ନୂଆଦିଲ୍ଲୀ ୨୦।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୋଟିଏ ମାମଲାରେ ୨୨ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି କୋରଖ କରିଛି, ଇଡି ସ୍ଥାପନା ପରଠାରୁ ଏହା ଭାରତରେ ପ୍ରଥମ ସବୁଠୁ ବଡ଼ କୋରଖ ବୋଲି କୁହାଯାଉଛି। ଚଣ୍ଡିଗଡ଼ସ୍ଥିତ ପିଏସିଏଲ ବିରୋଧରେ ମନିଲଣ୍ଡ୍ରିଂ ଯାଞ୍ଚରେ ସମ୍ପତ୍ତିଗୁଡିକୁ ନୂଆ କରି ଫ୍ରିଜ କରାଯାଇଛି, ଯେଉଁ ସଂସ୍ଥା ଉପରେ ୪୮,୦୦୦ କୋଟି ଟଙ୍କାର ପୋଞ୍ଜି ଯୋଜନାକୁ ରୂପାୟନ କରିଥିବାର ଅଭିଯୋଗ ରହିଛି।

୧୨୬ ଅଚଳ ସମ୍ପତ୍ତି ପଞ୍ଜାବ ଓ ଦିଲ୍ଲୀରେ ରହିଛି
ଏଜେନ୍ସୀ ଶୁକ୍ରବାର ଜାରି ଏକ ବୟାନରେ କହିଛି ଯେ ପିଏମଏଲଏ ଅନୁସାରେ ଏହି ସମ୍ପତ୍ତି ଗୁଡିକୁ ଜବତ କରିବାର ଅନ୍ତରୀଣ ଆଦେଶ ଜାରି କରାଯାଇଛି। ଏହି ସମ୍ପତ୍ତିର ମୋଟ ମୂଲ୍ୟ ୫,୦ ୪୬.୯୧ କୋଟି ଟଙ୍କା। ଏହି କୋରଖ ସହିତ ଏଜେନ୍ସୀ ଏ ପର୍ଯ୍ୟନ୍ତ ପିଏସିଏଲ ଓ ଏହା ସମ୍ପର୍କିତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ଭାରତ ଓ ବିଦେଶରେ ଥିବା ସମ୍ପତ୍ତି ସହିତ ମୋଟ ୨୨,୬୫୬.୯୧ କୋଟି ଟଙ୍କାର ସମ୍ପତ୍ତି କୋରଖ କରିଛି। ଏଜେନ୍ସୀର ଜନୈକ ଅଧିକାରୀ କହିଛନ୍ତି ଗୋଟିଏ ମାମଲାରେ ଜବତ ହୋଇଥିବା ଏହା ସର୍ବାଧିକ ରାଶି।

୨୦୧୬ରେ ଇଡିର ଯାଞ୍ଚ ପିଏସିଏଲ ଲିମିଟେଡ, ଏହାର ଦିବଙ୍ଗତ ପ୍ରମୋଟର ନିର୍ମଳ ସିଂହ ଭଙ୍ଗୁ ଓ ଅନ୍ୟମାନଙ୍କ ବିରୋଧରେ ୨୦୧୪ ମସିହାରେ ସିବିଆଇ ଦ୍ୱାରା ରୁଜୁ ଏକ ମାମଲା ସମ୍ପର୍କିତ। ସିବିଆଇ ଏତଲା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଇଡି ଏହି ମକଦ୍ଦମା ରୁଜୁ କରିଥିଲା।

୨୦୧୪ରେ ହୋଇଥିଲା ଭଙ୍ଗୁଙ୍କ ପରଲୋକ
ଇଡି ଅନୁସାରେ ପିଏସିଏଲର ଅଭିଯୁ୍କ୍ତ ସଂସ୍ଥା ଓ ବ୍ୟକ୍ତିମାନେ କୃଷି ଭୂମିର ବିକ୍ରି ଓ ବିକାଶ ନାମରେ ସାରା ଭାରତର ଲକ୍ଷଲକ୍ଷ ନିବେଶକଙ୍କ ଠାରୁ ତଞ୍ଚକତା କରି ୬୦,୦୦୦ କୋଟି ଟଙ୍କାରୁ ଅଧିକ ରାଶି ଠୁଳ କରି ଏକ ଅବୈଧ ସାମୂହିକ ନିବେଶ ଯୋଜନା ସଞ୍ଚାଳନ କରିଛନ୍ତି। ଏଥିରେ କୁହାଯାଇଛି ଯେ ନିବେଶକଙ୍କୁ ନଗଦ ଡାଉନ ପେମେଣ୍ଟ ଓ କିସ୍ତିରେ ପୈଠ ଯୋଜନା ମାଧ୍ୟମରେ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଏଜେନ୍ସୀ କହିଛି ଯେ ସଂସ୍ଥା କେବେବି କେଉଁଠି କାହାକୁ ଭୂମି ଆବଣ୍ଟନ କରି ନାହିଁ। ସେହିପରି ନିବେଶକଙ୍କଠୁ ନେଇଥିବା ୪୮,୦୦୦ କୋଟି ଟଙ୍କା ମଧ୍ୟ ଫେରାଇ ନାହିଁ। ଏହି ମାମଲା ଯାହାକୁ ଇଡି ୨୦୧୬ରେ ରୁଜୁ କରିଥିଲା ଏଥିରେ ଏପର୍ଯ୍ୟନ୍ତ ୫ଟି ଚାର୍ଜସିଟ୍ ଦାଖଲ ହେଲାଣି।