ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ସହଯୋଗୀ ଦଳ 'ନିଷାଦ ପାର୍ଟି'ର ମୁଖିଆ ଏବଂ ରାଜ୍ୟ ମତ୍ସ୍ୟସଂପଦ ମନ୍ତ୍ରୀ ସଞ୍ଜୟ ନିଷାଦ ବିଜେପିକୁ  କଡ଼ା ଚେତାବନୀ ଦେଇଛନ୍ତି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଭାଷଣ ଦେଇ ସେ କହିଛନ୍ତି ଯେ, ଯଦି ବିଜେପି ନିଷାଦ ସମ୍ପ୍ରଦାୟକୁ ସଂରକ୍ଷଣ ନଦିଏ, ତେବେ ଜନସାଧାରଣ ବିଜେପିକୁ ମଧ୍ୟ କ୍ଷମତାରୁ ହଟାଇ ଦେବେ।

ସଞ୍ଜୟ ନିଷାଦ କହିଛନ୍ତି ଯେ, 'ହାତୀ' (BSP), 'ସାଇକେଲ' (SP) ଏବଂ 'ହାତ' (କଂଗ୍ରେସ) ନିଷାଦ ସମ୍ପ୍ରଦାୟର ସଂରକ୍ଷଣ ଦାବିକୁ ଅଣଦେଖା କରିବା ଯୋଗୁଁ କ୍ଷମତା ହରାଇଥିଲେ । ବିଜେପି ଯଦି ଏହି ଦାବି ପୂରଣ ନକରେ, ତେବେ ସେମାନଙ୍କର ମଧ୍ୟ ସମାନ ଦଶା ହେବ।

ସେ ନିଜକୁ ନିଷାଦ ସମ୍ପ୍ରଦାୟର ‘ଓକିଲ’ ଏବଂ ବିଜେପିକୁ ‘ଜଜ୍’ ବୋଲି ଅଭିହିତ କରି ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲାଗୁ କରିବାକୁ ବଳିଷ୍ଠ ଦାବି ଉପସ୍ଥାପନ କରିଛନ୍ତି। ମଞ୍ଚରେ ଉପସ୍ଥିତ ରାଜ୍ୟ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କୁ ଏହି ବିଷୟ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟରେ ତୁରନ୍ତ ଉଠାଇବାକୁ ସେ ନିବେଦନ କରିଛନ୍ତି।

ଏହି ସମୟରେ ସମାଜବାଦୀ ପାର୍ଟି (SP) ର ପ୍ରବକ୍ତା ଫକ୍ରୁଲ ହସନ ଚାନ୍ଦ ସଞ୍ଜୟ ନିଷାଦଙ୍କ ଏହି ମନ୍ତବ୍ୟକୁ ‘ନାଟକ’ ବୋଲି କହିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ବିଜେପି ସହ ୧୦ ବର୍ଷ ଧରି ରହି ସୁଦ୍ଧା ସଂରକ୍ଷଣ ନମିଳିବା ପରେ ମଧ୍ୟ ସଞ୍ଜୟ କାହିଁକି ମନ୍ତ୍ରୀ ପଦରେ ରହିଛନ୍ତି। ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସହଯୋଗୀ ଦଳର ଏହି ଚେତାବନୀ ବିଜେପି ପାଇଁ ଅସୁବିଧା ବଢ଼ାଇ ଦେଇଛି।

ବର୍ତ୍ତମାନ ନିଷାଦ ସମ୍ପ୍ରଦାୟ ଉତ୍ତର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ତାଲିକାରେ ଅଛି । ମାତ୍ର ଅନୁସୂଚିତ ଜନଜାତି (ST) କିମ୍ବା ଅନୁସୂଚିତ ଜାତି (SC) ତାଲିକାରେ ସାମିଲ କରିବାକୁ ଦୀର୍ଘ ଦିନରୁ ଦାବି କରିଆସୁଛି ଏହି ସଂପ୍ରଦାୟ । ସେମାନଙ୍କର ଯୁକ୍ତି ହେଉଛି ଯେ, OBC ବର୍ଗରେ ଅନ୍ୟ ଶକ୍ତିଶାଳୀ ଜାତିଗୁଡ଼ିକ ଥିବାରୁ ସେମାନଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ନିଜ ହକ୍ ଅନୁସାରେ ସଂରକ୍ଷଣ ସୁବିଧା ମିଳିପାରୁ ନାହିଁ।