ଢାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦି ନିଜ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଦୁଇ ବର୍ଷ ପୂର୍ବରୁ ଖୁବ୍‌ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ପ୍ରମୁଖ ରାଜନୈତିକ ସୂତ୍ରରୁ ସୂଚନା ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ ମଧ୍ୟ ଶାହାବୁଦ୍ଦିନ୍‌ ନିଜର ସାମ୍ବିଧାନିକ ପଦବୀରେ ଥିବା ଏକମାତ୍ର ଶୀର୍ଷ ନେତା ଥିଲେ। ତେବେ ବର୍ତ୍ତମାନର ତାରିକ୍ ରହମାନ୍‌ଙ୍କ ନେତୃତ୍ୱାଧୀନ ବାଂଲାଦେଶ ନାସନାଲିଷ୍ଟ ପାର୍ଟି (BNP) ସରକାର ତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିବା ପରେ ଏହି ସ୍ଥିତି ଉପୁଜିଛି। 

ପ୍ରମୁଖ ବାଂଲାଦେଶୀ ସମ୍ବାଦପତ୍ର 'ପ୍ରଥମ ଆଲୋ' ଅନୁଯାୟୀ, ରାଷ୍ଟ୍ରପତି ଶାହାବୁଦ୍ଦିନ୍‌ ନିକଟରେ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ପୁନର୍ବାର ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଥିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି। 'ଦି ଡେଲି ଷ୍ଟାର୍'ର ଏକ ଖବର ଅନୁଯାୟୀ, କେବଳ ଫୋନ୍‌ କଲ୍ ନୁହେଁ, ବରଂ ହସିନା ନିଜ ଦେଶକୁ ଫେରିବା ପାଇଁ କରିଥିବା ଘୋଷଣା ପରେ ସୃଷ୍ଟି ହୋଇଥିବା ଜଟିଳ ଓ ସମ୍ବେଦନଶୀଳ ରାଜନୈତିକ ବାତାବରଣ ମଧ୍ୟ ଏହି ଇସ୍ତଫା ପଛର ଅନ୍ୟତମ କାରଣ। 

ଶାହାବୁଦ୍ଦିନ୍‌ ଏପ୍ରିଲ୍ ୨୦୨୩ରେ ୫ ବର୍ଷ ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ । କିନ୍ତୁ ଏବେ ସେ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ।ସେପଟେ ହସିନା ଆଗାମୀ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଛନ୍ତି । ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍, 'ଜୁଲାଇ ଆନ୍ଦୋଳନ' ଦମନ ମାମଲାରେ ଶେଖ୍ ହସିନା ଏବଂ ତାଙ୍କ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜାମାନ୍ ଖାନ୍ କାମାଲଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଲାଦେଶ ସରକାର ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିଥିଲେ ହେଁ ସେ ନିଜ ଅପରାଧ ପାଇଁ ଆଇନଗତ ବିଚାରର ସମ୍ମୁଖୀନ ହେବା ଆବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି।