଙ୍କୁ ମାଡ଼ ମଧ୍ୟ ମାରିଥିଲେ ବୋଲି ଜଣାପଡ଼ିଛି । ବଲାଙ୍ଗିରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଶୁକ୍ରବାର ଠାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖୋଳତାଡ଼ ଚଳାଇଥିଲା ପୋଲିସ ।

ବଲାଙ୍ଗିର ସହରର ହୋଟେଲ ରାଜମହଲ ମାଲିକ ନରେନ୍ଦ୍ର କୁମାର ସାହୁ ଓରଫ ଗୁଣ୍ଡା ସାହୁ । ରାଜମହଲ ହୋଟେଲ ସହ ତାଙ୍କର ରହିଛି ଅଟୋମୋବାଇଲ ବ୍ୟବସାୟ, ସୋ' ରୁମ୍, ଜମି କାରବାର ଭଳି ଗୁଡ଼ାଏ ବ୍ୟବସାୟ । ବେଶ୍ ପରିଚିତ ଏବଂ ସମସ୍ତଙ୍କ ସହ ମିଳାମିଶା କରିବା ଭଳି ବ୍ୟକ୍ତିତ୍ୱ ହେଉଛନ୍ତି ଗୁଣ୍ଡା ସାହୁ । ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କରିବ ସେନେଇ ସନ୍ଦେହ ବଢ଼ିଥିଲା ।

ଶୁକ୍ରବାର ୧୨ଟାରୁ ଘରୁ ଯାଇଥିବା ବେଳେ ପ୍ରତିଦିନ ୩ଟାରୁ ୪ଟା ଭିତରେ ଘରକୁ ସେ ଖାଇବାକୁ ଆସିଥାନ୍ତି । ହେଲେ ଗତକାଲି ଆସିନଥିଲେ । ପରିବାର ଲୋକେ ଫୋନ୍ କରିବାରୁ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିଲା । ବହୁ ଖୋଜାଖୋଜି କରିବା ପରେ କେଉଁଠି ନ ମିଳିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ପରିବାର । ସେହି ଅଞ୍ଚଳ ଯାଞ୍ଚ ସହ ସିସିଟିଭି ଫୁଟେଜ୍ ଖୋଳତାଡ଼ କରିଥିଲା ପୋଲିସ । ସିସିଟିଭିରେ ସୋନପୁର-ବଲାଙ୍ଗିର ଟୋଲଗେଟ୍ ରେ ଯାଞ୍ଚ ପରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ କରାଯାଉଥିଲା । ଗୁଣ୍ଡା ସାହୁ ବ୍ୟବହାର କରୁଥିବା ତାଙ୍କ ଗାଡ଼ି ଏବଂ ପଛରେ ଏକ ବୋଲେରୋ ଦେଖାଯାଇଥିଲା ।

Also Read:- ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ ନୂଆ ଡପଲର୍ ରାଡାର, ପାଣିପାଗ ପୂର୍ବାନୁମାନ ହେବ ଅଧିକ ସଠିକ୍

ଶନିବାର ସକାଳୁ ତାଙ୍କ ପୁଅ ସହ ଗୁଣ୍ଡା ସାହୁଙ୍କ କଥା ହେବା ବେଳେ ବ୍ୟସ୍ତ ଅଛି ପରେ କଲ୍ କରୁଛି କହି ଫୋନ କାଟିଦେଇଥିଲେ । ତାଙ୍କର ଶେଷ ଲୋକେଶନ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସିସିଟିଭି ଯାଞ୍ଚ ଓ ଗାଡ଼ି ନମ୍ବରରୁ ଝାଡ଼ଖଣ୍ଡର କିଛି ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରୁଥିଲା ପୋଲିସ। ସ୍ୱତନ୍ତ୍ର ଟିମ୍ ଗଠନ କରି ସବୁଠି ଖୋଜିବା ପାଇଁ ଚେଷ୍ଟା ଜାରି ରଖିଥିଲା ପୋଲିସ । ତେବେ ତାଙ୍କୁ ଖଣ୍ଡଗିରିରୁ ଉଦ୍ଧାର କରିଛି ପୋଲିସ ।

Watch Video: