ବାରିପଦା ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବିଭୀଷିକା ପରେ ନିଖୋଜ ଅଛନ୍ତି ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡ ଅଞ୍ଚଳର ୨୧ ବର୍ଷୀୟା କୁଲସୁମ ନିଗାର । ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି ।

୧୨ ଜଣିଆ ଟିମ୍ ଯାଇଥିଲେ

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୨୧ ତାରିଖରେ କୁଲସୁମ ବାରିପଦାରୁ ବସ୍ ଯୋଗେ କୋଲକାତା ଯାଇଥିଲେ । ସେଠାରେ ଭୁବନେଶ୍ୱରରୁ ଯାଇଥିବା ତାଙ୍କ ସାଙ୍ଗ ଦୀପିକା ଏକ୍କାଙ୍କ ସହ ମିଥିଳା ଏକ୍ସପ୍ରେସ୍ ଯୋଗେ ବିହାରର ରକ୍ସୋଲରେ ପହଞ୍ଚିଥିଲେ । ରକ୍ସୋଲରୁ ଏକ ୧୨ ଜଣିଆ ଟିମ୍ ସହ ଟ୍ୟାକ୍ସି ଯୋଗେ ନେପାଳର ପୋଖରା ଯାଇଥିଲେ ।

୨୫ରୁ ହୋଇପାରୁନି ଯୋଗାଯୋଗ

ଅଗଷ୍ଟ ୨୫ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ କୁଲସୁମ ଟ୍ରେକିଂ ପାଇଁ ବାହାରିଥିଲେ । ବାହାରିବା ପୂର୍ବରୁ ସେ ଘରକୁ ଫୋନ୍ କରି ଜଣାଇଥିଲେ ଯେ, ଟ୍ରେକିଂ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନ ହୋଇପାରେ । ତେଣୁ ଫେରିବା ପରେ ହିଁ ପରିବାର ସହ ଯୋଗାଯୋଗ କରିବେ ବୋଲି କହିଥିଲେ । ତେବେ ନେପାଳରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି । କୁଲସୁମଙ୍କ ଭଉଣୀ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ ।

Also Read:- ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି

ଝିଅକୁ ଫେରାଇ ଆଣିବାକୁ ନିବେଦନ

କୁଲସୁମଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରି ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ନେପାଳ ପ୍ରଶାସନ ସହ ଯୋଗାଯୋଗ କରି ନିଖୋଜ କୁଲସୁମଙ୍କୁ ଶୀଘ୍ର ଖୋଜି ବାହାର କରି ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । କୁଲସୁମ କେଉଁଠି ଅଛନ୍ତି, ତାଙ୍କ ସୁରକ୍ଷା ନେଇ ପରିବାର ଅନିଶ୍ଚିତତାରେ । ଏବେ ପ୍ରଶାସନିକ ତତ୍ପରତା ହିଁ ପରିବାରକୁ ଆଶ୍ୱସ୍ତ କରିପାରିବ ।

Watch Video: