ନୂଆଦିଲ୍ଲୀ: କେନ୍ଦ୍ର ସୂଚା ଆୟୋଗ (ସିଆଇସି) ସୋମବାର ତାଙ୍କ ୨୦୧୮ ମସିହା ଆଦେଶକୁ ପଲଟାଇ କହିଛନ୍ତି ଯେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅନ୍ତର୍ଗତ ନୁହନ୍ତି। ଆୟୋଗ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରାଳୟଙ୍କ ନିକଟରେ ୨୦୧୭ରେ ରୁଜୁ ସେହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁଥିରେ ବିସିସିଆଇ ଦ୍ୱାରା ଭାରତର ପ୍ରତିନିଧିତ୍ୱ କରିବା ଓ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଲାଗି ଖେଳାଳି ବଛାଯିବାର ପ୍ରାବଧାନ ଓ ଗାଇଡଲାଇନ ସମ୍ପର୍କରେ ସୂଚନା ମଗାଯାଇଥିଲା ଏହାଛଡା ଭାରତ ସରକାରଙ୍କ ଦ୍ୱାରା ବିସିସିଆଇକୁ ପ୍ରଦତ୍ତ ଅଧିକାର ଉପରେ ମଧ୍ୟ ପ୍ରଶ୍ନ କରାଯାଇଥିଲା।

ସିଆଇସି ଏହାବି ଟିପ୍ପଣୀ କରିଛନ୍ତି ଯେ ଏହା ମାନିନେବା ଉଚିତ ନୁହେଁ ଯେ ସରକାରୀ ତତ୍ୱାବଧାନ ବଢିଲେ ବିସିସିଆଇର କାମ ଆହୁରି ଭଲ ହେବ। ସିଆଇସି ଏହି ଚେତାବନୀ ମଧ୍ୟ ଦେଇଛନ୍ତି ଯେ ସରକାରଙ୍କ ଅତିରିକ୍ତ ନିୟନ୍ତ୍ରଣ ସଂସ୍ଥାର ସନ୍ତୁଳିତ ଆର୍ଥିକ ସଂରଚନାକୁ ବିଗାଡିଦେଇପାରେ। ଆୟୋଗ ଏହା ବି କହିଛନ୍ତି ଯେ ଖେଳ ପ୍ରଶାସନରେ ପାରଦର୍ଶିତା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ଲୋଢା କମିଟିର ସଂସ୍କାର ସମ୍ପର୍କିତ ସୁପାରିଶ କେବଳ ପରାମର୍ଶ ପ୍ରକୃତିର ଥିଲା ଓ ଆରଟିଆଇ ଅଧିନିୟମର ଧାରା ୨(ଏଚ)ରେ ନିହିତ ସ୍ପଷ୍ଟ ବୈଧାନିକ ଢାଞ୍ଚାକୁ ରଦ୍ଦ କରିପାରିନଥିଲା।

ଗତବର୍ଷ ସେପ୍ଟେମ୍ବରରେ ମାଡ୍ରାସ ହାଇକୋର୍ଟ ଦ୍ୱାରା ସିଆଇସିର ଅକ୍ଟୋବର ୨୦୧୮ର ପୂର୍ବ ଆଦେଶକୁ ନୂଆ କରି ଶୁଣାଣି ଲାଗି ଫେରସ୍ତ କରିବା ପରେ ଏହି ମାମଲାର ପୁନର୍ବିଚାର କରାଗଲା। ୨୦୧୮ରେ ସିଆଇସି ସୂଚନା ଅଧିକାର ଅଧିନିୟମରେ ବିସିସିଆଇକୁ ସାର୍ବଜନିକ ପ୍ରାଧିକରଣ ସ୍ୱୀକାର କରି ତତ୍କାଳୀନ ଅଧ୍ୟକ୍ଷ, ସଚିବ ଓ ପ୍ରଶାସକ ସମିତି (ସିଓଏ)ଙ୍କୁ ସୂଚନା ଅଧିକାରୀ ନିଯୁକ୍ତି କରିବା ଓ ଆରଟିଆଇରେ ସୂଚନା ଲାଗି ଆବେଦନ ପ୍ରାପ୍ତ କରିବା ହେତୁ ଅନଲାଇନ ଓ ଅଫଲାଇନ ତନ୍ତ୍ର ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ବିସିସିଆଇଙ୍କ ବିରୋଧରେ ଆଉ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ପରେ କ୍ରିକେଟ ବୋର୍ଡ ମାଡ୍ରାସ ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟ ବସିସିଆଇକୁ ଆରଟିଆଇ ଅଧିନିୟମରେ ‘ସାର୍ବଜନିକ ପ୍ରାଧିକରଣ’ ଘୋଷଣା କରିନାହାନ୍ତି।

