ନୂଆଦିଲ୍ଲୀ: ଯୋଗୀ ସରକାରଙ୍କ ବଡ଼ ଆକ୍ସନ। ଉତ୍ତରପ୍ରଦେଶର ୨୦୦ ଘରୋଇ ହସ୍ପିଟାଲ ଉପରେ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ହସ୍ପିଟାଲଗୁଡ଼ିକର ପଞ୍ଜିକରଣ ବାତିଲ କରିବା ସହ ପେମେଣ୍ଟ ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ। ରିପୋର୍ଟ ଅନୁସାରେ, ଏହି ଆକ୍ସନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁସାରେ ନିର୍ଦ୍ଧାରିତ ନିୟମ ପାଳନ କରିନଥିବା ଅଭିଯୋଗ ପରେ ନିଆଯାଇଛି।

ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ଏବଂ ସମନ୍ୱିତ ସେବା ସଂସ୍ଥା (SACHIS)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ବର୍ମା କହିଛନ୍ତି, ଯୋଜନାର ହିତାକାରୀମାନଙ୍କୁ ଉନ୍ନତ ଏବଂ ଗୁଣାତ୍ମକ ଚିକିତ୍ସା ପ୍ରଦାନ କରିବାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ I ଯୋଗୀ ସରକାରରେ ନିର୍ଦ୍ଧାରିତ ମାନକ ଆଧାରରେ ହସ୍ପିଟାଲ ଏପ୍ୟାନେଲମେଣ୍ଟ ମଡ୍ୟୁଲ୍ (HEM) ପୋର୍ଟାଲ୍ ମାଧ୍ୟମରେ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକୁ ଯାଞ୍ଚ କରାଯାଉଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ହସ୍ପିଟାଲଗୁଡ଼ିକ ପାଇଁ ୩୫ଟି ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ହସ୍ପିଟାଲ ପଞ୍ଜିକରଣ ପ୍ରମାଣପତ୍ର, ଅଗ୍ନି ନିରାପତ୍ତା NOC, ଆବଶ୍ୟକୀୟ ଭିଭିଭୂମି, ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା, HFR ପଞ୍ଜିକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଏବଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।

୨୦୦ଟି ଘରୋଇ ହସ୍ପିଟାଲ କରିନଥିଲେ ମାନଦଣ୍ଡ ପୂରଣ

ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ରାଜ୍ୟର ସ୍ବାସ୍ଥ୍ୟ ସଂସ୍ଥା ଇମେଲ୍, ଟେଲିଫୋନ୍ କଲ୍, ମେସେଜ୍, ଚିଠିପତ୍ର ଏବଂ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ହସ୍ପିଟାଲଗୁଡ଼ିକୁ ସହାୟତା ଯୋଗାଇ ଦେଇଛନ୍ତି। ଏହାର ସକାରାତ୍ମକ ଫଳାଫଳ ହେଉଛି ଯେ, ୯୫ ପ୍ରତିଶତରୁ ଅଧିକ ହସ୍ପିଟାଲ ସଫଳତାର ସହ HEM 2.0 ପୋର୍ଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି I ତଥାପି, କିଛି ଘରୋଇ ହସ୍ପିଟାଲ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରି ନାହାଁନ୍ତି I ଯୋଗୀ ସରକାରଙ୍କ ଅନେକ ସୁଯୋଗ ସତ୍ତ୍ବେ, ପ୍ରାୟ ୨୦୦ ଘରୋଇ ହସ୍ପିଟାଲ ମାନଦଣ୍ଡ ଅନୁଯାୟୀ ପ୍ରକ୍ରିୟା ସମାପ୍ତ କରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ ଏମାନଙ୍କ ଉପରେ ଆକ୍ସନ ନିଆଯାଇଛି ବୋଲି କହିଛନ୍ତି ସିଇଓ।

୧୦୦ଟି ଘରୋଇ ହସ୍ପିଟାଲକୁ ଦେୟ ବନ୍ଦ କରାଯାଇଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ୧୦୦ ହସ୍ପିଟାଲଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୧୦୦ଟି ହସ୍ପିଟାଲକୁ ଦେୟ ବନ୍ଦ କରାଯାଇଛି। ସେହିଭଳି ଆଉ ୧୦୦ ହସ୍ପିଟାଲକୁ ଯୋଜନାରୁ ନିଲମ୍ବିତ କରାଯାଇଛି ।

Also Read:ବୁଧବାର ରାତିରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ଚାଲିଗଲା ୫୦ରୁ ଅଧିକ ଜୀବନ

କ’ଣ କହିଲେ ସିଇଓ ଅର୍ଚ୍ଚନା ବର୍ମା ?

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ଆର୍ଥିକ ଭାବରେ ଦୁର୍ବଳ ଏବଂ ପଛୁଆ ବର୍ଗଙ୍କୁ ନିଃଶୁଳ୍କ ଏବଂ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ଏକ ମହତ୍ବପୂର୍ଣ୍ଣ ଯୋଜନା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଏହାକୁ ଅଧିକ ପ୍ରଭାବୀ, ପାରଦର୍ଶୀ ଏବଂ ବିଶ୍ବସନୀୟ କରିବା ପାଇଁ ସମୟ- ସମୟରେ ସୁଧାରମୂଳକ ପଦକ୍ଷେପ ନିଆଯାଉଛି। ଏହି ଦିଗରେ ହସ୍ପିଟାଲଙ୍କ ତାଲିକାବଦ୍ଧତା ଏବଂ ଗୁଣବତ୍ତା ପରୀକ୍ଷଣର ପ୍ରକ୍ରିୟାକୁ ଆହୁରି ଅଧିକ କଠୋର କରାଯାଇଛି।