ମହେନ୍ଦ୍ରଗଞ୍ଜ : ମେଘାଲୟର ମହେନ୍ଦ୍ର ଗଞ୍ଜ ନଂଦିରଚର ଭାରତ-ବାଂଲାଦେଶ ସୀମାର ନୋ ମ୍ୟାନସ୍ ଲ୍ୟାଣ୍ଡରେ ଦୀର୍ଘ ୨୦ ଘଣ୍ଟା କାଳ ଫଶି ରହିଥିବା ୫୫ ବର୍ଷର ବୟଷ୍କଙ୍କୁ ଶେଷରେ ବାଂଲାଦେଶ ନିଜ ନାଗରିକ ସ୍ୱୀକାର କରିଛି। ଏଣୁ ବୁଧବାର ଏହି ଅନୁପ୍ରବେଶ ଘଟଣାକୁ ନେଇ ଉପୁଜିଥିବା ବିବାଦର ଗୁରୁବାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଯାଇଛି। ସୂତ୍ର ଅନୁସାରେ ଭାରତୀୟ ଅଧିକାରୀ ବୁଧବାର ସୀମା ଦେଇ ପଶି ଆସୁଥିବା ବାଂଲାଦେଶୀ ନାଗରିକକୁ ଧରି ବିଜିବିକୁ ଫେରାଇ ଦେଇଥିଲେ। ତେବେ ତାଙ୍କୁ ବିଜିବି ନିଜ ନାଗରିକ ସ୍ୱୀକାର କରିନଥିଲା। ଏଣୁ ବୁଧବାର ଠାରୁ ସମ୍ପୃକ୍ତ ବ୍ୟାକ୍ତି ନୋ ମ୍ୟାନସ୍ ଲ୍ୟାଣ୍ଡରେ ଫଶି ରହିଥିଲେ।

ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ତଡିଦେଇଥିବା ବିଦେଶୀ ନାଗରିକକୁ ବାଂଲାଦେଶ ରାଜଶାହୀ ଜିଲ୍ଲାର ଗୋଦାଗରୀ ଥାନା ଅନ୍ତର୍ଗତ ଚନ୍ଦଲାଇ ଗ୍ରାମର ବାସିନ୍ଦା ରୂପେ ଚିହ୍ନଟ କରିଥିଲା। ଏଣୁ ବିଜିବିକୁ ତାଙ୍କ ଦେଶର ନାଗରିକଙ୍କୁ ଫେରାଇ ନେବାକୁ କହିଥିଲା। ତେବେ ବିଏସଏଫ କଥାକୁ ବିଜିବି ପ୍ରଥମେ ପ୍ରତ୍ୟାଖାନ କରିଥିଲା ଓ ନାଗରିକଙ୍କୁ ନେଇ ନଥିଲା। ଏହି ଘଟଣାରୁ ବାଂଲାଦେଶର ମାମଲା ସମ୍ଭାଳିବାର ଉପାୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ନିଜ ନାଗରିକଙ୍କୁ ସ୍ୱୀକାର କରିବାକୁ ମନାକରିବାରୁ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।

ସମ୍ପୃକ୍ତ ବ୍ୟକ୍ତି ହିନ୍ଦୁ ଏଣୁ ବିଜିବି ତାଙ୍କୁ ଗ୍ରହଣ କରିବାକୁ ରାଜି ହେଉନଥିଲା ବୋଲି କୁହାଯାଉଛି। ତାଙ୍କୁ ଦେଶକୁ ଫେରାଇ ନେବା ପୂର୍ବରୁ ବିଜିବି ପାଖାପାଖି ୨୦ ଘଣ୍ଟା ଅପେକ୍ଷା କରାଇଥିଲା। ଏହି ଘଟଣା ଆସାମରେ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କ ବିରୋଧରେ ଦ୍ରୁତ ଅଭିଯାନ ଚଳାଯାଇଥିବା ବେଳେ ସାମ୍ନାକୁ ଆସିଛି। ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମା ବାରମ୍ବାର କହୁଛନ୍ତି ୨୦୨୬ ମସିହାରେ ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ କରିବ।