କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ସଚିବାଳୟ ତୃଣ ମୂଳ କଂଗ୍ରେସ (ଟିଏମସି) ବିଦ୍ରୋହୀ ଗୋଷ୍ଠୀ ସମ୍ପର୍କିତ ୧୦ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରି ସପ୍ତାହକ ମଧ୍ୟରେ ଜବାବ ତଲବ କରିଛି। ଏହି ନୋଟିସ୍ ମମତା ବାନାର୍ଜୀଙ୍କ ୩ଟି ଗୋଷ୍ଠୀ ପକ୍ଷରୁ ରୁଜୁ ସେହି ଆବେଦନ ଉପରେ ଜାରି ହୋଇଛି ଯେଉଁଥିରେ ସେମାନଙ୍କୁ ବିଧାୟକ ରୂପେ ଅଯୋଗ୍ୟ ଘୋଷଣ କରିବାକୁ ଅନୁରୋଧ କରାଯାଇଛି। ଏହି ପଦକ୍ଷେପ ପାର୍ଟି ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜାରି ବିବାଦକୁ ଔପଚାରିକ କାର୍ଯ୍ୟାନୁଷ୍ଠାନରେ ପରିବର୍ତ୍ତିତ କରିଛି।

ବିଧାନସଭା ସଚିବାଳୟ ପକ୍ଷରୁ ଯେଉଁ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି ସେମାନଙ୍କ ମଧ୍ୟରେ ସଦନରେ ବିରୋଧୀଦଳ ନେତା ଋତବ୍ରତ ବାନାର୍ଜୀଙ୍କ ବ୍ୟତୀତ ଅରୂପ ରାୟ, ଫିରହାଦ ହକିମ, ସନ୍ଦୀପନ ସାହା, ମୁଖ୍ୟ ସଚେତକ ଅଖରୁଜମାନ ଅଂସାରୀ, ଶିଉଲୀ ସାହା, ସବିନା ୟାସ୍ମିନ୍, ବିପ୍ଲବ ମିତ୍ର, ଜାଭେଦ ଖାନ ଓ ରଥିନ ଘୋଷ ଆଦି ଅଛନ୍ତି। ବିଧାନସଭା ସୂତ୍ର ଅନୁସାରେ ଏହି ବିଧାୟକମାନଙ୍କୁ ୭ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ବିଦ୍ରୋହୀ ଗୋଷ୍ଠୀ ବିଧାୟକ ଅଖରୁ ଜମାନ ଅଂସାରୀ ବିଧାନସଭା ସଚିବାଳୟ ନୋଟିସ ମିଳିଥିବା ପୁଷ୍ଟି କରିଛନ୍ତି।

ସେ କହିଛନ୍ତି ଯେ ଆମେ ପାର୍ଟି ଭିତରେ ଏନେଇ ଚର୍ଚ୍ଚା କରିବୁ ଓ ସଠିକ ସମୟରେ ଉଚିତ ଜବାବ ଦେବୁ। ଏହି ଘଟଣାକ୍ରମ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳ ନେତା ପଦବୀ ଲାଗି ମମତା ଗୋଷ୍ଠୀଙ୍କ ପ୍ରାର୍ଥୀ ଶୋଭନ ଦେବ ଚଟ୍ଟୋପଧ୍ୟାୟ ଋତବ୍ରତ ଓ ତାଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ୯ ଅନ୍ୟ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଅନୁରୋଧକୁ ନେଇ ସୁପ୍ରିମକୋର୍ଟ ମୁହାଁଇବାର ଦିନକ ପରେ ସାମ୍ନାକୁ ଆସିଛି। ଚଟ୍ଟୋପଧ୍ୟାୟ ଜୁଲାଇ ୭ ତାରିଖରେ ବିଧାସଭା ବାଚସ୍ପତି ରଥିନ୍ଦ୍ର ବୋଷଙ୍କୁ ପତ୍ର ଲେଖି ବିଦ୍ରୋହୀ ଗୋଷ୍ଠୀର ୧୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ ଏହି ବିଧାୟକମାନେ ପାର୍ଟି ସ୍ୱାର୍ଥ ବିରୋଧରେ କାମ କରୁଛନ୍ତି। ବିରୋଧୀ ଦଳ ନେତା ନିଯୁକ୍ତି ମାମଲା ପୂର୍ବରୁ କୋଲକାତା ଉଚ୍ଚନ୍ୟାୟାଳୟରେ ବିଚାରଧୀନ ରହିଛି। ଏଥିରେ ଚଟ୍ଟୋପଧ୍ୟାୟ ଏହି ପଦବୀ ଲାଗି ଋତବ୍ରତଙ୍କୁ ବିଧାନସଭା ବାଚସ୍ପତି ମାନ୍ୟତା ଦେବାପାଇଁ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି।