ତାଶକେଣ୍ଟ: ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ଉଭୟ ଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋଏଭଙ୍କ ମଧ୍ୟରେ ଆଲୋଚନା ସମୟରେ ଏହି ନିଷ୍ପତ୍ତି ହୋଇଛି।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ପରିସର ବଢ଼ାଇବା, ଅଣ-ଶୁଳ୍କ ପ୍ରତିବନ୍ଧକ ଦୂର କରିବା ଏବଂ ନିବେଶ କ୍ଷେତ୍ରରେ ଥିବା ବାଧା ହଟାଇବା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏକ ବ୍ୟବସାୟିକ ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ଦୁଇ ନେତା ସମ୍ମତି ଜଣାଇଛନ୍ତି।

ଅଣ-ଶୁଳ୍କ ପ୍ରତିବନ୍ଧକ ଦୂର ପାଇଁ ଗଠନ ହେବ ଜଏଣ୍ଟ ୱାର୍କିଂ କମିଟି  

ଉଭୟ ଦେଶ ଅଣ-ଶୁଳ୍କ ପ୍ରତିବନ୍ଧକ ଓ ନିବେଶ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଏକ ଯୁଗ୍ମ କାର୍ଯ୍ୟଗୋଷ୍ଠୀ (ଜଏଣ୍ଟ ୱାର୍କିଂ ଗ୍ରୁପ) ଗଠନ କରିବେ। ଦ୍ୱିପାକ୍ଷିକ ବାଣିଜ୍ୟର ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଏହି ଗ୍ରୁପ ବିଶେଷ ଗୁରୁତ୍ୱ ଦେବ। ପ୍ରସ୍ତାବିତ ଭାରତ-ଉଜବେକିସ୍ତାନ ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଏଗ୍ରିମେଣ୍ଟ୍ (PTA) ନେଇ ମଧ୍ୟ ଆଗକୁ ବଢ଼ିବାକୁ ଦୁଇ ଦେଶ ରାଜି ହୋଇଛନ୍ତି।

ଏ ସମ୍ପର୍କିତ ଦୁଇ ଦେଶର ଅଧ୍ୟୟନ ଶେଷ ହୋଇଥିବାରୁ ଏହାର ପରବର୍ତ୍ତୀ ପଦକ୍ଷେପ ସମୟବଦ୍ଧ ଭାବେ ନେବାକୁ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫ରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧.୩ ବିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ୨୦୨୪ ତୁଳନାରେ ୩୩.୩ ପ୍ରତିଶତ ଅଧିକ।

Also Read- ଛୋଟିଆ ଦେଶ ଭିଏତନାମ, ଚୀନ ଓ ଭାରତକୁ ପଛରେ ଛାଡି କେମିତି ଏତେ ଆଗେଇ ଗଲା ? ପ୍ରଥମ ଦେଶ ଭାବେ କଲା ରେକର୍ଡ

ଇଲେକ୍ଟ୍ରିକାଲ୍ ସାମଗ୍ରୀ, ଅଟୋମୋବାଇଲ୍ ଓ ଔଷଧ ଉପରେ ଗୁରୁତ୍ୱ

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧିର ବ୍ୟାପକ ସମ୍ଭାବନା ଥିବା ନେଇ ଦୁଇ ଲିଡର ମତ ଦେଇଛନ୍ତି। ଇଲେକ୍ଟ୍ରିକାଲ୍ ସାମଗ୍ରୀ, ଇଞ୍ଜିନିୟରିଂ ଉତ୍ପାଦ, ଅଟୋମୋବାଇଲ୍ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରକୁ ଅଧିକ ବାଣିଜ୍ୟ ପାଇଁ ପ୍ରମୁଖ ସମ୍ଭାବନାମୟ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଉଭୟ ଦେଶ ମାନୁଫାକ୍ଚରିଂ ଓ ରପ୍ତାନି କ୍ଷମତା ବଢ଼ାଇବା, ନିୟାମକୀୟ ଆଲୋଚନାକୁ ମଜବୁତ କରିବା ଏବଂ ଦ୍ରୁତ ବଜାର ପ୍ରବେଶ ପାଇଁ ପରସ୍ପରର ମାନ୍ୟତା ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରିବେ। ଇ-କମର୍ସ ଓ ବାଣିଜ୍ୟ ପ୍ରକ୍ରିୟାର ଡିଜିଟାଲୀକରଣ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ଦୁଇ ଦେଶ ରାଜି ହୋଇଛନ୍ତି। ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାରକୁ ଏଥିରେ ପ୍ରୋତ୍ସାହନ ଦିଆଯିବ।

ନିବେଶ ବୃଦ୍ଧି ପାଇଁ ନୂଆ ବ୍ୟବସ୍ଥା

ଦୁଇ ଦେଶ ପରସ୍ପର ପାଇଁ ଲାଭଦାୟକ ନିବେଶ ସୁଯୋଗ ଚିହ୍ନଟ କରିବେ। ନିବେଶକମାନଙ୍କ ସମସ୍ୟା ଦୂର କରିବା ଏବଂ ବ୍ୟବସାୟ କରିବାର ସୁବିଧା ବଢ଼ାଇବା ପାଇଁ ଏକ ପ୍ରତିଷ୍ଠାନଗତ ବ୍ୟବସ୍ଥା ଗଠନ କରାଯିବ। ଉଜବେକିସ୍ତାନର ଇନଭେଷ୍ଟମେଣ୍ଟ ପ୍ରମୋସନ୍ ଏଜେନ୍ସି ଓ ଭାରତର ‘ଇନଭେଷ୍ଟ ଇଣ୍ଡିଆ’ ମଧ୍ୟରେ ଅଧିକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଯୁଗ୍ମ ବ୍ୟବସାୟିକ ଫୋରମ୍, ରୋଡ୍ଶୋ, ନିବେଶ ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇମୁଖୀ ନିବେଶ ବଢ଼ାଇବାକୁ ଉଦ୍ୟମ ହେବ।

କ୍ରିଟିକାଲ୍ ମିନେରାଲ୍ କ୍ଷେତ୍ରରେ ସହଯୋଗ

କ୍ରିଟିକାଲ୍ ମିନେରାଲ୍ କ୍ଷେତ୍ରରେ ମଧ୍ୟ ଭାରତ ଓ ଉଜବେକିସ୍ତାନ ସହଯୋଗ ବଢ଼ାଇବେ। ଭୂତାତ୍ତ୍ୱିକ ଅନୁସନ୍ଧାନ, ଖଣି ଖନନ, ଖଣିଜ ପ୍ରକ୍ରିୟାକରଣ ଓ ସମନ୍ୱିତ ମୂଲ୍ୟ ଶୃଙ୍ଖଳକୁ ନେଇ ଯୁଗ୍ମ ପ୍ରକଳ୍ପ ହାତକୁ ନିଆଯିବ। ଉଜବେକିସ୍ତାନର ସମ୍ଭାବ୍ୟ ଖଣିଜ ଭଣ୍ଡାରର ବିକାଶରେ ଭାରତୀୟ କମ୍ପାନୀଗୁଡ଼ିକର ଅଂଶଗ୍ରହଣ ଏବଂ ଭାରତରେ ଉଜବେକ୍ କମ୍ପାନୀଗୁଡ଼ିକ ଯୁଗ୍ମ ପ୍ରକଳ୍ପ ଆରମ୍ଭ କରିବା ନେଇ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି। ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତି ବ୍ୟବହାର କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଉଜବେକିସ୍ତାନରୁ ଦୀର୍ଘମିଆଦୀ ୟୁରାନିୟମ୍ ଯୋଗାଣ ବ୍ୟବସ୍ଥା ନେଇ ହୋଇଥିବା ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି।

ପରିବହନ ଓ ଟେକ୍ନୋଲୋଜୀ ସହଯୋଗ ବଢ଼ିବ

ବହୁମୁଖୀ ପରିବହନ ମାର୍ଗ ଓ ଲଜିଷ୍ଟିକ୍ସ କରିଡର ମାଧ୍ୟମରେ ପରିବହନ ଓ ଲଜିଷ୍ଟିକ୍ସ ସଂଯୋଗ ବଢ଼ାଇବାକୁ ଭାରତ ଓ ଉଜବେକିସ୍ତାନ ପ୍ରତିବଦ୍ଧତା ଦେଖାଇଛନ୍ତି। ମାଲ ପରିବହନ ବ୍ୟବସ୍ଥାକୁ ପୁନର୍ବାର ସକ୍ରିୟ କରି ଖର୍ଚ୍ଚ କମାଇବା ଉପରେ ମଧ୍ୟ ଜୋର ଦିଆଯାଇଛି। ସଡ଼କ ନିର୍ମାଣର ଆଧୁନିକ ଟେକ୍ନୋଲୋଜୀ ବିନିମୟ, ସଡ଼କ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଯୁଗ୍ମ ପ୍ରକଳ୍ପ ଏବଂ ଉଜବେକିସ୍ତାନର ସାର୍ବଜନୀନ ପରିବହନରେ ପରିବେଶ ଅନୁକୂଳ ଓ ଶକ୍ତି-ଦକ୍ଷ ସମାଧାନ ଉପରେ ମଧ୍ୟ ଦୁଇ ଦେଶ କାମ କରିବେ।

ତାଶକେଣ୍ଟରେ ୨୦୧୯ରେ ଭାରତୀୟ ମଡେଲ୍ ଆଧାରରେ ସ୍ଥାପିତ ପ୍ରଥମ ଆଇଟି ପାର୍କର କାମକୁ ଦୁଇ ନେତା ସ୍ୱାଗତ କରିଛନ୍ତି। ଏହା ସଫ୍ଟୱେର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆର ସହଯୋଗରେ ପ୍ରତିଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଟେକ୍ନୋଲୋଜି ପାର୍କ, କମ୍ପାନୀ, ଷ୍ଟାର୍ଟଅପ୍ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାଗିଦାରି ବଢ଼ାଇବାକୁ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ଉଚ୍ଚ ଟେକ୍ନୋଲୋଜୀ ଓ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସୁରକ୍ଷିତ, ନିରାପଦ ଓ ବିଶ୍ୱସନୀୟ ଏଆଇ ପ୍ରଣାଳୀର ବିକାଶ ପାଇଁ ଅଭିଜ୍ଞତା ଓ ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ କରିବେ ଉଭୟ ଦେଶ।

ଏହା ସହିତ ଭାରତ-ଉଜବେକିସ୍ତାନ ସମ୍ପର୍କକୁ ଆହୁରି ମଜବୁତ କରି ଦୁଇ ଦେଶର ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’କୁ ‘ବ୍ୟାପକ ରଣନୈତିକ ଅଂଶିଦାରୀ’କୁ ଉନ୍ନୀତ କରାଯାଇଛି। ଚୁକ୍ତି ଓ ବୁଝାମଣାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ନଜର ରଖିବା ପାଇଁ ବୈଦେଶିକ ମନ୍ତ୍ରୀସ୍ତରୀୟ ଏକ ଉଚ୍ଚସ୍ତରୀୟ ବ୍ୟବସ୍ଥା ଗଠନ କରିବାକୁ ମଧ୍ୟ ଦୁଇ ନେତା ରାଜି ହୋଇଛନ୍ତି।