ନୂଆଦିଲ୍ଲୀ: ନ୍ୟୁୟର୍କ ସିଟିରେ ଶସ୍ତା ଦରରେ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ସରକାରୀ ସହାୟତାରେ 'ଗ୍ରୋସରୀ ଷ୍ଟୋର୍'ଖୋଲିବାକୁ ନ୍ୟୁୟର୍କ ମେୟର ଜୋହରାନ ମମଦାନୀ ଏକ ପ୍ରସ୍ତାବ ଦେଇଛନ୍ତି। ତେବେ ଟେସଲା ସିଇଓ ଏଲନ୍ ମସ୍କ ଏହି ଯୋଜନାକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ମମଦାନୀଙ୍କୁ ‘ଜଣେ ଠକ ଏବଂ ମିଛୁଆ’ ବୋଲି ଆଖ୍ୟା ଦେଇଛନ୍ତି।

'X' (ପୂର୍ବରୁ ଟ୍ୱିଟର)ରେ ଜଣେ ୟୁଜରଙ୍କ ପୋଷ୍ଟର ଉତ୍ତର ଦେଇ ମସ୍କ ଲେଖିଛନ୍ତି ଯେ, ସରକାରୀ ଯୋଜନା ବଦଳରେ AI ଏବଂ ରୋବୋଟିକ୍ସ ବୈଷୟିକ ଜ୍ଞାନକୌଶଳ ଆଗାମୀ ଦିନରେ ସାମଗ୍ରୀ ଓ ସେବାଗୁଡ଼ିକୁ ମାଗଣା କିମ୍ବା ବହୁତ ଶସ୍ତା କରିବ। ସେ କହିଛନ୍ତି, ‘ସେମାନେ ଯାହା କରୁଛନ୍ତି ତାହାର କୌଣସି ଅର୍ଥ ନାହିଁ। ଯେଉଁ ଠକମାନେ ଅନ୍ୟମାନଙ୍କଠାରୁ ଚୋରି କରି ମାଗଣା ସାମଗ୍ରୀ ଦେବାର ବାହାସ୍ଫୋଟ ମାରୁଛନ୍ତି, ପ୍ରକୃତରେ AI ଏବଂ ରୋବୋଟ ହିଁ ସେହି ସାମଗ୍ରୀ ଓ ସେବା ମାଗଣାରେ ଯୋଗାଇଦେବେ। ମାମଦାନୀ ସାଧାରଣ ଭାବରେ ଜଣେ ଠକ ଏବଂ ମିଛୁଆ।’

ନ୍ୟୁୟର୍କ ସିଟିର ୫ଟି ସ୍ଥାନରେ ସରକାରୀ ସହାୟତାରେ ୫ଟି ଗ୍ରୋସରୀ ଷ୍ଟୋର୍ ଖୋଲିବାକୁ ପ୍ରଶାସନ ପ୍ରସ୍ତାବ ଦେଇଛି। ଏଥିପାଇଁ ୭୦ ନିୟୁତ ଡଲାର (୭ କୋଟି ଡଲାର) ସରକାରୀ ପାଣ୍ଠି ଆବଣ୍ଟିତ କରାଯାଇଛି। ସାଧାରଣ ବଜାର ଦର ତୁଳନାରେ ଏଠାରେ ପ୍ରାୟ ୩୦% ଶସ୍ତାରେ ସାମଗ୍ରୀ ମିଳିବ। ଏହାଦ୍ୱାରା ଜଣେ ନ୍ୟୁୟର୍କବାସୀ ମାସକୁ ପ୍ରାୟ ୯୦ ଡଲାର ସଞ୍ଚୟ କରିପାରିବେ। ଦୋକାନ ପାଇଁ ସ୍ଥାନ ଏବଂ ଭଡ଼ା ବାବଦ ଖର୍ଚ୍ଚ ସରକାର ବହନ କରିବେ, ମାତ୍ର ଦୋକାନର ଦୈନନ୍ଦିନ ପରିଚାଳନା କାର୍ଯ୍ୟ ଘରୋଇ ସଂସ୍ଥାଗୁଡ଼ିକ ଦ୍ୱାରା ହେବ।

ପନିପରିବା, ମାଂସ, କ୍ଷୀର ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ସପ୍ତାହକୁ ସପ୍ତାହ ବଦଳିବା ବଦଳରେ ପ୍ରତି ମାସରେ ସ୍ଥିର ରଖାଯିବ। ୨୦୨୭ ଶେଷ ସୁଦ୍ଧା ବ୍ରୋଙ୍କସଠାରେ ପ୍ରଥମ ଷ୍ଟୋର୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥଶାସ୍ତ୍ରୀ ଏବଂ ବ୍ୟବସାୟୀ ସଂଘଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି ଯେ, ଏଥିରେ ଲାଭର ପରିମାଣ ବହୁତ କମ୍ ଥାଏ। ସେପରି ସ୍ଥଳେ ୩୦% ପର୍ଯ୍ୟନ୍ତ ରିହାତି ଦେବା ଦ୍ୱାରା ଶେଷରେ କରଦାତା ଙ୍କ ଉପରେହିଁ ଆର୍ଥିକ ବୋଝ ପଡ଼ିବ।