ଯାଜପୁର ସଦର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପରିକ୍ରମା ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରେ ରହିଛି । ୨୦୧୯-୨୦ ବର୍ଷରେ ମା' ବିରଜାଙ୍କ ମନ୍ଦିର ଉନ୍ନତି ଓ ବାହାରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ମନ୍ଦିର ଭିତର ଉନ୍ନତିକରଣ ସହିତ ବାହାର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ମଧ୍ୟ ଆରମ୍ଭ ହେଲା । ମୋଟ ୩ ଏକର ୯୩ ଡିସିମିଲ ଜାଗା ଉପରେ ଏହି ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟର ଶୁଭ ପଡ଼ିଲା । ପ୍ରଥମ ପର୍ଯ୍ୟାୟରେ ୭୦ଟି ରୁମ୍ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଓ ଦୁଇଟି ଶୌଚାଳୟ ନିର୍ମାଣ କରାଗଲା । ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟ ବନ୍ଦ ରହିଲା । ଇତିମଧ୍ୟରେ ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ଆଉ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ବାହାର ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମାସ ମାସ ଅପେକ୍ଷା କରି ୭ମାସ ହେବ କାର୍ଯ୍ୟ ଛାଡ଼ି ଚାଲିଗଲାଣି । ଏହା ମଧ୍ୟରେ ୪ଜଣ ଜିଲ୍ଲାପାଳ ବଦଳି ସାରିଲେଣି । ମାତ୍ର ପ୍ରକଳ୍ପର ଅଗ୍ରଗତି ହେଉନାହିଁ । ପରିକ୍ରମା ପ୍ରକଳ୍ପରେ ପାର୍କିଂ ସ୍ଥାନ, ତୋରଣ ପଥ ସହ ମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ, ଉଦ୍ୟାନ, ମା' ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଆଦି କାର୍ଯ୍ୟ କରାଯିବ ବୋଲି ନକ୍ସା ପ୍ରସ୍ତୁତ ହୋଇଛି ।

ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନେକ ସଂଗଠନ ଦାବି ଜଣାଇ ସାରିଛନ୍ତି । ବିରଜା ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି । ପ୍ରକଳ୍ପ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଛନ୍ତି । କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଡେଢ଼ ବର୍ଷ ତଳେ ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗ ଦେଇ ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୧୫୦କୋଟି ଟଙ୍କା ଘୋଷଣା ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାମ ଆରମ୍ଭ ନହେବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଇତିମଧ୍ୟରେ ଭୁବନେଶ୍ୱରରେ ଦୁଇଥର ଓ ଯାଜପୁର ସର୍କିଟ୍ ହାଉସରେ ଥରେ ସମୀକ୍ଷା ବୈଠକ ମଧ୍ୟ ବସି ସାରିଛି । ହେଲେ କାହିଁକି କାର୍ଯ୍ୟ ଅଟକି ରହିଛି ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।