ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଲଗାତାର ଝଟକା ଓ ଅନିଶ୍ଚିତତା ମଧ୍ୟରେ ଭାରତ ଦୀର୍ଘମିଆଦୀ ସଂରଚନାତ୍ମକ ସଂସ୍କାର, ଘରୋଇ କ୍ଷମତା ବୃଦ୍ଧି ଏବଂ ଆମଦାନି ନିର୍ଭରତା କମାଇବା ଉପରେ ଗୁରୁତ୍ୱ ଦେଉଛି। ଏଭଲି କହିଛନ୍ତି ଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶକ୍ତିକାନ୍ତ ଦାସ।

ରବିବାର କୌଟିଲ୍ୟ ଇକୋନୋମିକ୍ କନକ୍ଲେଭ୍‌ରେ ଦ୍ୱିତୀୟ ଦିନରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଭାରତ ବର୍ତ୍ତମାନ ନିଜର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟ ଦେଇ ଗତି କରୁଛି। ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ବାସ୍ତବ ରୂପ ନେବା ଦିଗରେ ଭାରତ ଆଗକୁ ବଢ଼ୁଛି ଏବଂ ୮% ଅଭିବୃଦ୍ଧି ହାସଲ କରିବା ନିକଟତର ହେଉଛି।

Also Read- ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ; ଗିରଫ କରିପାରିବେନି ଟ୍ୟାକ୍ସ ଅଧିକାରୀ, ହଟାଇ ଦିଆଯିବ କ୍ଷମତା

ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତର ଅର୍ଥନୀତି ସୁଦୃଢ଼ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ରିୟଲ ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା, ଯାହା ଦୃଢ଼ ଘରୋଇ ଚାହିଦା ଏବଂ ଉନ୍ନତ ନିବେଶ ପରିସ୍ଥିତିକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ଦାସ୍ କହିଛନ୍ତି।

ଆମଦାନି ନିର୍ଭରତା କମାଇବା ଉପରେ ଗୁରୁତ୍ୱ

ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆତ୍ମନିର୍ଭରତାର ଅର୍ଥ ବିଶ୍ୱଠାରୁ ନିଜକୁ ଅଲଗା କରିବା ନୁହେଁ। ବରଂ ଦେଶ ଭିତରେ ଉତ୍ପାଦନ କ୍ଷମତା ଓ ଦକ୍ଷତା ବଢ଼ାଇବା ସହ ବିଶ୍ୱ ବଜାର ସହ ଯୋଡ଼ି ରହିବା ଏବଂ ଅଧିକ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ଏହାର ମୂଳ ଉଦ୍ଦେଶ୍ୟ। ଶକ୍ତି, ସାର ଏବଂ ଅନ୍ୟାନ୍ୟ ଆବଶ୍ୟକ କ୍ଷେତ୍ରରେ ଭାରତ ଏବେ ମଧ୍ୟ ବହୁ ମାତ୍ରାରେ ଆମଦାନି ଉପରେ ନିର୍ଭରଶୀଳ। ତେଣୁ ଦୀର୍ଘମିଆଦୀ ଘରୋଇ କ୍ଷମତା ଗଢ଼ିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ଦାସ କହିଛନ୍ତି।

୮% ଅଭିବୃଦ୍ଧି ନିକଟରେ ଭାରତ

ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ନେଇ ସ୍ରୀ ଦାସ କହିଛନ୍ତି ଯେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ରିୟଲ ଜିଡିପି ଅଭିବୃଦ୍ଧି ୭.୮% ରହିଛି। ୨୦୨୫-୨୬ର ଜୁଲାଇ-ସେପ୍ଟେମ୍ବରରୁ ୨୦୨୬-୨୭ର ଏପ୍ରିଲ-ଜୁନ୍ ପର୍ଯ୍ୟନ୍ତ ସମୟକୁ ହିସାବକୁ ନେଲେ ପିୟଲ ଜିଡିପି ଅଭିବୃଦ୍ଧି ୮%ରୁ ସାମାନ୍ୟ ଅଧିକ ହେଉଛି ବୋଲି ସେ କହିଛନ୍ତି।

କିଛି ମାସ ପୂର୍ବରୁ ‘ଫାଇନାନ୍ସିଆଲ୍ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ଭାରତ ୮% ଅଭିବୃଦ୍ଧି ହାସଲ କରିବା ନିକଟରେ ଥିବା ନେଇ ସେ ଯେଉଁ ମତ ଦେଇଥିଲେ, ବର୍ତ୍ତମାନର ଅଭିବୃଦ୍ଧି ହାର ତାହା ସହ ସମନ୍ୱିତ ବୋଲି କହିଛନ୍ତି ଆର୍ବିଆଇରେ ପୂର୍ବତନ ଗଭର୍ଣ୍ଣର।

