କାକିରିଗୁମା: ସରକାର ଗରିବ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି । ଅଥଚ ରାସନକାର୍ଡ ଖାତା ସରିବା ପରେ ନୂଆଖାତା ପାଇଁ କାର୍ଡ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପୁର ବ୍ଲକ୍ ପଞ୍ଚଡ଼ା ପଞ୍ଚାୟତବାସୀ । ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ଶତାଧିକ ହିତାଧିକାରୀ ନୂଆ ରାସନକାର୍ଡ ଖାତା ପାଇବା ପାଇଁ ନିଜର କୁଲି ମଜୁରି ଛାଡ଼ି ଡିଲରଙ୍କ ଘରେ ଭିଡ଼ ଜମାଉଛନ୍ତି । ଦୂରଦୂରାନ୍ତରୁ କେହି ଅଟୋରେ, କେହି ବସରେ ତ ଆଉ କିଏ ବାଇକରେ ଆସୁଛନ୍ତି । ଅନେକ ହିତାଧିକାରୀ ପିଲାଛୁଆଙ୍କୁ ଧରି ଆସି ଖରାବର୍ଷାରେ ଦିନସାରା ଅପେକ୍ଷା କରୁଛନ୍ତି । ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ଦିନସାରା ଅପେକ୍ଷା କରିବା ସହ ନୂଆଖାତା ପାଇଁ ୫୦ ଟଙ୍କା ଦେବାକୁ ପଡ଼ୁଛି । ଏଥିସହ ଡିଲରଙ୍କ ଘରକୁ ଯିବାଆସିବାରେ ଜଣେ ହିତାଧିକାରୀଙ୍କୁ ପ୍ରାୟ ୧୦୦ରୁ ୨୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଏପରିକି ଅନେକ ଥର ଡିଲରଙ୍କ ଘରକୁ ଆସିବାକୁ ପଡ଼ୁଥିବାରୁ ଦିନ ମଜୁରି ମଧ୍ୟ ହରାଇବାକୁ ପଡ଼ୁଛି । ସରକାର ଯଦି ପଞ୍ଚାୟତ କିମ୍ବା ଗାଁ ସ୍ତରରେ ହିତାଧିକାରୀଙ୍କୁ ରାସନକାର୍ଡ ନୂଆଖାତା ପହଞ୍ଚାଇବାର ବ୍ୟବସ୍ଥା କରିଥାନ୍ତେ, ତେବେ ଏଭଳି ଅସୁବିଧା ହୋଇନଥାନ୍ତା । ରାସନକାର୍ଡ ଖାତା ମାଗଣାରେ ଯୋଗାଇ ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଯୋଗାଣ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।