ନୂଆଦିଲ୍ଲୀ ୨୭/ ୧୨: ୯୧ ବର୍ଷର ଜଣେ ମାଆ । ବୟସର ଅପରାହ୍ନରେ ସେ ଶଯ୍ୟାଶାୟୀ । ଦେହରେ ଆଉ ବଳ ନାହିଁ କି ଆଖିକୁ ଭଲରେ ଦେଖାଯାଉନି ।  କେତେବେଳେ ଯେ ନିଶ୍ବାସ ଅଟକିଯିବ କହି ହେବନି । ଏପରି ଅବସ୍ଥାରେ ମଧ୍ୟ ବିଛଣାରେ ଶୋଇ ଶୋଇ ପୁଅ ପାଇଁ ସ୍ଟେଟର ବୁଣିଛନ୍ତି ।  ସ୍ବେଟରଟି ଛୋଟ ହୋଇପାରେ କିନ୍ତୁ ସ୍ବେଟରରେ ଲୁଚିରହିଥିବା ମାଆର ସ୍ନେହ ପ୍ରେମ ଭଲପାଇବା କେବେ କମ୍‌ ହୋଇପାରିବନି  । ଆପଣ ଜଣେ ମାଆର ପିଲାଟି ପ୍ରତି ପ୍ରେମ ଅନେକ ରୂପରେ ଦେଖିଥିବେ । ସେଇଟା ବେଶ ସରଳ ଓ ଅପ୍ରତ୍ୟାଶିତ ଉପାୟରେ ପ୍ରକାଶ ପାଏ । ଏଠି ଜଣେ ମାଆର ଭଲପାଇବା ସ୍ବେଟର ମାଧ୍ୟମରେ ପରିପ୍ରକାଶ ହୋଇଛି ।

ସୋସିଆଲ ସାଇଟ୍‌ ‘X’ରେ ଏକ ପୋଷ୍ଟରେ ଜଣେ ବ୍ୟକ୍ତି  ଅରୁଣ ଭାଗବଥୁଲା ତାଙ୍କ ୯୧ ବର୍ଷୀୟ ମାଆଙ୍କ ବିଷୟରେ ଏକ କାହାଣୀ ସେୟାର କରିଛନ୍ତି । ।  ଯିଏ ବିଛଣାରେ ପଡିଥିବାବେଳେ ସୀମିତ ସମୟରେ ତାଙ୍କ ପାଇଁ ଏକ ସ୍ବେଟର ବୁଣିଥିଲେ । ବୟସ ଓ ଶାରିରୀକ ଅସୁବିଧା ସତ୍ତ୍ବେ ମାଆ ଶୋଇ ଶୋଇ ବୁଣା କାମ ଜାରି ରଖିଥିଲେ । ଯେତେବେଳେ ତାଙ୍କ ହାତ ଯନ୍ତ୍ରଣା ହେଉଥିଲା ସେ ଟିକେ ସମୟ ପାଇଁ ବିଶ୍ରାମ ନେଉଥିଲେ ଏବଂ ପୁଣି କାମ ଆରମ୍ଭ କରୁଥିଲେ ।