ଦଶନ୍ଧିର ସଂସ୍କାର ଦେଇଛି ଅର୍ଥନୀତିକୁ ସୁରକ୍ଷା

ଗତ ଏକ ଦଶନ୍ଧି ଧରି କରାଯାଇଥିବା ଅର୍ଥନୈତିକ ସଂସ୍କାର କୌଣସି ଏକକାଳୀନ ପଦକ୍ଷେପ ନୁହେଁ ବୋଲି ଦାସ କହିଛନ୍ତି। ଏହି ସଂସ୍କାରଗୁଡ଼ିକ ଅର୍ଥନୀତିକୁ ବାହ୍ୟ ଝଟକା ସହିବା ଏବଂ ଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଆବଶ୍ୟକ ସୁରକ୍ଷା ବଳୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ସେ ଫ୍ଲେକ୍ସିବଲ୍ ଇନଫ୍ଲେସନ୍ ଟାର୍ଗେଟିଂ, GST ଲାଗୁ, ଆର୍ଥିକ ଶୃଙ୍ଖଳା, ଡିଜିଟାଲ୍ ପେମେଣ୍ଟର ପ୍ରସାର ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାରକୁ ଏହାର ପ୍ରମୁଖ ଉଦାହରଣ ଭାବେ ଦର୍ଶାଇଛନ୍ତି।

ରପ୍ତାନି ଓ ସେବା କ୍ଷେତ୍ର ଉପରେ ଭରସା

ବାହ୍ୟ କ୍ଷେତ୍ରରେ ମଧ୍ୟ ଭାରତର ଆର୍ଥିକ ବ୍ୟବସ୍ଥା ଓ ସତର୍କ ପରିଚାଳନା ଅର୍ଥନୈତିକ ଅଭିବୃଦ୍ଧିର ମଜବୁତ ଭିତ୍ତି ହୋଇଛି ବୋଲି ଦାସ କହିଛନ୍ତି। ରପ୍ତାନିର ବିବିଧୀକରଣ, ମୁକ୍ତ ବାଣିଜ୍ୟ ଚୁକ୍ତି, ସେବା ବାଣିଜ୍ୟରେ ଲଗାତାର ବଳକା ରହିବା ଏବଂ ବିଦେଶରୁ ଆସୁଥିବା ଅର୍ଥ ପ୍ରେରଣ ବା ରେମିଟାନ୍ସ ଯୋଗୁଁ ଭାରତର ବାହ୍ୟ କ୍ଷେତ୍ରର ସୂଚକଗୁଡ଼ିକ ମୋଟାମୋଟି ଭାବେ ସୁଦୃଢ଼ ରହିଛି ବୋଲି ସେ କହିଛନ୍ତି। ସେହିପରି ଏଆଇ କ୍ଷମତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଦାସ। ଭାରତକୁ ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବାକୁ ହେଲେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ବିପ୍ଳବର ସୁଯୋଗ ନେବାକୁ ପଡ଼ିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ଭାରତର AI ରଣନୀତିର ଦୁଇଟି ପ୍ରମୁଖ ଦିଗ ରହିଛି। ପ୍ରଥମଟି ସ୍ୱଦେଶୀ AI କ୍ଷମତା ବିକାଶ କରିବା। ଏଥିପାଇଁ ସ୍ୱଦେଶୀ ଫାଉଣ୍ଡେସନ୍ ମଡେଲ୍, ହାଇ-ପର୍‌ଫର୍ମାନ୍ସ କମ୍ପ୍ୟୁଟିଂ ଭିତ୍ତିଭୂମି, ସେମିକଣ୍ଡକ୍ଟର ବିକାଶ ଏବଂ ଏକ ମଜବୁତ ନବସୃଜନ ବ୍ୟବସ୍ଥା ଗଢ଼ିବା ଆବଶ୍ୟକ।

ଅର୍ଥନୀତି ବଢ଼ିଲେ ଆର୍ଥିକ କ୍ଷେତ୍ରକୁ ମଧ୍ୟ ମଜବୁତ କରିବା ଦରକାର

ଭାରତର ବଢ଼ୁଥିବା ଅର୍ଥନୈତିକ ଆକାରକୁ ସମର୍ଥନ କରିବା ପାଇଁ ଦେଶର ଆର୍ଥିକ କ୍ଷେତ୍ରକୁ ଆହୁରି ଗଭୀର କରିବା ଆବଶ୍ୟକ ବୋଲି ଦାସ କହିଛନ୍ତି। ତାଙ୍କ ଅନୁସାରେ, ଭାରତର ଆର୍ଥିକ କ୍ଷେତ୍ରରେ ଗତ କିଛି ବର୍ଷରେ ବଡ଼ ପରିବର୍ତ୍ତନ ଆସିଛି। ତେବେ ଆଗାମୀ ପର୍ଯ୍ୟାୟର ଅଭିବୃଦ୍ଧି ପାଇଁ ଦୀର୍ଘମିଆଦୀ ଅର୍ଥ ଯୋଗାଣ ଓ ‘ପେସେଣ୍ଟ କ୍ୟାପିଟାଲ୍’କୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ।

ଏଥିପାଇଁ କର୍ପୋରେଟ୍ ବଣ୍ଡ୍ ବଜାର, ପେନସନ୍ ଓ ବୀମା ପାଣ୍ଠି, ପୌରସଂସ୍ଥାଗୁଡ଼ିକର ଆର୍ଥିକ ବ୍ୟବସ୍ଥା ଏବଂ ଭିତ୍ତିଭୂମି ପାଇଁ ନୂଆ ଧରଣର ଅର୍ଥ ଯୋଗାଣ ବ୍ୟବସ୍ଥାକୁ ଆହୁରି ବିକଶିତ କରିବା ଦରକାର ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।