ପାଟନା:ଶାସକ ଦଳରୁ ଟିକେଟ୍ ପାଇଥିଲେ । ହେଭିୱେଟ୍ ନେତାଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଥିଲେ । ହେଲେ ଗୋଟିଏ ଦିନ ଭିତରେ କଣ ଏମିତି ହେଲା ଯେ, ସ୍ଥିତି ପୂରା ଓଲଟିଗଲା । ନାମାଙ୍କନ ଦାଖଲର ଗୋଟିଏ ଦିନ ପରେ ମୈଦାନ ଛାଡ଼ିଦେଲେ । ବିହାରର ବାଙ୍କୀପୁର ବିଧାନସଭା ପାଇଁ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଏକ ହାଇ ଡ୍ରାମ ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀ ଅଭିଷେକ ସିହ୍ନା ଓରଫ୍ ବଣ୍ଟି ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ପାରିବାରିକ କାରଣ ଦର୍ଶାଇ ସେ ଏହି ଉପନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଏନେଇ ସେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ଦିନ ସେ ବହୁ ଟାଣୁଆ ନେତାଙ୍କ ଗହଣରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅଭିଷେକଙ୍କ ପଛଘୁଞ୍ଚା ପରେ ବିଜେପି ନୀରଜ ସିହ୍ନାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଛି ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଅଭିଷେକ କୁମାର ସିହ୍ନା କହିଛନ୍ତି, "ପାରିବାରିକ କାରଣ ଯୋଗୁଁ ମୁଁ ବିଧାନସଭା ଉପନିର୍ବାଚନ ଲଢ଼ିବାକୁ ଅସମର୍ଥ । ବିଜେପି ମୋତେ ଏହି ଆସନ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ମୁଁ ଦଳର କେନ୍ଦ୍ରୀୟ ଓ ପ୍ରଦେଶ ନେତୃତ୍ୱଙ୍କ ନିକଟରେ କୃତଜ୍ଞ । ନିର୍ବାଚନ ନଲଢ଼ିଲେ ମଧ୍ୟ ମୁଁ ଦଳର ଜଣେ ନିଷ୍ଠାପର କର୍ମୀ ଭାବରେ ପୂର୍ବଭଳି ସଂଗଠନର ସେବା ଓ ନିଜର ଦାୟିତ୍ୱ ତୁଲାଇବି ।" ତେବେ ଅଭିଷେକଙ୍କ ଏହି ନିଷ୍ପତ୍ତିକୁ ନେଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ ।

ଜୁଲାଇ ୩୦ରେ ହେବ ଭୋଟ୍ ଗ୍ରହଣ

ବିଜେପି ନେତା ନିତିନ ନବୀନଙ୍କ ଇସ୍ତଫା ପରେ ବାଙ୍କୀପୁର ବିଧାନସଭା ଆସନଟି ଖାଲି ପଡ଼ିଥିଲା। ଏହି ଆସନ ପାଇଁ ଆସନ୍ତା ଜୁଲାଇ ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଅଗଷ୍ଟ ୩ ତାରିଖରେ ଭୋଟ୍ ଗଣତି କରାଯିବ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୩ ରହିଛି ।

ବାଙ୍କୀପୁର ଉପନିର୍ବାଚନ ମଇଦାନ ଏବେ ବେଶ୍ ରୋଚକ ମୋଡ଼ରେ ପହଞ୍ଚିଛି । ଦେଶର ଜଣାଶୁଣା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଭଳି ସ୍ଥିତିରେ ବିଜେପି ପ୍ରାର୍ଥୀଙ୍କ ହଠାତ୍ ନାମାଙ୍କନ ପ୍ରତ୍ୟାହାର ଏବଂ ନୂଆ ପ୍ରାର୍ଥୀ ଘୋଷଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।