ସୂଚନା କମିଶନର ପି.ଆର.ରମେଶଙ୍କ ଦ୍ୱାରା ଗୃହୀତ ନୂଆ ଆଦେଶରେ ସିଆଇସି କହିଛନ୍ତି ଯେ ବିସିସିଆଇ ସୂଚନା ଅଧିକାର ଅଧିନିୟମ ୨୦୦୫ର ଧାରା ୨(ଏଚ) ରେ ସାର୍ବଜନିକ ପ୍ରାଧିକରଣ ପରିସରରେ ଆସୁ ନାହିଁ, ଏଣୁ ଏହା ଆରଟିଆଇ ଅଧିନିୟମ ପ୍ରାବଧାନ ଅଧିନିମୟ ଅନ୍ତର୍ଗତ ନୁହେଁ। ସିଆଇସିଙ୍କ ଆଦେଶରେ କୁହାଯାଇଛି ଯେ ବିସିସିଆଇ ତାମିଲନାଡୁ ସୋସାଇଟି ପଞ୍ଜିକରଣ ଅଧିନିୟମରେ ପଞ୍ଜିକୃତ ଏକ ସଂସ୍ଥା। ଆଦେଶରେ କୁହାଯାଇଛି ଯେ ବିସିସିଆଇ ନା ସମ୍ବିଧାନ ଦ୍ୱାରା ସ୍ଥାପିତ ନା ସଂସଦ କି ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ କୌଣସି ଆଇନରେ ଗଠିତ। ସେହିପରି ଆୟୋଗ ଏହା ବି ପାଇଛନ୍ତି ଯେ ବିସିସିଆଇର ସଙ୍ଗଠନ କୌଣସି ସରକାରୀ ଅଧିସୂଚନା ବା କାର୍ଯ୍ୟକାରୀ ଆଦେଶ ମାଧ୍ୟମରେ ଗଠନ ହୋଇ ନାହିଁ।

ଆୟୋଗ ଏହା ବି ସ୍ପଷ୍ଟ କରିଛନ୍ତି ଯେ ପଦାଧିକାରୀଙ୍କ ନିଯୁକ୍ତି ଓ ବୋର୍ଡର ଅନ୍ତରୀଣ କାର୍ଯ୍ୟରେ ସରକାରଙ୍କର କୌଣସି ଭୂମିକା ନାହିଁ। ସେହିପରି ଆୟୋଗ ବିସିସିଆଇର ଆର୍ଥିକ ସ୍ୱାଧୀନତା ଉପରେ ମଧ୍ୟ ଜୋର ଦେଇଛନ୍ତି। କାରଣ ବୋର୍ଡ ମିଡିଆ ଅଧିକାର, ପ୍ରାୟୋଜନ, ପ୍ରସାରଣ ସଂସ୍ଥା, ଟିକେଟ୍ ବିକ୍ରି ଓ ଅନ୍ୟ ବ୍ୟବସାୟୀକ ଗତିବିଦ୍ଧି ମାଧ୍ୟମରେ ନିଜର ରାଜସ୍ୱ ଅର୍ଜନ କରନ୍ତି। ଏଥିରେ ବୋର୍ଡ କୁ ଦିଆଯାଇଥିବା କର ରିହାତିକୁ ସରକାରୀ ଫଣ୍ଡିଂ ବୁଝାଯାଇ ପାରିବନି।