ନୂଆଦିଲ୍ଲୀ: ଗୁଗଲକୁ ଲାଗିଛି ସବୁଠୁ ବଡ଼ ଝଟକା । କମ୍ପାନିର ସବୁଠାରୁ ଅଭିଜ୍ଞ ଇଞ୍ଜିନିୟର ଏବଂ AI ବୈଜ୍ଞାନିକଙ୍କ ମଧ୍ୟରେ ସାମିଲ ଥିବା ଚାରିଜଣ ଜେଫ୍ ଡିନ୍ (Jeff Dean), ସଞ୍ଜୟ ଘେମାୱତ (Sanjay Ghemawat), ଓରିଓଲ୍ ଭିନାଲ୍ସ (Oriol Vinyals) ଏବଂ କ୍ୱୋକ୍ ଲି (Quoc Le) କମ୍ପାନି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଚାରିଜଣ ମିଶି ଏବେ 'Discovery Loop' ନାମକ ଏକ ନୂଆ ଏଇଆଇ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଗୁଗଲର ପ୍ୟାରେଣ୍ଟ କମ୍ପାନି ଆଲ୍ଫାବେଟର ସେୟାରରେ ପ୍ରାୟ ୪% ହ୍ରାସ ରେକର୍ଡ କରାଯାଇଛି । ନିବେଶକମାନଙ୍କ ମନରେ ଚିନ୍ତା ବଢ଼ିଛି, କାରଣ ଗୁଗଲର ଏଆଇ ଟିମରୁ କ୍ରମାଗତ ଭାବେ ବଡ଼ ବଡ଼ ନାଁ ବାହାରକୁ ଚାଲିଯାଉଛନ୍ତି ।

ଜେଫ୍ ଡିନଙ୍କ ଛାଡ଼ିବା ସବୁଠାରୁ ବଡ଼ ଖବର

ଜେଫ୍ ଡିନ୍ କମ୍ପାନିରୁ ଯିବା ସବୁଠାରୁ ବଡ଼ ଖବର ଭାବେ ଦେଖାଯାଉଛି । ଏହା ପଛର କାରଣ ହେଉଛି ସେ ଗୁଗଲର ୩୦ତମ କର୍ମଚାରୀ ଥିଲେ । ସେ ୧୯୯୯ ମସିହାରେ କମ୍ପାନିରେ ଯୋଗ ଦେଇଥିଲେ ଏବଂ ପ୍ରାୟ ୨୭ ବର୍ଷ ଧରି ଗୁଗଲରେ କାମ କରିଥିଲେ । ଗୁଗଲ ସର୍ଚ୍ଚକୁ ବଡ଼ ସ୍ତରରେ ଚଲାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ତିଆରି କରିବାରେ ତାଙ୍କର ବଡ଼ ଅବଦାନ ରହିଥିଲା । ପରବର୍ତ୍ତୀ ସମୟରେ ସେ ଗୁଗଲ ବ୍ରେନ୍ (Google Brain)ର ଶୁଭାରମ୍ଭ କରିଥିଲେ ଏବଂ ଏଆଇ ଗବେଷଣାକୁ ଆଗକୁ ବଢ଼ାଇଥିଲେ ।

ହାର୍ଡୱେର୍ ଟେନ୍ସର ପ୍ରୋସେସିଂ ୟୁନିଟ୍ (TPU) ପ୍ରୋଜେକ୍ଟ ଆରମ୍ଭ କରିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ଥିଲା । ଏହି TPU ଆଜି ଜେମିନାଇ ସମେତ ଗୁଗଲର ବଡ଼ ଏଆଇ ମଡେଲଗୁଡ଼ିକୁ ଟ୍ରେନ୍ ଏବଂ ଚଲାଇବା ପାଇଁ ବ୍ୟବହାର କରାଯାଉଛି ।

