ଢାକା: ବାଂଲାଦେଶ ନିର୍ବାଚନ ଆୟୋଗ ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଆୟୋଗଙ୍କ ଘୋଷଣା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଅଗଷ୍ଟ ୨୦ ତାରିଖରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କ ଇସ୍ତଫା ପରେ ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି। ଶାହବୁଦ୍ଦିନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଛାତ୍ର ଆନ୍ଦୋଳନ ଯୋଗୁ ପଳାୟନ କରିଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦୀର୍ଘ ସମୟର ସହଯୋଗୀ ଥିଲେ ଶାହବୁଦ୍ଦିନ।

ନିର୍ବାଚନ ଆୟୋଗର ବରିଷ୍ଠ ସଚିବ ଅଖତର ଅହମଦ ସାମ୍ବାଦିକଙ୍କୁ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନ ଏ.ଏମ.ଏମ. ନାସିରୁଦ୍ଦିନ ସଂସଦର କାର୍ଯ୍ୟକାରୀ ଅଧ୍ୟକ୍ଷ କୈସର କମାଲଙ୍କ ସହ ବିଚାରବିମର୍ଶ କରିବା ପରେ ରାଷ୍ଟ୍ରପତି ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ବାଂଲାଦେଶ ସମ୍ବିଧାନ ଅନୁସାରେ ସଂସଦ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନ କରନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଆୟୋଗ ସଞ୍ଚାଳନ କରନ୍ତି।

ଅଖତର ଅହମଦ କହିଛନ୍ତି ଯେ ଅଗଷ୍ଟ ୨୦ ତାରିଖ ଦିନ ସାଂସଦ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଜାତୀୟ ସଂସଦର ଅଧିବେଶନ କକ୍ଷରେ ରାଷ୍ଟ୍ରପତିଙ୍କ ଲାଗି ଭୋଟ ଦେବେ। ତେବେ ସର୍ବ ସମ୍ମତ ପ୍ରାର୍ଥୀଙ୍କ ସ୍ଥିତିରେ ମତଦାନର ଆବଶ୍ୟକତା ହୋଇ ନଥାଏ। ନିର୍ବାଚନ ଲାଗି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ପଦବୀ ପାଇଁ ଅଗଷ୍ଟ ୧୩ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଜମା କରାଯାଇ ପାରିବ। ଅଗଷ୍ଟ ୧୬ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୮ ଅଗଷ୍ଟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ।

ସରକାରୀ ସମ୍ବାଦ ସରବରାହ ସଂସ୍ଥା ବିଏସଏସ ଅନୁସାରେ ଅହମଦ ସାମ୍ବାଦିକଙ୍କୁ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ସଂସଦ ଅଧ୍ୟକ୍ଷ ହାଫିଜ ଉଦ୍ଦିନ ଅହମଦଙ୍କ ସହ କଥାବାର୍ତ୍ତା ପରେ କରାଯାଇଛି। ହାଫିଜ ଉଦ୍ଦିନ ଅହମଦ ସମ୍ବିଧାନ ଅନୁସାରେ ୯୦ ଦିନ ନିମନ୍ତେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି। ବାଂଲାଦେଶ ସମ୍ବିଧାନ ଅନୁସାରେ ୯୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ଅନିବାର୍ଯ୍ୟ। ଅଖତର ଅହମଦଙ୍କ ଅନୁସାରେ ନିର୍ବାଚନ ଲାଗି ମତଦାତା ସୂଚୀ ପ୍ରସ୍ତୁତ କରାଯାଇ ସାରିଛି ଓ ବାକି ପ୍ରଶାସନିକ ପ୍ରକ୍ରିୟା ନିର୍ବାଚନ ପୂର୍ବରୁ ଶେଷ କରାଯିବ।