ନୂଆଦିଲ୍ଲୀ: ପାକିସ୍ତାନକୁ ଦିନିକିଆ ସିରିଜ୍ ହରାଇବା ପରେ ଏବେ ବାଂଲାଦେଶ ଏପରି ଏକ ସଫଳତା ହାସଲ କରିଛି, ଯାହାକୁ ସେ ଦୁଇ ଦଶନ୍ଧି ଧରି ଅପେକ୍ଷା କରିଥିଲା । ଦୀର୍ଘ ୨୧ ବର୍ଷ ପରେ ବାଂଲାଦେଶ କୌଣସି ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ମୀରପୁରରେ ଖେଳାଯାଇଥିବା ୱାନ ଡେ’ ସିରିଜର ପ୍ରଥମ ମ୍ୟାଚରେ ନାହିଦ ରାଣାଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ, ଅଷ୍ଟ୍ରେଲିଆକୁ ୮୬ ରନ୍ (ଡିଏଲ୍ଏସ୍ ମେଥର୍ଡ)ରେ ହରାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶ ୨୦୦୫ରେ ପ୍ରଥମ ଏବଂ ଏକମାତ୍ର ଦିନିକିଆ ମ୍ୟାଚ୍ ଜିତିଥିଲା ।

୨୧ ବର୍ଷ ପୂର୍ବେ ୨୦୦୫ ଜୁନରେ ଇଂଲଣ୍ଡର କାର୍ଡିଫରେ ମହମ୍ମଦ ଅସରଫୁଲଙ୍କ ଚମତ୍କାର ଶତକ ବଳରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଥିଲା ବାଂଲାଦେଶ । ସେହି ସମୟରେ ବିଶ୍ୱ ଚାମ୍ପିୟନଙ୍କ ବିରୋଧରେ ବାଂଲାଦେଶର ପ୍ରଥମ ବିଜୟ ଥିଲା ।

ମୀରପୁରରେ ଆଜି ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟିମ୍ ନିଜ ପୂରା ଶକ୍ତି ସହ ଓହ୍ଲାଇ ନଥିଲା, ତଥାପି ବାଂଲାଦେଶ ପାଇଁ ବିଜୟ ହାସଲ କରିବା ସହଜ ନଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ସମୟରେ ବାଂଲାଦେଶ ୧୪୦ ରନରେ ୪ ୱିକେଟ୍ ହରାଇଥିଲା । ଏହା ପରେ ୪ ବର୍ଷ ପରେ ଦଳକୁ ଫେରିଥିବା ମୋସଦେକ ହୋସେନ ୭୦ ବଲରେ ୮୬ ରନ କରି ଦଳର ସ୍କୋରକୁ ୨୮୪ ରନରେ ପହଞ୍ଚାଇଥିଲେ ।

ମୀରପୁର ମୈଦାନରେ ସ୍ପିନରଙ୍କ ଦବଦବା ରହିଥାଏ । କିନ୍ତୁ ଆଜିର ମ୍ୟାଚ୍ରେ ପେସ୍ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ଇନିଂସର ପ୍ରଥମ ବଲରେ ତାସକିନ୍ ଅହମ୍ମଦ ଓପନର ମାଥ୍ୟୁ ସର୍ଟଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ପରବର୍ତ୍ତୀ ଓଭରରେ ମୁସ୍ତାଫିଜୁର ରହମାନ, ମାର୍ନସ୍ ଲାବୁଶେନଙ୍କୁ ଆଉଟ୍ କରିଥିଲେ । ଅଷ୍ଟ୍ରେଲୀୟ ବ୍ୟାଟରମାନେ ସ୍କୋରକୁ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ୨୩ ବର୍ଷୀୟ ନାହିଦ ରାଣା ଘାତକ ବୋଲିଂ କରିଥିଲେ । ନାହିଦ ୪୧ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ସ୍କୋର ୪୨.୨ ଓଭରରେ ୧୯୧/୯ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଅଧାରେ ବନ୍ଦ ହୋଇଥିଲା । ଏହା ପରେ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା ଏବଂ ବାଂଲାଦେଶ ଡକୱର୍ଥ-ଲୁଇସ୍ ପଦ୍ଧତିରେ ଜିତିଥିଲା ।