ଭୁବନେଶ୍ୱର  : ଦୀପାବଳି ସରିଛି, ହେଲେ ଗୋଟିଏ ପରେ ଗୋଟିଏ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବାଣ ଫୁଟାକୁ କେନ୍ଦ୍ର କରି ରାଜଧାନୀରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ। କେଉଁଠି ବୋମା ଫୁଟିଲା ତ ଆଉ କେଉଁଠି ଖଣ୍ଡା ବୁଲିଲା। ଘରେ ପଶି ମାଆଙ୍କ ସମେତ ପରିବାର ଲୋକଙ୍କୁ ଆକ୍ରମଣ, ପୁଣି ମୁଖା ପିନ୍ଧି ହତିଆର ଧରି ଘରେ ପଶିଲେ ଦୁର୍ବୃତ୍ତ। କମିସନରେଟ୍ ପୋଲିସର କଡ଼ା ପହରା ସତ୍ତ୍ୱେ ରାଜଧାନୀରେ ଅପରାଧୀଙ୍କ ଏଭଳି ଆତଙ୍କ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଉଠାଇଛି ବଡ଼ ପ୍ରଶ୍ନ।

ବାଣ ଫୁଟାକୁ କେନ୍ଦ୍ର କରି ରାଜଧାନୀରେ ଫୁଟିଲା ବୋମା, ବୁଲିଲା ଖଣ୍ଡା। ଏୟାର ପୋର୍ଟ ଥାନା ପଳାଶପଲ୍ଲୀ ଅଞ୍ଚଳରେ ଦୀପାବଳି ରାତି 10 ଟାରେ ଘଟିଛି ଅଘଟଣ। ଆକ୍ରମଣରେ ପରିବାର ଦୁଇ ପୁଅ, ମା ଓ ସମ୍ପର୍କୀୟ ଭାଇ ଆହତ ହୋଇଛନ୍ତି। ଗୁରୁତର ମାନେ ହେଲେ ଦୁଇ ଭାଇ ସିଦ୍ଧେଶ୍ୱର ମହାରଣା , କୃଷ୍ଣ ମହାରଣା, ମା’ ସୌଦାମିନୀ ମହାରଣା ସମ୍ପର୍କୟ, ଭାଇ ସତ୍ୟଜିତ ରଥ। ସେମାନେ ଗୁରୁତର ହୋଇ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେମିତି ଦୀପାବଳି ସମୟରେ ଏୟାରପୋର୍ଟ ଥାନା ଅଧୀନ ପଳାଶୁଣୀରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଘଟିଛି ତୁମୁଳ କାଣ୍ଡ।  ପଳାଶୁଣୀ ଲେନ 8ରେ ଦୁବୃର୍ତ୍ତମାନେ ଘରେ ପଶି ଜଣେ ମହିଳାଙ୍କ ସମେତ 4 ଜଣଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ। ଏହି ଅଞ୍ଚଳର ଗୋଟିଏ ପରିବାର ବାଣ ଫୁଟାଉଥିବା ସମୟରେ କିଛି ଯୁବକ ବାଇକରେ ସେହି ବାଟ ଦେଇ ଯାଉଥିଲେ।  ସେମାନଙ୍କ ଆଗରେ ଏକ ବାଣ ଫୁଟିଯିବାରୁ ଉତ୍ୟକ୍ତ ହୋଇ 12 ରୁ 15 ଯୁବକ ଏକାଠି ହୋଇ ଘରେ ପଶି କରିଥିଲେ ଆକ୍ରମଣ।  ଘର ମାଲିକାଣୀଙ୍କ ସମେତ 3 ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ଦ୍ଵାରା 4ଜଣେ ଗୁରୁତ୍ୱର ହୋଇଥିଲେ।  ଖବର ପାଇ ଏୟାରପୋର୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି 3ଜଣଙ୍କୁ ଗିରଫ କରିଛି। 

ଅନ୍ୟପଟେ ଦୀପାବଳି ରାତିରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ।  ମୁଁହରେ ଗାମୁଛା ଓ ହାତରେ ହତିଆର ଧରି ଘର ଭିତରେ ପଶିଲେ, ଆଉ କାରନାମା ପୂର୍ବରୁ ସିସିଟିଭି ଭାଙ୍ଗିଲେ।  ରାତି ସାଢ଼େ ୧୨ଟାରେ ଗୋଟିଏ ପରିବାରର ଲୋକଙ୍କୁ ଘରେ ପସି ହତ୍ୟା ଉଦ୍ୟମ କରିଥିବା ନେଇ ଏୟାରଫିଲଡ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।  ଆଉ ସବୁ କାରନାମା କ୍ୟାମେରାରେ କଏଦ ହୋଇଛି ।  ଘଟଣା ଘଟିଛି ଭୀମଟାଙ୍ଗୀର ଲେନ ୮ ରେ । ବାଣ ଫୁଟାକୁ ନେଇ ଏହି ତୁମୁଳକାଣ୍ଡ ଘଟିଥିବା କୁହାଯାଉଛି ।  ସଂଧ୍ୟା ବେଳେ, ଘର ଉପରକୁ ବାଣ ଫୋପାଡ଼ିବାରୁ ଘର ମାଲିକ ପଦ୍ମନାଭ ସାହୁ ଓ ତାଙ୍କ ପତ୍ନୀ ଏନେଇ ବାରଣ କରିଥିଲେ।  ପରବର୍ତୀ ସମୟରେ ଘରେ ବାଣ ଫୋପାଡ଼ିବାକୁ ମନା କରିବାରୁ, ଖଣ୍ଡା ଧରି ଘରେ ପଶିଥିଲେ ୩ ଜଣ ଦୁର୍ବୁତ୍ତ ।  ସିସିଟିଭି ଭଙ୍ଗାରୁଜା ସହ ଭୀମଟାଙ୍ଗୀରେ ଆତଙ୍କ ଖେଳାଇଥିଲେ । ଭୟରେ ଥିବା ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ ।  ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ତୁମୁଲକାଣ୍ଡ ଘଟିଥିବା କୁହାଯାଉଛି । ଏୟାରଫିଲ୍ଡ ପୋଲିସ ଦୁଇଜଣଙ୍କୁ ଘଟଣା ପରେ ଉଠାଇ ନେଇ ପଚରା ଉଚୁରା କରୁଛି। 

Also Read- ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର

କମିସନରେଟ ପୋଲିସର କଡ଼ା ପହରା ସତ୍ତ୍ୱେ ଅପରାଧୀ ସେମାନଙ୍କର ଅପରାଧ କରିବାକୁ ପଛାଇ ନାହାନ୍ତି । ଗତ ଗୁରୁବାର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଖଣ୍ଡା ବୁଲା ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ । ଆଉ ଏବେ ଏୟାରପୋର୍ଟ ଓ ଏୟାରଫିଲ୍ଡ ଘଟଣାର ସମସ୍ତ ଅଭିଯୁକ୍ତ କେବେ ଧରାପଡୁଛନ୍ତି ତାହା ସମୟ କହିବ ।