ଅରୁଣ ତାଙ୍କର ଅନୁଭୂତି ସେୟାର କରି କହିଛନ୍ତି ମାଆ ସ୍ବେଟର ବୁଣା ଆରମ୍ଭ କରିବା ପୂର୍ବରୁ ମୋତେ ମେସେଜ କରି କହିଥିଲେ ଯେ ସେ ମୋ ପାଇଁ ଧଳା ସ୍ବେଟର ବୁଣିବାକୁ ଚାହାଁନ୍ତି । ଆହୁରି କହିଥିଲେ ତୁ ମନା କଲେ ମଧ୍ୟ ମୁଁ କରିବି । ମୁଁ ଜାଣିଥିଲି ମାଆଙ୍କୁ ମନା କଲେ ମଧ୍ୟ ସେ ମୋ କଥା  ଶୁଣିବେନି । ତାପରେ ବି ମାଆଙ୍କର ସ୍ବେଟର ବୁଣିବା ପ୍ରତି ଏତେ ଆଗ୍ରହ ଦେଖି ମୁଁ ମନା କରିପାରିନଥିଲି । ମୋ ଠାରୁ ହଁ ଶୁଣିବା ପରେ ସ୍ବେଟର ବୁଣା କାମ ଆରମ୍ଭ କରିଥିଲେ । ବୟସାଧିକ କାରଣରୁ ସେ ଶୋଇ ଶୋଇ ବୁଣୁଥିଲେ । ଏମିତି କିଛି ଦିନ ଚାଲିଗଲା । ସ୍ବେଟରର ଉପର ଭାଗ ଶେଷ ହେବା ପରେ ମୋତେ ବେକ ଯାଞ୍ଚ କରିବାକୁ କହିଲେ । ଟିକେ ଛୋଟ ହେଉଥିବାରୁ ମୁଁ ଆଉ ଟିକେ ଲମ୍ବା କରିବାକୁ କହିଥିଲି । ମାଆ କିଛି କହିନଥିଲେ ନିରବରେ ମୋ କଥାରେ ସମ୍ମତି ଜଣାଇ ପୁଣି ବୁଣିବା କାମ ଜାରି ରଖିଥିଲେ । ପରେ ସ୍ବେଟରର ଆଗ ପଛ ପୁରା କରି ମୋତେ ଫିଟ୍‌ ହେଉଛି କି ନାହିଁ ଚେକ୍‌ କରିବାକୁ କହିଥିଲେ । ମୁଁ ଯେତେବେଳେ ସ୍ବେଟର ପିନ୍ଧିଲି ୨ ପାର୍ଶ୍ବରେ ୬ ଇଞ୍ଚର ବ୍ୟବଧାନ ଦେଖିଲି । ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ ମୁଁ ଦେଇଥିବା ଛାତିର ଆକାର ସେ ଠିକ ଭାବରେ କରିପାରିଛନ୍ତି ।  

ମୁଁ ଶାନ୍ତ ଭାବରେ ଉତ୍ତର ଦେଲି  ଆଉ ପଚାରିଲି ତମେ ମୋ ଛାତିର ଆକାର ପଚାରିଲ ଅଣ୍ଟାର ଆକାର ନୁହେଁ । ପୁଣି ମାଆଙ୍କୁ ସ୍ବେଟର ଖୋଲିବାକୁ ପଡିଲା । ଏଥର କିନ୍ତୁ ଟିକେ ଅନିଚ୍ଛା ପ୍ରକାଶ କରିଥିଲେ ପୁଣି ଖୋଲିକି ବୁଣିବାକୁ । ତଥାପି ସେ ମୋତେ ମନା କରିନଥିଲେ । ପୁଣି ଖୋଲି ବୁଣିଥିଲେ ଓ ଶେଷ କରି ମୋତେ ଦେଇଥିଲେ । ମୁଁ ମଧ୍ୟ ସ୍ବେଟର ପିନ୍ଧି ବେଶ ଖୁସି ହୋଇଥିଲି କିନ୍ତୁ ସ୍ବେଟର ଟିକେ ଛୋଟ ହୋଇଯାଇଥିଲା । ଏଥର ଆଉ ଥରେ ଖୋଲି କରିବା ପାଇଁ ମାଆଙ୍କୁ କହିବାକୁ ମୋ ହୃଦୟ ମୋତେ ଅନୁମତି ଦେଲାନି । ମୁଁ ମନେ ମନେ ଗୁଣୁଗୁଣାଇ ହେଲି,  ସ୍ବେଟରଟି ଛୋଟ ହୋଇପାରେ କିନ୍ତୁ ତାଙ୍କ ପ୍ରେମ କେବେ ନୁହେଁ ।

ସୋସିଆଲ ସାଇଟ୍‌ ‘X’ରେ ପୋଷ୍ଟଟି ଅପଲୋଡ ହେବା ପରେ ବେଶ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଭାବପ୍ରବଣ, ସୁନ୍ଦର ଓ ଗଭୀର ଭାବରେ ସଂପର୍କିତ ବୋଲି କହିଛନ୍ତି । ଜଣେ ଲେଖିଛନ୍ତି ବାଃ, ଏହା ସବୁଦିନ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପହାର । ଆଉ ଜଣେ ଲେଖିଛନ୍ତି ଏହା ସୁନ୍ଦର, ଅପୂର୍ଣ୍ଣତା ହିଁ ସବୁକିଛି ସୁନ୍ଦର କରିଥାଏ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ମୁାଁ ଯାହା ଦେଖୁଛି ତାହା ହେଉଛି ପ୍ରେମ ଏବଂ ପ୍ରେମ ଏବଂ କେବଳ ପ୍ରେମ । ଏହି ଘଟଣା ଲୋକଙ୍କୁ ବେଶ ପ୍ରଭାବିତ କରିଛି ।