ଜେଫ୍ ଡିନ୍ କେବଳ ଜଣେ ଇଞ୍ଜିନିୟର ନଥିଲେ । ତାଙ୍କୁ ଗୁଗଲର ସବୁଠାରୁ ପ୍ରଭାବଶାଳୀ ଟେକ୍ ଲିଡର ଭାବେ ଗଣନା କରାଯାଉଥିଲା । କମ୍ପାନି ଭିତରେ ତାଙ୍କୁ ଏପରି ଜଣେ ବ୍ୟକ୍ତି ଭାବେ ଦେଖାଯାଉଥିଲା, ଯିଏ କୌଣସି ବି ଜଟିଳ ବୈଷୟିକ ସମସ୍ୟାର ସମାଧାନ ବାହାର କରିପାରୁଥିଲେ । ସର୍ଚ୍ଚ, କ୍ଲାଉଡ୍, ମେସିନ୍ ଲର୍ନିଂ ଏବଂ ଜେମିନାଇ ଭଳି ଅନେକ ବଡ଼ ପ୍ରୋଜେକ୍ଟରେ ତାଙ୍କର ଭୂମିକା ରହିଥିଲା। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜଗତରେ ତାଙ୍କ ନାମ ସେହି ଲୋକଙ୍କ ଗଣନାରେ ଆସେ, ଯେଉଁମାନେ ଗୁଗଲକୁ ରିସର୍ଚ୍ଚରୁ ନେଇ ପ୍ରୋଡକ୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି ।

​​​​​​​

ଅନ୍ୟ ତିନିଙ୍କ ଅବଦାନ

ଜେଫ୍ ଡିନଙ୍କ ସହ କମ୍ପାନି ଛାଡ଼ୁଥିବା ସଞ୍ଜୟ ଘେମାୱତ ମଧ୍ୟ ଗୁଗଲର ପ୍ରାରମ୍ଭିକ କର୍ମଚାରୀଙ୍କ ମଧ୍ୟରେ ଥିଲେ । ଗୁଗଲ ସର୍ଚ୍ଚକୁ ବିଶ୍ୱବ୍ୟାପୀ ଦ୍ରୁତ ଏବଂ ବିଶ୍ୱସନୀୟ କରିଥିବା ପ୍ରଯୁକ୍ତିବିଦ୍ୟା Google File System, MapReduce ଏବଂ BigTableର ବିକାଶରେ ତାଙ୍କର ବଡ଼ ଯୋଗଦାନ ଥିଲା । ଆଜି ବିଶ୍ୱର ଅନେକ କ୍ଲାଉଡ୍ ଏବଂ ଏଆଇ ପ୍ରଯୁକ୍ତିବିଦ୍ୟା ଏହି ସିଷ୍ଟମଗୁଡ଼ିକ ଦ୍ୱାରା ଅନୁପ୍ରାଣିତ ।

ସେହିପରି ଓରିଓଲ୍ ଭିନାଲ୍ସ ଏବଂ କ୍ୱୋକ୍ ଲି ମଧ୍ୟ ଅନେକ ବର୍ଷ ଧରି ଗୁଗଲର ଏଆଇ ରିସର୍ଚ୍ଚର ପ୍ରମୁଖ ଅଂଶ ରହିଆସିଛନ୍ତି । ଓରିଓଲ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଏବଂ ଜେମିନାଇ ସହ ଜଡ଼ିତ ଗବେଷଣାରେ କାମ କରିଥିଲେ । ଲି ଡିପ୍ ଲର୍ନିଂ ଏବଂ ବଡ଼ ଏଆଇ ମଡେଲ ବିକଶିତ କରୁଥିବା ପ୍ରମୁଖ ବୈଜ୍ଞାନିକ ଭାବେ ଗଣାଯାନ୍ତି । ଏଆଇ ରିସର୍ଚ୍ଚ ଜଗତରେ ଦୁହିଁଙ୍କ ଅନେକ ରିସର୍ଚ୍ଚ ପେପର ବେଶ୍ ଲୋକପ୍ରିୟ ।

ନୂଆ ଷ୍ଟାର୍ଟଅପ୍ 'Discovery Loop' ?

ଚାରିଜଣ ମିଶି ଏବେ Discovery Loop ନାମକ ନୂଆ କମ୍ପାନି ଗଢ଼ୁଛନ୍ତି । ଏହା କେବଳ ଚାଟବଟ୍ ବନାଇବା କମ୍ପାନି ହେବ ନାହିଁ । ଏହାର ଲକ୍ଷ୍ୟ ହେଉଛି ଏଆଇ ସାହାଯ୍ୟରେ ବୈଜ୍ଞାନିକ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚକୁ ଅଧିକ ସ୍ପିଡ୍ କରିବ । କମ୍ପାନି ଏପରି ଏଆଇ ସିଷ୍ଟମ୍ ତିଆରି କରିବାକୁ ଚାହୁଁଛି ଯାହା ବହୁସ୍ତରୀୟ ରିସର୍ଚ୍ଚ ଏବଂ ଇଞ୍ଜିନିୟରିଂ କାମକୁ ନିଜେ ସମ୍ପୂର୍ଣ୍ଣ କରିପାରିବ ।