ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ସୋମବାର ୨୦୨୫-୨୬ ପାଇଁ ଖେଳାଳିଙ୍କ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି। ଦଳର ତାରକା ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଗ୍ରେଡ୍ ଏ ପ୍ଲସରୁ କାଢି ଗ୍ରେଡ୍ ବିରେ ରଖାଯାଇଛି। ସବୁଠୁ ବଡ଼ କଥା ବିସିସିଆଇ ଗ୍ରେଡ ଏ  ପ୍ଲସକୁ ସମାପ୍ତ କରିଛି। ଏବେ କେବଳ ତିନୋଟି ଗ୍ରେଡ୍ ଏ, ବି ଓ ସି ରଖାଯାଇଛି। ଅନୁଭବୀ ଖେଳାଳି ମହମ୍ମଦ ଶାମି ଓ ଓ୍ଵିକେଟ୍ କିପର ଇଶାନ କିଶନଙ୍କୁ ଏଥର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାହାରେ ରଖାଯାଇଛି।

ରୋହିତ ଶର୍ମା ଓ ବିରାଟ କୋହଲି ସଂପ୍ରତି କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି। ଦୁହେଁ ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ତେଣୁ ଦୁହିଁଙ୍କୁ ବିସିସିଆଇ  ଗ୍ରେଡ୍ ବିରେ ରଖିଛି। ତିନି ଫର୍ମାଟ୍ ଖେଳୁଥିବା କିଛି ତାରକା ଖେଳାଳିଙ୍କୁ ବିସିସିଆଇ ଗ୍ରେଡ୍ ଏ ପ୍ଲସରେ ରଖି ଆସିଥିଲା। ରୋହିତ ଓ କୋହଲିଙ୍କୁ ଗ୍ରେଡ୍ ବିରେ ରଖାଯିବା ସହ ଗ୍ରେଡ୍  ଏ ପ୍ଲସକୁ ଉଚ୍ଛେଦ କରିଛି ବିସିସିଆଇ।

ଗ୍ରେଡ୍ ଏରେ କେବଳ ତିନି ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍, ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ଗ୍ରେଡ୍  ବିରେ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅଛନ୍ତି। ଏହା ବାଦ୍  ଗ୍ରେଡ୍ ବିରେ ଥିବା ଅନ୍ୟ ଖେଳାଳି ହେଉଛନ୍ତି ଓ୍ଵାଶିଂଟନ ସୁନ୍ଦର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତ। ଏହିପରି ଭାବେ ୧୧ ଜଣ ଖେଳାଳିଙ୍କୁ ବି କାଟାଗୋରୀରେ ସ୍ଥାନ ମିଳିଛି। ଅଭିଷେକ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ପରି ଖେଳାଳି ଗ୍ରେଡ୍ ସିରେ ଅଛନ୍ତି।​​​​​​​

ଶାମି-କିଶନଙ୍କୁ ମିଳିଲାନି ସ୍ଥାନ

ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଓ  ଓ୍ଵିକେଟ୍ କିପର ଇଶାନ କିଶନଙ୍କୁ ଏଥର କେନ୍ଦ୍ରୀୟ ଅନୁବନ୍ଧରୁ ବାହାର କରାଯାଇଛି। ଏହା ବ୍ୟତୀତ ସରଫରାଜ ଖାନ ଓ ରଜତ ପାଟିଦାରଙ୍କୁ ମଧ୍ୟ ସ୍ଥାନ ମିଳିନି। ଯୁବ ବ୍ୟାଟର ସାଇ ସୁଦର୍ଶନଙ୍କୁ ପ୍ରଥମ ଥର ବିସିସିଆଇରେ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ କରାଯାଇଛି। ମୋଟ୍ ୩୦ ଜଣ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ରଖିଛି ବୋର୍ଡ।

ସୂଚନାଯୋଗ ବିସିସିଆଇ ଖେଳାଳିଙ୍କୁ ଚାରୋଟି ଗ୍ରେଡ ଏ ପ୍ଲସ, ଏ, ବି ଏବଂ ସିରେ ରଖିଥିଲା। ଏ ପ୍ଲସର ଖେଳାଳିଙ୍କୁ ବାର୍ଷିକ ୭ କୋଟି, ଗ୍ରେଡ ଏର ୫ କୋଟି, ଗ୍ରେଡ୍ ବିର ୩ କୋଟି ଏବଂ  ଗ୍ରେଡ୍ ସିର ଖେଳାଳିଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳୁଥିଲା। ​​​​​​​

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା

ଗ୍ରେଡ୍ ଏ: ଶୁଭମନ ଗିଲ, ଯଶପ୍ରୀତ ବୁମରା ଏବଂ ରବୀନ୍ଦ୍ର ଜାଡେଜା

ଗ୍ରେଡ ବି: ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଯଶସ୍ଵୀ ଜୟସ୍ଵାଲ ଏବଂ ଶ୍ରେୟସ ଆୟର।

ଗ୍ରେଡସି: ଅକ୍ଷର ପଟେଲ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା, ଅର୍ଶଦୀପ ସିଂହ, ସଞ୍ଜୁ ସାମସନ୍, ନୀତୀଶ କୁମାର ରେଡ୍ଡୀ, ପ୍ରଷିଦ୍ଧ କୃଷ୍ଣ, ଆକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ସାଇ ସୁଦର୍ଶନ।