ନୂଆଦିଲ୍ଲୀ: ନରୱେର ସ୍ୱାଲବାର୍ଡ ଅଞ୍ଚଳରେ ଶୋଇଥିବା ଏକ ଧଳା ଭାଲୁ (ପୋଲାର ବିୟର)କୁ ଫଗହର୍ନ (foghorn) ବଜାଇ ନିଦରୁ ଉଠାଇବା ଜଣେ ବୋଟ୍ ଚାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ବେପରୁଆ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ତାଙ୍କ ଉପରେ ୫,୨୫୫ ଆମେରିକୀୟ ଡଲାର (ପ୍ରାୟ ୪.୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ) ଜରିମାନା ଲଗାଇଛନ୍ତି।

୧୯୭୨ରୁ ସ୍ୱାଲବାର୍ଡରେ ପୋଲାର ବିୟରକୁ ସୁରକ୍ଷିତ ପ୍ରଜାତି ଭାବେ ଘୋଷଣା କରାଯାଇଛି। ସ୍ଥାନୀୟ ନିୟମ ଅନୁଯାୟୀ, କୌଣସି ପୋଲାର ବିୟରକୁ ଅନାବଶ୍ୟକ ଭାବେ ବିରକ୍ତ କରିବା, ଆକର୍ଷିତ କରିବା କିମ୍ବା ପଛରେ ଗୋଡ଼ାଇବା ସମ୍ପୂର୍ଣ୍ଣ ନିଷିଦ୍ଧ। ବରଫ ତରଳିବା ଯୋଗୁଁ ଏମାନଙ୍କ ବାସସ୍ଥଳୀ ପ୍ରତି ବିପଦ ସୃଷ୍ଟି ହୋଇଥିଲେ ସୁଦ୍ଧା, ଏହି ଅଞ୍ଚଳରେ ଭାଲୁମାନଙ୍କ ସଂଖ୍ୟା ଓ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ଅନ୍ୟ ଏକ ଘଟଣାରେ, ପୋଲାଣ୍ଡର ବିଆଲୋୱିଜା ଜଙ୍ଗଲରେ ଜଣେ ପର୍ଯ୍ୟଟକ ୟୁରୋପୀୟ ବିସନ (ଜଙ୍ଗଲୀ ଷଣ୍ଢ) ନିକଟକୁ ଯାଇ ତାକୁ ଉତ୍ତେଜିତ କରିବା ଯୋଗୁଁ ବିସନଟି ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା। ଏକ ଗାଡ଼ିର ଶବ୍ଦ ଯୋଗୁଁ ବିସନଟିର ଧ୍ୟାନ ହଟିଯିବାରୁ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ, ସେ ଗୁରୁତର ଆହାତ ନହୋଇ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଆମେରିକାର ୟେଲୋଷ୍ଟୋନ ଜାତୀୟ ଉଦ୍ୟାନର ଏକ ସମାନ ଘଟଣାକୁ ମନେ ପକାଇଦିଏ, ଯେଉଁଠାରେ ବିସନ ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ଗୋଡ଼ ଭାଙ୍ଗିଯାଇଥିଲା।