କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇଛି । ଆର୍ଥିକ ହେରଫେର ସହ ଜଡ଼ିତ ଏକ ମାମଲାରେ, ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କରିଛି । ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ତ୍ରୁଣମୂଳ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଅଧିକାରୀଙ୍କ ସୂଚନା ଅନୁସାରେ, ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ୪୪୦.୪୨ କୋଟି ଟଙ୍କା ତ୍ରୁଣମୂଳ କଂଗ୍ରେସର ତିନୋଟି ପ୍ରାଇଭେଟ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ରହିଛି । ଅଧିକାରୀଙ୍କ ଅନୁସାରେ, ମଙ୍ଗଳବାର କୋଲକାତାର ପାଞ୍ଚଟି ସ୍ଥାନରେ ଚଢ଼ଉ କରାଯାଇଥିଲା ।

ଅଧିକାରୀଙ୍କ କହିବା ଅନୁସାରେ, ଇଡିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏପ୍ରିଲ ୨୦୨୩ରୁ ଜୁନ୍ ୨୦୨୬ ମଧ୍ୟରେ ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୬୦ କୋଟି ଟଙ୍କା 'କେୟାରୱେଲ ଏଭିଏସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ' ଏବଂ ଏହା ସହ ଜଡ଼ିତ ଅନ୍ୟ ଏକ କମ୍ପାନିକୁ ଟ୍ରାନ୍ସଫର କରାଯାଇଥିଲା । ଅଭିଯୋଗ ହୋଇଛି ଯେ ଏହି କମ୍ପାନି ୨୦୨୩ରୁ ୨୦୨୬ ମଧ୍ୟରେ ୮୨.୯୬ କୋଟି ଟଙ୍କା ଏକ ନୂଆ କମ୍ପାନିକୁ ଟ୍ରାନ୍ସଫର କରିଥିଲା ।

ଟିଏମସିର ୧୮ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ

ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଟିଏମସିକୁ କ୍ଷମତାରୁ ହଟାଇ ଦେଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ, ତଦନ୍ତକାରୀ ଅଧିକାରୀମାନେ ଟିଏମସିର ଅତିକମରେ ୧୮ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରୁଛନ୍ତି । ଗତ ଜୁନ୍ ମାସରେ ଦାଖଲ ହୋଇଥିବା ଏକ ଅଭିଯୋଗ ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୋଗ ହୋଇଥିଲା ଯେ ଏକ ବଡ଼ ସାଇବର ଫ୍ରଡରୁ ମିଳିଥିବା ଟଙ୍କା ଟିଏମସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା ।