ଭୁବନେଶ୍ୱର : ଅନେକ ବର୍ଷର ପ୍ରେମ... ଦେଢ଼ ବର୍ଷ ତଳେ ବାହାଘର। କୋଳରେ ୩ ମାସର ଶିଶୁ । କେତେ ସୁନ୍ଦର ସ୍ୱପ୍ନ ଦେଖି ବନସ୍ମିତାଙ୍କ ହାତ ଧରିଥିଲେ ସର୍ବେଶ୍ୱର। ସେ ଭାବିଥିଲେ ଏଇଠି ହିଁ ସେ ସବୁଠୁ ସୁରକ୍ଷିତ। କିନ୍ତୁ କିଏ ଜାଣିଥିଲା, ନିୟତିର ଖେଳ ଏତେ ନିଷ୍ଠୁର! ଇଏ ସେ ସ୍ୱାମୀ... ଯିଏ ଦିନେ ଥିଲା ପ୍ରିୟର ପ୍ରେମିକ। ତାପରେ ବିଶ୍ୱସ୍ତ ସ୍ୱାମୀ ଆଉ ଏବେ ପାଲଟି ଯାଇଛି ପତ୍ନୀହନ୍ତା । କାହିଁକି, କେମିତି ଘଟିଲା କଣ। ସୁନ୍ଦର ସଂସାରକୁ କାହିଁକି କ୍ଷଣିକରେ ଭାଙ୍ଗିଦେଲା ସ୍ୱାମୀ। କଣ ପାଇଁ ସ୍ୱାମୀ ପାଲଟିଲା ସଇତାନ୍। ଏକ ବୀଭତ୍ସ ଆଉ ଭୟଙ୍କର ହତ୍ୟାରେ କେବଳ ଜଣକର ଜୀବନ ଚାଲି ଯାଇନି, ଦୁଇ ପରିବାରର ସବୁ ସୁଖକୁ ଚୁନା କରି ଦେଇଛି। ଆଉ ଛିଡ଼ା କରିଛି ବିଶ୍ୱାସ, ଅବିଶ୍ୱାସ, ସନ୍ଦେହର ଅନେକ ଜଟିଳ ପ୍ରଶ୍ନ। କାହିଁକି ଦୀର୍ଘ ପ୍ରେମ, ବିବାହ ଓ ସନ୍ତାନର ଜନକ ହେବା ପରେ ଏହି ଯୁବକ ପାଲଟିଲା ଭୟାନକ ହତ୍ୟାକାରୀ।

ପିଲା ଜନ୍ମ ହେବା ପରେ କେନ୍ଦ୍ରାପଡା ରାଜନଗର ନିଜ ଗାଁ ଘରେ ରହୁଥିଲେ ସର୍ବେଶ୍ୱର ପ୍ରଧାନ, ତାଙ୍କ ପତ୍ନୀ ବନସ୍ମିତା ସ୍ୱାଇଁ ଓ ପିଲା। ମେଡ଼ିକାଲ ଚେକଅପ ପାଇଁ 2 ଦିନ ପୂର୍ବରୁ ଭୁବନେଶ୍ୱର ଆସିଥିଲେ। ବନସ୍ମିତାଙ୍କ ସହ ତାଙ୍କ ଶ୍ୱଶୂର ଓ ନଣନ୍ଦ ମଧ୍ୟ ଆସିଥିଲେ। ସେମାନେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ତାଙ୍କ ନିଜ ଘରେ ରହୁଥିଲେ। ବୁଧବାର ସନ୍ଧ୍ୟା ସମୟରେ ସର୍ବେଶ୍ୱରଙ୍କ ବାପା ଘରେ ନଥିଲେ। ସର୍ବେଶ୍ୱର ନିଜ ଭଉଣୀକୁ କୌଣସି କାରଣରୁ ବାହାରକୁ ଯିବାକୁ କହିଥିଲେ। ସେ ସମୟରେ କୌଣସି ଏକ ସାମାନ୍ୟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହେଲା। ତାପରେ ସର୍ବେଶ୍ୱର ଉତ୍ତ୍ୟକ୍ତ ହୋଇ ରୋଷେଇ ଘରୁ ଏକ ତାୱା ଆଣି ବନସ୍ମିତାଙ୍କ ମୁଣ୍ଡକୁ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲେ। ବନସ୍ମିତାଙ୍କ କାକୁତି ମିନତି ଓ ଯନ୍ତ୍ରଣାଦାୟକ ଚିତ୍କାର ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିରଦିନ ପାଇଁ ନୀରବି ଗଲା। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗ୍ରିଲ୍ ଭାଙ୍ଗି ଅଭିଯୁକ୍ତ ସ୍ୱାମୀକୁ କାବୁ କରାଯାଇଥିଲା। କିନ୍ତୁ ଏପଟେ ଘଟଣାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବନସ୍ମିତାଙ୍କ ପରବାର ଲୋକେ। ପୂର୍ବରୁ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳହ ଲାଗି ରହୁଥିଲା। ୨ ଲକ୍ଷ ଟଙ୍କା ପାଇଁ ଝିଅକୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମିତି କି ସର୍ବେଶ୍ୱର ମାନସିକ ରୋଗୀ ନଥିଲେ ବୋଲି ମଧ୍ୟ ମୃତକଙ୍କ ପରିବାର କହିଛନ୍ତି। ଗାଁରୁ ଡକାଇ ଷଡଯନ୍ତ୍ର କରି ବନସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବନସ୍ମିତାଙ୍କ ବାପା ଓ ଭଉଣୀ।

Also Read-ରୋଷେଇ କରୁଥିଲେ ସ୍ତ୍ରୀ, ହଠାତ୍ କବାଟ ବନ୍ଦ କଲା ସ୍ୱାମୀ; ତାୱାରେ ମୁଣ୍ଡକୁ ପିଟି ହତ୍ୟା କଲା

ଘଟଣାକୁ ନେଇ ଜୋନ୍-୫ ଏସିପି, ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇ ହତ୍ୟାର ପ୍ରକୃତ କାରଣ ଖୋଜୁଛି ପୋଲିସ । ଇଏ ଯୋଜନାବନ୍ଧ ହତ୍ୟା ନା ଆଉ କିଛି, ତଦନ୍ତ ପରେ ପୂରା ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ହେଲେ ଏଭଳି ଏକ ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କେହି। ଯେଉଁ ହାତ ଦିନେ ବନସ୍ମିତାଙ୍କ ମଥାରେ ସିନ୍ଦୂର ଦେଇ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିଲା, ଆଜି ସେହି ହାତ ସବୁ ଉଜାଡ଼ିଦେଲା। ମାଆ ଚାଲିଗଲା ପରେ ମାସର ଶିଶୁଟିର ଅବସ୍ଥା କଣ ହେବ। ତାକୁ ତ ଏତିକି ବି ଜଣା ନାହିଁ ଯେ ତା' ମାଆ ଆଉ କେବେବି ଫୋରିବନି। ଥରେ ଭାବନ୍ତୁତ ଗୋଟିଏ ମୁହୂର୍ତ୍ତର କ୍ରୋଧ କଣ କଣ କରିପାରେ। ଏଠି ବନସ୍ମିତାଙ୍କ ଜୀବନ ଦୀପ ଲିଭିଗଲା, ସର୍ବେଶ୍ୱରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଗଲା ଆଉ ଏକ ନୀରିହ ଶିଶୁ ଜୀବନ ଆରମ୍ଭରୁ ହିଁ ମାଆ ଛେଉଣ୍ଡ ହୋଇଗଲା।