ନୂଆଦିଲ୍ଲୀ: ତାମିଲନାଡୁର ଆକ୍ଟର ଟର୍ଣ୍ଣଡ୍ ସିଏମ ଜୋସେଫ୍ ବିଜୟଙ୍କୁ ନେଇ ପୁଣି ଏକ ଭବିଷ୍ୟବାଣୀ । ତାମିଲନାଡୁରେ ଟିଭିକେ ଜିତିବ ଏବଂ ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଯେଉଁ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ, ସେ ଏବେ ଆଉ ଏକ ଅବିଶ୍ବସନୀୟ ଦାବି କରିଛନ୍ତି। ବିଜୟଙ୍କ ଜନ୍ମ କୁଣ୍ଡଳୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଣ୍ଡଳୀର ପୁରା କପି ବୋଲି ସେ କହିଛନ୍ତି । ତାଙ୍କର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ବିଜୟ କେବଳ ତାମିଲନାଡୁରେ ସୀମିତ ରହିବେ ନାହିଁ, ଦେଶର ରାଜନୀତିରେ ବଡ଼ ଭୂମିକା ଗ୍ରହଣ କରିବେ । ପ୍ରସିଦ୍ଧ ଜ୍ୟୋତିଷ ରାଧନ ପଣ୍ଡିତ ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ବିଜୟଙ୍କ ରାଜନୈତିକ ଯାତ୍ରା କେବଳ ମୁଖ୍ୟମନ୍ତ୍ରୀ ପଦରେ ସୀମିତ ରହିବ ନାହିଁ, ବରଂ ସେ ଦେଶର ସର୍ବୋଚ୍ଚ ପଦବୀ ଅର୍ଥାତ୍ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରନ୍ତି।

ଜ୍ୟୋତିଷ ରାଧନ ପଣ୍ଡିତଙ୍କ କହିବା ଅନୁଯାୟୀ, ବିଜୟଙ୍କ ଭାଗ୍ୟ ଏବଂ ଗ୍ରହ ନକ୍ଷତ୍ରର ସ୍ଥିତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଶ୍ଚର୍ଯ୍ୟଜନକ ଭାବରେ ମିଶୁଛି। ରାଧନ ପଣ୍ଡିତ କହିଛନ୍ତି ଯେ, ବିଜୟଙ୍କ ଜନ୍ମ କୁଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଣ୍ଡଳୀର ଏକ 'ଫଟୋକପି' ପରି। ଉଭୟଙ୍କ ଗ୍ରହ ଦଶା ଏବଂ ରାଜଯୋଗ ମଧ୍ୟରେ ଅନେକ ସମାନତା ରହିଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ବିଜୟଙ୍କ ପାଇଁ କେବଳ ଏକ ଆରମ୍ଭ ମାତ୍ର। ସେ ଭବିଷ୍ୟତରେ ଜଣେ ପ୍ରଭାବଶାଳୀ ଜାତୀୟ ନେତା ଭାବେ ଉଭା ହେବେ ଏବଂ ଭାରତର ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଗୁଣ ତାଙ୍କ ଭାଗ୍ୟରେ ରହିଛି। ଯେପରି ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ସମୟ ସେବା କରିବା ପରେ ଦେଶର ନେତୃତ୍ୱ ନେଇଥିଲେ, ବିଜୟଙ୍କ କ୍ଷେତ୍ରରେ ମଧ୍ୟ ସେହିପରି ଯୋଗ ରହିଛି ବୋଲି ଜ୍ୟୋତିଷ ରାଧନ ପଣ୍ଡିତ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ମୋଦୀ ଏବଂ ବିଜୟଙ୍କ ମଧ୍ୟରେ ଗୋଟିଏ ବଡ଼ ସମାନତା ହେଉଛି ବୟସ । ୨୦୦୧ରେ ମୋଦୀ ୫୧ ବର୍ଷ ବୟସରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ବିଜୟଙ୍କୁ ୫୧ ବର୍ଷ ବୟସ । ତେଣୁ ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଦେଶର ପ୍ରଧାନମନ୍ତ୍ରୀ ହେବାର ଏକ ସଂକେତ ବୋଲି ରାଧନ ପଣ୍ଡିତ କହିଛନ୍ତି । ତେବେ ତାମିଲନାଡୁ ବିଧାନସଭା ନିର୍ବାଚନ ସମୟରେ, ରାଧନ ପଣ୍ଡିତ ଦାବି କରିଥିଲେ ଯେ, ଟିଭିକେ ବିଜୟୀ ହେବ ଏବଂ ବିଜୟ ମୁଖ୍ୟମନ୍ତ୍ରୀ ହେବେ । ତେଣୁ ସେ ଏବେ କରିଥିବା ନୂଆ ଭବିଷ୍ୟବାଣୀ ବିଜୟଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ବଢ଼ାଇ ଦେଇଛି । କିନ୍ତୁ ରାଧନ ପଣ୍ଡିତଙ୍କ ଦାବିକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜୟଙ୍କ ପ୍ରଶଂସକମାନେ ଏହାକୁ ବିଜୟଙ୍କ ବର୍ଦ୍ଧିତ ଲୋକପ୍ରିୟତାର ସଙ୍କେତ ବୋଲି କହୁଥିବା ବେଳେ ସମାଲୋଚକମାନେ ରାଜନୀତିରେ ଜ୍ୟୋତିଷଶାସ୍ତ୍ରର ଭୂମିକା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଭବିଷ୍ୟବାଣୀକୁ ଉପହାସ କରାଯାଇଛି । ଏହି ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ଭାଇରାଲ ହେଉଛି। ଆଉ ବିଜୟ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଟାଣି ହୋଇଆସିଛନ୍ତି । ସେପଟେ ତାମିଲନାଡୁରେ ଅଭିନେତାମାନେ ରାଜନୀତିକୁ ଆସିବା ଏକ ପୁରୁଣା ପରମ୍ପରା। ଏମ.ଜି. ରାମଚନ୍ଦ୍ରନ୍, ଜୟଲଳିତା ଏବଂ କରୁଣାନିଧିଙ୍କ ପରି ବ୍ୟକ୍ତିତ୍ୱମାନେ ରାଜ୍ୟରେ ଶାସନ କରିଛନ୍ତି। କିନ୍ତୁ ବିଜୟଙ୍କୁ ନେଇ ହୋଇଥିବା ଭବିଷ୍ୟବାଣୀ ତାଙ୍କ ପ୍ରଶଂସକ ଏବଂ ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ ନୂଆ ବିତର୍କ ସୃଷ୍ଟି କରିଛି।