ବେଙ୍ଗାଲୁରୁ,|୦୭:ଝଗଡା ଲାଗୁଥିଲେ ବାପା ଏବଂ ମାଆ । ବଳି ପଡିଲା ଝିଅ । ଜୀବନ ହାରିଲା । ଯାହାକୁ ନେଇ ଅଭିଯୁକ୍ତ ବାପା ଏବଂ ମାଆକୁ ଗିରଫ କରିଛି ପୋଲିସ । କର୍ଣ୍ଣାଟର ବେଙ୍ଗାଲୁରରେ ଏହି ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି ।

ପୋଲିସର କହିବାନୁସାରେ, ଗତ ଜୁନ ୯ ତାରିଖରେ ଆଭାଲାହାଲି ଥାନା ଅନ୍ତର୍ଗତ କିଟାଗାନୁର ଗ୍ରାମରୁ ସେମାନଙ୍କୁ ଜଣେ ବ୍ୟକ୍ତି ଫୋନ୍ କରିଥିଲେ । ଫୋନ୍ କରିଥିବା ବ୍ୟକ୍ତି ହେଲେ ସେକାପ୍ପା । ତାଙ୍କ ଶିଶୁ ଖଟରୁ ପଡି଼ ପ୍ରାଣ ହରାଇଥିବା କଥା କହିଥିଲେ । ଏହି ସମୟରେ ସ୍ତ୍ରୀ ମଧ୍ୟ ନିଦରେ ଶୋଇ ପଡିଥିଲେ । ତେଣୁ ଶିଶୁଟି ପଡିଥିବା ସେ ଜାଣିପାରିନଥିଲେ । ଖଟରୁ ପଡିବା କାରଣରୁ ୧୧ ମାସର ଝିଅଟିର ମୃତ୍ୟୁ ହୋଇଥିବା ସେ ପୋଲିସ ନିକଟରେ ପ୍ରକାଶ କରିଥିଲେ । ପୋଲିସ ଏହାକୁ ଏକ ସାଧାରଣ ମୃତ୍ୟୁ କହି ତଦନ୍ତ ଆରମ୍ଭ କରିଥିଲା ।

ପୋଷ୍ଟ ମର୍ଟମରେ ସତ

ପୋଲିସ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହେଲେ ଏଥିରୁ ସତ ବାହାରି ଯାଇଥିଲା । ଶିଶୁଟିକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଭାବେ ଜଣା ପଡିଥିଲା । ପ୍ରଥମେ ସେକାପ୍ପା ଶିଶୁଟିକୁ ଇଷ୍ଟ୍ ପଏଣ୍ଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଥିଲେ । ଯେଉଁଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଆଘାତ ପାଇଁ ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା ।

ତେବେ ଜୁନ ୨୨ ତାରିଖରେ ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିଥିଲା । କନ୍ୟାର ଶରୀର ଭିତରେ ବ୍ଲିଡିଂ ହେବା ସହ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ରିପୋର୍ଟ କହିଥିଲା । ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଥିଲା । ଖଟର ଉଚ୍ଚତା ମାତ୍ର ୨ ଫୁଟ୍ ଥିବା ବେଳେ ଏତେ କମ୍ ଉଚ୍ଚତାରୁ ପଡି ପ୍ରାଣ ହରାଇବା କଥାକୁ ପୋଲିସ ସହଜରେ ବିଶ୍ୱାସ କରିପାରିନଥିଲା ।

Also Read :- ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ସିଆରପିଏଫ୍ ଯବାନ

ପ୍ରକୃତ ସତ କଣ ?

ତଦନ୍ତରେ ଜଣା ପଡିଛି ଯେ, ଜୁନ ୯ ତାରିଖରେ ସେକାପ୍ପା ଏବଂ ପତ୍ନୀ ବିଜୟଲକ୍ଷ୍ମୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ରାଗି ଯାଇ ଶିଶୁଟିକୁ ବିଜୟଲକ୍ଷ୍ମୀ ଗୋଇଠା ମାରିଥିଲେ । ଫଳରେ ଶିଶୁକନ୍ୟାଟି ଜୋରରେ କାନ୍ଦିଥିଲା । କାନ୍ଦ ଶୁଣି ବାପା ସେକାପ୍ପା ଆହୁରି ରାଗି ଯାଇ ତଳେ କଚାଡି ଦେଇଥିଲା । ଫଳରେ ତାର ମୃତ୍ୟୁ ହୋଇଯାଇଥିଲା । ତେବେ ବିଜୟଲକ୍ଷ୍ମୀଙ୍କ ପଡୋଶୀଙ୍କ ସହ ପରକୀୟା ପ୍ରୀତି କାରଣରୁ ଝଗଡାର ସୂତ୍ରପାତ ହୋଇଥିବା ପୋଲିସ ସନ୍ଦେହ କରୁଛି । ଏବେ ଉଭୟ ବାପା ସେକାପ୍ପା ଏବଂ ମା ବିଜୟଲକ୍ଷ୍ମୀଙ୍କୁ ଗିରଫ କରାଯିବା ସହ ସଦନ୍ତ ଜାରି ରହିଛି ।