ବ୍ରହ୍ମପୁର: କାର୍ଯ୍ୟରତ ଟ୍ରାଫିକ୍ ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା । ଗିରଫ ହେଲେ ଦୁଇ ଯୁବକ । ଗିରଫ ଦୁଇ ଯୁବକ ହେଲେ ଦକ୍ଷିଣପୁର ଗାଁର ଅନନ୍ତ କେଶରୀ ଦେବ ଓ ଶିବରାମ ପ୍ରଧାନ । ଗତକାଲି ବିଶାଲ ମେଗା ମାର୍ଟ ଛକରେ ଦୁଇ ଯୁବକ ନୋ ଏଣ୍ଟ୍ରିରେ ନିଜ କାରକୁ ପ୍ରବେଶ କରାଉଥିଲେ । ସେଠାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ଆର.ସଦାନନ୍ଦ ମନା କରିବା ଯୋଗୁଁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହାକୁ ନେଇ କନେଷ୍ଟବଳ ଜଣକ ଟାଉନ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । କନେଷ୍ଟବଳଙ୍କ ଅଭିଯୋଗକୁ ଆଧାର କରି ଟାଉନ ଥାନା ପୋଲିସ ଆଜି ଦୁଇଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ କରିଥିବା ଗାଡ଼ିକୁ ଜବତ କରିଛି ପୋଲିସ ।

ରିପୋର୍ଟ ଅନୁସାରେ, ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ କାମ ପାଇଁ ବିଶାଲ ଛକରୁ ଗେଟ୍ ବଜାର ଆଡ଼କୁ ଗାଡ଼ି ଚଳାଚଳରେ କଟକଣା ଲାଗିଛି । ଗୁରୁବାର ଅପରାହ୍ନ ୪ଟାରେ ହଠାତ୍ ଏକ କାର ସେହି ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲା । ସେଠାରେ ସୁରକ୍ଷା ଦାୟିତ୍ଵରେ ଥିବା ଟ୍ରାଫିକ୍ କନେଷ୍ଟବଳ ତାଙ୍କୁ ଅଟକାଇଥିଲେ । ଏହାପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ନିଜକୁ ଫ୍ଲାଏଓଭର ନିର୍ମାଣ କରୁଥିବା ଠିକାସଂସ୍କାର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । କିନ୍ତୁ ସେଠାରେ ଥିବା ସିକ୍ୟୁରିଟି ତାଙ୍କୁ ଚିହ୍ନି ନଥିବା କହିଥିଲେ ।

ଏହାପରେ ଗାଡ଼ି ଅନ୍ୟ ରାସ୍ତାରେ ନେବାକୁ ଟ୍ରାଫିକ୍ କର୍ମଚାରୀ କହିଥିଲେ । ଏହାପରେ ସେହି ଯୁବକ ନିଜକୁ ଏକ ରାଷ୍ଟ୍ରୀୟ ଦଳର ପଦାଧିକାରୀ ବୋଲି ପରିଚୟ ଦେଇଥିଲେ । ତେବେ ନିୟମ ମାନି ଅନ୍ୟ ରାସ୍ତାରେ ଯିବାକୁ ଟ୍ରାଫିକ୍ କର୍ମଚାରୀ ତାଙ୍କୁ ଅନୁରୋଧ କରିଥିଲେ । ଏହାପରେ ଯୁବକ ଟ୍ରାଫିକ୍ କର୍ମଚାରୀଙ୍କୁ ଧକ୍କା ଓ ମୁଥ ମାରିଥିଲେ । ନିକଟରେ ଥିବା ମହିଳା ଟ୍ରାଫିକ କନେଷ୍ଟବଳ ତାଙ୍କୁ ବୁଝାଇବାକୁ ଆସିଥିଲେ । ମହିଳା କନେଷ୍ଟବଳଙ୍କୁ ବି ଯୁବକ ଚାପୁଡ଼ା ମାରିଥିଲେ । ଦୀର୍ଘ ୧୦ ମିନଟ ଧରି ଏହି ଡ୍ରାମା ଚାଲିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।