ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ମୁଁ ଲିଡ୍ କରିବି। ମୁଁ ସ୍ପଷ୍ଟ କରୁଛି ଯେ ମୋ ନେତୃତ୍ୱରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ଲଢ଼ିବ। ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଫଳରେ ପୁଣି ଥରେ ପ୍ରମାଣିତ ହୋଇଛି, ନବୀନ ପଟ୍ଟନାୟକ ହିଁ ବିଜୁଜନତା ଦଳର ସର୍ବୋଚ୍ଚ ଓ ସର୍ବମୟ କର୍ତ୍ତା। ସେ ହିଁ ଦଳର ନେତା ଓ ପରିଚାଳକ। ତାଙ୍କ ନେତୃତ୍ୱରେ ଦଳ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଛି। ୨୪ ବର୍ଷରୁ ସରକାରରେ ରହିଛି। ଜାତୀୟ ସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତି ଦେଇଛି। ନବୀନଙ୍କ ନେତୃତ୍ୱ ରହିଛି ଓ ରହିଥିବ। ଆଗାମୀ ନିର୍ବାଚନରେ ବିଜେଡି ନବୀନଙ୍କ ନେତୃତ୍ୱରେ ହିଁ ଭୋଟ୍ ଲଢ଼ିବ। ପୂର୍ବତନ ଆଇଏଏସ ଅଫିସର ଶ୍ରୀମତି ସୁଜାତା ରାଉତଙ୍କୁ ବିଜୁ ଜନତା ଦଳର ସଦସ୍ୟତା ପ୍ରଦାନ ପରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଏହା ସ୍ପଷ୍ଟ କରିଛନ୍ତି। ଏହା ସହିତ ବିଜେଡିର ନେତୃତ୍ୱ ନେଇ ଚାଲିଥିବା ଚର୍ଚ୍ଚା- ଆଲୋଚନା ଓ ସନ୍ଦେହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ପ୍ରଶାସକ ଭାବେ ସଫଳ ଛାପ ଛାଡ଼ିଛନ୍ତି ସୁଜାତା ରାଉତ । ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା । ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ସେ ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ସେ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ। କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସୁଜାତା ।

ସେହିପରି ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତି କରଣ ଦିଗରେ ଅନେକ କାମ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ ନେଇଥିଲେ । ସୁଜାତାଙ୍କ ସମୟରେ SHG ଗ୍ରୁପ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

ସୁଜାତାଙ୍କ ପୂର୍ବରୁ ତାଙ୍କ ସ୍ବାମୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ୨୦୨୩ରେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ, ୨୦୨୪ ନିର୍ବାଚନ ଫଳାଫଳ ବିଜେଡି ବିରୋଧରେ ଆସିଥିବାରୁ ପାଣ୍ଡିଆନ ରାଜନୀତିରୁ ଦୂରେଇ ଯିବା ନେଇ ଘୋଷଣା କରିଥିଲେ । ଏଭଳି ସ୍ଥିତିରେ ସୁଜାତା ବିଜେଡିରେ ପାଦ ଦେଇ । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ କେତେ ଶକ୍ତିଶାଳୀ କରିବ, ତାହା ସମୟ କହିବ।